ଭୁବନେଶ୍ୱର: ଲଣ୍ଡନରେ ଥିବା ଶ୍ରୀ ଜଗନ୍ନାଥ ସୋସାଇଟିର ଅଧ୍ୟକ୍ଷ ତଥା ବରିଷ୍ଠ ଚିକିତ୍ସକ ପ୍ରଫେସର ଡ଼. ସହଦେବ ସ୍ୱାଇଁଙ୍କୁ ସାମାଜିକ ସଂଗଠନ 'ଲୋକବିକାଶ' ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି | ସମ୍ବାଦ ସାହିତ୍ୟଘର, ଆଳିର ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡ଼.ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ଲୋକବିକାଶର ପ୍ରତିଷ୍ଠାତା ଡ଼. ବିଶ୍ୱନାଥ ପଟ୍ଟନାୟକ |

Advertisment

 ଡ଼.ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସୁଦୂର ଲଣ୍ଡନରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ସହ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରଚେଷ୍ଟିତ ଡ଼. ସହଦେବଙ୍କର ଅବଦାନ ଏକାନ୍ତ ଅଭିନନ୍ଦନୀୟ | ଲଣ୍ଡନର ସଂସ୍କୃତି ସଭ୍ୟତା ସହ ନିଜକୁ ମିଶାଇ ଦେଇଥିଲେ ବି ସେ ଉତ୍କଳୀୟ ଐତିହ୍ୟ, ଧର୍ମ, ପରମ୍ପରା ଓ ସାମାଜିକତାକୁ ଭୁଲି ନାହାନ୍ତି | ସେହିପରି ଡ଼.ସହଦେବ ସ୍ୱାଇଁ କହିଥିଲେ ଯେ ଏହି ସମ୍ବର୍ଦ୍ଧନା ଆଗାମୀ ଦିନମାନଙ୍କରେ ତାଙ୍କୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ପାଇଁ ଅନୁପ୍ରେରିତ କରିବ |

ପରିଶେଷରେ ବରିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ତଥା ଲୋକବିକାଶର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଗୋଲେଖ ବିହାରୀ ସିଂଙ୍କ ସହ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ |