ଭୁବନେଶ୍ବର: ଡା. ସାର୍ଥକ ପଟ୍ଟନାୟକ ଜାତୀୟ ସିଏସ୍ଆର ସମିଟ୍ ଏବଂ ସିଏସ୍ଆର ଟାଇମ୍ସ ଆୱାର୍ଡ ପାଇଛନ୍ତି। ଗତ ୧୮ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସ୍ବାସ୍ଥ୍ୟସେବା ପ୍ରଯୁକ୍ତିବିଦ୍ୟା ପାଇଁ ମହାତ୍ମାଗାନ୍ଧୀ ଲିଡରସିପ୍ ପୁରସ୍କାର ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଡିଆନ୍ ଆଚିଭର୍ସ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ଡା. ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଫିଜିର ଉଚ୍ଚାୟୁକ୍ତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ନିଜ ପ୍ରତିକ୍ରିୟାରେ ଡା. ପଟ୍ଟନାୟକ କହିଛନ୍ତି, ଲାଇଫ ଲିଙ୍କ୍ ଡିଜିଟାଲ ହେଲ୍ଥ ପ୍ଲାଟଫର୍ମ ଜରିଆରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଯୋଡ଼ିବାରେ ସହାୟକ ହୋଇପାରୁଛି। ଡିଜିଟାଲ ହେଲ୍ଥ କ୍ଲିନିକ୍ ଜରିଆରେ ରାଜଧାନୀରେ ଥିବା ବିଶେଷଜ୍ଞ ଡାକ୍ତରଙ୍କୁ ଯୋଡ଼ିବା ସମ୍ଭବ ହୋଇପାରୁଛି। ବଲାଙ୍ଗୀର ସଇଁତଳା, ସୋନପୁର, ବେଗୁନିଆ ଓ ଭୁବନେଶ୍ବର ଏହାର କେନ୍ଦ୍ର ରହିଛି। ରାଜ୍ୟ ବାହାରେ ବେଙ୍ଗାଲୁରୁ ଓ ମୁମ୍ବାଇରେ ଏହାର କେନ୍ଦ୍ର ରହିଛି। ନିକଟରେ ଝାଡ଼ଖଣ୍ଡ ଓ ବିହାରରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ କାମ ଆରମ୍ଭ ହୋଇଛି। ଓଡ଼ିଆ ଭାବେ ଏହି ପୁରସ୍କାର ପାଇବା ଖୁସିର ବିଷୟ ବୋଲି ଡା. ପଟ୍ଟନାୟକ କହିଛନ୍ତି।