ଭୁବନେଶ୍ବର: ଆଜି ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ପୁରୀଯାତ୍ରୀଙ୍କୁ ବେଶ୍ ଅଡ଼ୁଆରେ ପକାଇଥିଲା। ଦୁର୍ବୃତ୍ତଦ୍ବୟ ଏକ କାର୍ରେ ଥିବା ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରେ ଆଣ୍ଠେଇଦେଇଥିଲେ ଏବଂ ରାଜପଥକୁ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।
ଖବର ଅନୁସାରେ ଆଜି ସକାଳେ ଯାଜପୁର ପାଣିକୋଇଲି ଥାନା ଧନପୁରର ସୁଶାନ୍ତ ସାହୁ ତାଙ୍କ ତିନି ବନ୍ଧୁଙ୍କ ସହ କାର୍ ଯୋଗେ ପୁରୀ ଯାଉଥିଲେ। ଓଡ଼ିଶା ମୋଟର୍ସ ସାମ୍ନାରେ ଏକ ଜେସିବି ରଖି ଲିପୁନ୍ ଓ ସୂର୍ଯ୍ୟ ମରାମତି କରୁଥିଲେ। କାର୍ ପାସ୍ କରିବାକୁ ରାସ୍ତା ନପାଇ ସୁଶାନ୍ତ ସେମାନଙ୍କୁ ଜେସିବି ସାଇଡ୍ କରିବାକୁ କହିଥିଲେ। ମାତ୍ର ଏତିକି କଥାରେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ ଲିପୁନ୍ ଓ ସୂର୍ଯ୍ୟ। କଦର୍ଯ୍ୟ ଭାଷାରେ ଗାଳିମନ୍ଦ କରି ଆକ୍ରମଣ କରିବାକୁ କାର୍ ପାଖକୁ ମାଡ଼ି ଆସିଥିଲେ ଏବଂ କାର୍ ଡୋର୍କୁ ବାଡ଼େଇ ଭିତରୁ ସୁଶାନ୍ତ ଓ ଅନ୍ୟ ଜଣଙ୍କୁ ଟାଣି ନେଇ ବିଧା, ଗୋଇଠା, ମୁଥ ମାରିଚାଲିଥିଲେ। ସେତିକିରେ ମନ ଶାନ୍ତି ନହେବାରୁ ସେମାନେ ସୁଶାନ୍ତ ଓ ତାଙ୍କ ସାଙ୍ଗଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ। ଏହି ସମୟରେ କିଛି ଲୋକ ପ୍ରତିବାଦ କରିବାରୁ ଲିପୁନ୍ ଓ ସୂର୍ଯ୍ୟ ସେମାନଙ୍କୁ ଗାଳି ଦେବା ସହ ଜେସିବିକୁ ପୂରା ରାସ୍ତା ମଝିରେ ରଖି ରାଜପଥ ବନ୍ଦ କରି ଦେଇଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା ଏବଂ ଲିପୁନ୍ ଓ ସୂର୍ଯ୍ୟକୁ ଥାନାକୁ ନେଇଥିଲା। ସହିଦନଗର ଥାନା ଅଧିକାରୀ ମନୋଜ କୁମାର ଶତପଥୀଙ୍କ କହିବା କଥା ଏନେଇ ସୁଶାନ୍ତ ସାହୁ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଅଭିଯୋଗ ବଳରେ ଲିପୁନ୍ ଓ ସୂର୍ଯ୍ୟକୁ ଅଟକ ରଖାଯାଇଛି।