ସରୁନି କେନାଲ ସଫେଇ: ବିତିଲା ଅଧା ଶ୍ରାବଣ, ଫାଟିଲା ରୁଆ ବିଲ

ବାଲିପାଟଣା: ଧାରା ଶ୍ରାବଣର ଅଧା ବିତିଗଲା। ବର୍ଷା ହେଲା ନାହିଁ। କେନାଲରେ ପାଣି ଆସିଲା, କିନ୍ତୁ ତଳ ମୁଣ୍ଡ ବିଲ ଯେମିତି ଶୁଖିଲା ଥିଲା ସେମିତି ଶୁଖିଲା ରହିଲା। ଚାଷୀ କେତେବେଳେ ବର୍ଷାକୁ ତ କେତେବେଳେ କେନାଲକୁ ଚାତକ ଭଳି ଚାହିଁଛି। ବେଉଷଣ ପାଇଁ ଫୁରୁସତ ନ ମିଳିବା ସମୟରେ ଚାଷୀ ହାତବାନ୍ଧି ବସିଛି। ବିଲରେ ମାଡ଼ିଗଲାଣି ଘାସବଣ। ରୁଆ ବିଲ ବି ଫାଟି ଆଁ କଲାଣି। ଏମିତି ବିକଳ ଅବସ୍ଥାରେ ବସିଛି ବାଲିପାଟଣା ଚାଷୀ।

ବାଲିପାଟଣା ବ୍ଲକ ଗୁଆପୁର, ମଝିହରା, ନରଦା, କୁରୁଞ୍ଜିପୁର, ସାନମାଛପୁର, ସରାଟ, ଚଣାହାଟ, ରାଜସ ଅଞ୍ଚଳର ଶହ ଶହ ଏକର ଚାଷ ଜମିର ଅବସ୍ଥା ଏବେ ସଂଗିନ୍। ପାଣି ବିନା ଚାଷ କାର୍ଯ୍ୟ ଆଗେଇ ପାରୁନି। ଗୁଆପୁର ମୌଜାରେ ରୁଆ ଜମି ଫାଟି ଆଁ କରିଛି। ଗୁଆପୁର ମୌଜାର ଚାଷୀ ଲକ୍ଷ୍ମୀଧର ମହାରଣା, କାହ୍ନୁ ଚରଣ ରାଉତ, ପ୍ରତାପ ସେନାପତି, ନାଲୁ ଭୋଇଙ୍କ ଅଭିଯୋଗ ଅନୁସାରେ କେନାଲ ସଫେଇ ପାଇଁ ଟେଣ୍ଡର ହେଲା। କିନ୍ତୁ ସଫେଇ କେଉଁଠି ହେଉଛି, ଜଣାପଡ଼ୁନାହିଁ। ମାଇନର ମଧ୍ୟ ଭଲରେ ସଫେଇ ହେଉନାହିଁ। ଫଳରେ ବିଲରେ ପାଣି ପହଞ୍ଚୁନାହିଁ। ଗତ ୧୦ ତାରିଖରୁ କେନାଲରେ ପାଣି ଆସିଲାଣି। କିନ୍ତୁ ପରିତାପର କଥା ୧୩ ଦିନ ପରେ ମଧ୍ୟ ଶହ ଶହ ହେକ୍ଟର ଜମିରେ ପାଣି ପହଞ୍ଚିଲା ନାହିଁ। ଧାନ ବୁଣା ଜମି ତ ବହୁ ଦିନ ହେଲା ଫାଟି ଆଁ କଲାଣି। ଧାନ ଗଛ ପାଚି ହଳଦିଆ ପଡ଼ିଗଲାଣି। ଏବେ ଯେଉଁ କିଛି ତଳିଆ ଜମିରେ ରୁଆ ହୋଇଥିଲା, ତାହା ବି ଫାଟି ଗଲାଣି। ତେଣୁ ଚଳିତ ବର୍ଷ ଧାନ ଫସଲ ବ୍ୟାପକ କ୍ଷତି ହେବା ନିଶ୍ଚିତ।

ବଡ଼ ବିଚିତ୍ର କଥା ହେଉଛି ୧୦ ତାରିଖରୁ କେନାଲରେ ପାଣି ଆସିଥିବାବେଳେ ବାଲିପାଟଣା ଜଳସେଚନ ବିଭାଗ ଅଧୀନରେ କେନାଲ ସଫେଇ ପାଇଁ ୧୪ ତାରିଖରୁ ଟେଣ୍ଡର ହୋଇଛି। ନିୟମାନୁସାରେ ଆଗ କେନାଲ ସଫେଇ କାମ କରାଯିବା କଥା। କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ନୀତି ପାଇଁ ଚଳିତ ବର୍ଷ ଓଲଟା କାମ ହେଉଛି। ତେବେ କେତେକ କେନାଲ ସଫେଇ କାମ ଆରମ୍ଭ ହୋଇଥିଲେ ହେଁ ବହୁ କେନାଲର ସଫେଇ କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି। ଫଳରେ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି। ଏ ନେଇ ବାଲିପାଟଣା ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସମ୍ବିତ ସାହୁଙ୍କୁ ପଚାରିବାରୁ କେନାଲ ସଫେଇ କାମ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର