ଭୁବନେଶ୍ବର: ସାମାନ୍ୟ ବର୍ଷା ହେଲେ ରାଜଧାନୀ ବୁଡ଼ୁଛି। ଡ୍ରେନ୍‌ ପାଣି ଘରେ ପଶୁଛି। ପ୍ରତି ବର୍ଷ ଏହାକୁ ନେଇ ତୁମ୍ବି ତୋଫାନ ହେଉଛି। ଶାସକ-ବିରୋଧୀ ଆରୋପ ପ୍ରତ୍ୟାରୋପ ବି ହେଉଛି। ଯେତେ ଯୋଜନା ହେଲେ, କୋଟି  କୋଟି ଟଙ୍କା ଖର୍ଚ୍ଚ କରାଗଲେ ମଧ୍ୟ ମୌସୁମୀ ପୂର୍ବରୁ ରାଜଧାନୀର ଡ୍ରେନ୍‌ ସଫା ହୋଇପାରୁନାହିଁ। ଅନ୍ୟପଟେ ର-ଠ କାମ କରି ୮୦% ଡ୍ରେନ୍ ସଫା ହୋଇଥିବା ନେଇ ବାହାସ୍ଫୋଟ ମାରୁଛି ବିଏମ୍‌ସି।

Advertisment

ସୂଚନାନୁସାରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ୧୪୦୦ କିଲୋମିଟର, ପୂର୍ତ୍ତ ବିଭାଗ ଅଧୀନରେ ୩୬୦ କିଲୋମିଟର, ଇଡ୍‌କୋ ଅଧୀନରେ ୬୫ କିଲୋମିଟର, ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ୩୪.୪ କିଲୋମିଟର ନାଳ ରହିଛି। ନିୟମ ଅନୁସାରେ ସହରରେ ଥିବା ଛୋଟ ‌ଡ୍ରେନ୍‌ଗୁଡ଼ିକୁ ବର୍ଷ ସାରା ବିଭିନ୍ନ ସମୟରେ ସଫା କରିବା କଥା। ଏହାବାଦ୍‌ ଜୁନ୍‌ ମାସ ପହିଲାରେ ମୌସୁମୀ ଆସିବା ପୂର୍ବରୁ ସମସ୍ତ ଛୋଟ, ବଡ଼ ଡ୍ରେନ୍‌ ସମ୍ପୂର୍ଣ୍ଣ ସଫା ହେବା କଥା। କିନ୍ତୁ ଏବର୍ଷ ମଧ୍ୟ ତାହା ହୋଇପାରିନାହିଁ। ସବୁ ବର୍ଷ ପରି ବାହାଘର ବେଳେ ବାଇଗଣ ରୁଆ ନ୍ୟାୟରେ ବିଏମ୍‌ସି ଶେଷ ପର୍ଯ୍ୟାୟରେ ଡ୍ରେନ୍‌ ସଫା କାର୍ଯ୍ୟାଦେଶ ବାଣ୍ଟୁଛି। ଅନ୍ୟପଟେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିବା ବିଏମ୍‌ସି ପାଇଁ କାଳ ସାଜିଛି। ବିଏମ୍‌ସି ନିଜ ଭୁଲ୍‌କୁ ସୁଧାରି ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ୍‌ ସଫା କରିବା ପରିବର୍ତ୍ତେ ‘ରାଜଧାନୀରେ ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ କାର୍ଯ୍ୟ ସମାପ୍ତ ହୋଇଛି’ କହି ବାହାସ୍ଫୋଟ ମାରୁଛି। ହେଲେ ବାସ୍ତବରେ ସ୍ଥିତି କିଛି ଅଲଗା। ୨୦ % ଡ୍ରେନ୍‌ କାମ ବାକିଥିବା ନେଇ ବିଏମ୍‌ସି କହୁଥିବା ବେଳେ ପ୍ରକୃତରେ ରାଜଧାନୀରେ ଥିବା ଡ୍ରେନ୍‌ ଗୁଡ଼ିକ ୨୦% ବି ସଫା ହୋଇନାହିଁ। ଛୋଟ ଡ୍ରେନ୍‌ କାଁ ଭାଁ ସଫା ହେଉଥିବା ବେଳେ ମୁଖ୍ୟ ଡ୍ରେନ୍‌ ଏବେ ବି ପଙ୍କ, ଆବର୍ଜନାରେ ଭର୍ତ୍ତି ହୋଇରହିଛି। ଚଳିତ ବର୍ଷ ଆବଶ୍ୟକଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ଅନୁମାନ କରିଛି। ତେଣୁ ଡ୍ରେନ୍‌ ସଫା ହୋଇନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଏଥର ରାଜଧାନୀ ଜଳାର୍ଣ୍ଣବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। 

ପୂର୍ବରୁ ଜଳସେଚନ ବିଭାଗ ଅଧୀନରେ ରାଜଧାନୀର ୧୦ଟି ମୁଖ୍ୟ ଡ୍ରେନ୍‌ ଥିଲା। ଏହାକୁ କିଏ ସଫା କରିବାକୁ ଟଙ୍କା ଦେବ ସେଥିପାଇଁ ଟଣାଓଟରା ହେଉଥିବାରୁ କୌଣସି ବର୍ଷ ବି ମୌସୁମୀ ପୂର୍ବରୁ ଡ୍ରେନ୍‌ ସଫା ହେଉ ନଥିଲା। ଏହି ଅବ୍ୟବସ୍ଥା ପାଇଁ ବିଏମ୍‌ସି ହାତକୁ ଆସିଥିଲା ମୁଖ୍ୟ ଡ୍ରେନ୍‌। କିନ୍ତୁ ଏବେ ମଧ୍ୟ ବିଏମ୍‌ସି ସଫା କରିପାରୁନାହିଁ।  ବରମୁଣ୍ଡାକୁ ଆସିଥିବା ୭ ନମ୍ବର ଡ୍ରେନ୍‌ ନବୀନ ନିବାସଠାରୁ ପୁରୁଣା ଭୁବନେଶ୍ବର, ରଥରୋଡ୍‌, ସାନିଟାରିୟମ୍‌ ଛକ, କେଦାରଗୌରୀ ପ୍ରମୁଖ ଅଞ୍ଚଳରେ ଆଦୌ ସଫା ହୋଇନାହିଁ। ସୁବର୍ଣ୍ଣ ଜଳେଶ୍ବର ମନ୍ଦିର, ବିନ୍ଦୁସାଗର ନିକଟରେ ସଙ୍କୁଚିତ ହୋଇ ଆବର୍ଜନାରେ ଭର୍ତ୍ତି ହୋଇଛି ଡ୍ରେନ୍‌। ଲକ୍ଷ୍ମୀସାଗର ଦେଇ ଯାଇଥିବା ୫ ନମ୍ବର ଡ୍ରେନ୍‌ ସଫା ହୋଇନାହିଁ। ଲକ୍ଷ୍ମୀସାଗର ଛକ ପାଖରେ କୁଢ଼କୁଢ଼ ଆବର୍ଜନା ଥିବା ଦେଖିବାକୁ ମିଳିଛି। ସେହିପରି ସତ୍ୟନଗର ଶ୍ମଶାନ ଦେଇ ଯାଇଥିବା ଡ୍ରେନ୍‌ ଦୁଇପାଖ ଗଛଲତା ବଢ଼ି ଡ୍ରେନ୍‌କୁ ସଙ୍କୁଚିତ କରିଛି। ଜୟଦେବବିହାର ନିକଟରେ ଯାଇଥିବା ୪ ନମ୍ବର ଡ୍ରେନ୍‌ ମଧ୍ୟ ସଫା ହୋଇନାହିଁ। ସେହିପରି ନୂଆପଲ୍ଲୀ ଦେଇ ଯାଇଥିବା ୧୦ ନମ୍ବର ଡ୍ରେନ୍‌ ସଫା ହୋଇନଥିବା ଜଳଜଳ ଦେଖାଯାଉଛି। କଟକ ରୋଡ୍‌ରେ ଲକ୍ଷ୍ମୀସାଗର ଛକ ପୂର୍ବରୁ ପ୍ରାୟ ଅଧ କିଲୋମିଟର ଗୋଟିଏ ପାଖ ଡ୍ରେନ୍‌ ସଫା ହୋଇଛି। କଟକ ରୋଡ ସାମାନ୍ୟ ବର୍ଷା ହେଲେ ପାଣି ଜମୁଥିବା ବେଳେ କଳ୍ପନାରୁ ରସୁଲଗଡ଼ ପର୍ଯ୍ୟନ୍ତ ଆଉ କେଉଁଠି ଡ୍ରେନ୍‌ ସଫା ହୋଇନାହିଁ। ‌ଠିକ୍‌ ସେମିତି ରବିଟକିଜ୍‌ରୁ ସାଇମନ୍ଦିର ଛକ, ଜୟଦେବବିହାରୁ ନନ୍ଦନକାନନ ରାସ୍ତା, ପୋଖରୀପୁଟରୁ ଖଣ୍ଡଗିରି ପ୍ରମୁଖ ମୁଖ୍ୟରାସ୍ତା ମଧ୍ୟ ସଫାହୋଇନାହିଁ। ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ବର ଓ ମଧ୍ୟ ଭୁବନେଶ୍ବର ଅଞ୍ଚଳରେ ଛୋଟ ଡ୍ରେନ୍‌ ସଫା ଆରମ୍ଭ ହୋଇନି। ସେହିପରି ସହର ମଝିରେ ଥିବା ଏନ୍‌ଏଚ୍‌ଏଆଇ ଡ୍ରେନ୍‌ ମଧ୍ୟ ସଫା ହୋଇନାହିଁ।  ଆସନ୍ତା ୨୦ ଦିନ ଭିତରେ ସମସ୍ତ ଡ୍ରେନ୍‌ ସଫା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତେବେ ଭୁଲ୍‌ ତଥ୍ୟ ଦେଇ ବାହାସ୍ଫୋଟ ମାରୁଥିବା ଅଧିକାରୀ କେମିତି ସମ୍ପୂର୍ଣ୍ଣ ଡ୍ରେନ୍‌ ସଫା କରିବେ ତା’ ଉପରେ ସମସ୍ତଙ୍କ ନଜର।