ଜଟଣୀ: ଜଟଣୀ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ଜବରଦଖଲ ହୋଇଛି। ଡ୍ରେନ୍ ଉପରେ କିଏ ଦୋକାନ ଘର କରିଛି ତ ଆଉ କିଏ ପାଚେରି ଓ ବାସଗୃହ ମଧ୍ୟ ନିର୍ମାଣ କରିଛନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ଉଚ୍ଛେଦ ପରେ ମଧ୍ୟ ଜୋର୍ ଜବରଦସ୍ତି ପୁଣି ଜବରଦଖଲ କରୁଛନ୍ତି। ଫଳରେ ଡ୍ରେନ୍‌ଗୁଡ଼ିକ ସଫା ହୋଇପାରୁନି। ଯେଉଁଥିପାଇଁ ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନାରେ ଡ୍ରେନ୍ ଜାମ୍ ହୋଇଯାଇଛି। ବିଶେଷ କରି ବର୍ଷା ହେବା କାରଣରୁ ନର୍ଦ୍ଦମା ପାଣିରେ ଅଞ୍ଚଳରେ ଉବୁଟୁବୁ ହେଉଛି। ଅନ୍ୟପଟେ ପୌରପାଳିକା ପକ୍ଷରୁ ଜବରଦଖଲକାରୀଙ୍କ ଉପରେ ସେଭଳି କିଛି କଡ଼ା ଆଭିମୁଖ୍ୟ ନିଆଯାଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି।

Advertisment

ପୌରାଞ୍ଚଳର ୨୩ଟି ୱାର୍ଡରେ ଥ‌ିବା ଡ୍ରେନ୍‌ର ରକ୍ଷଣାବେକ୍ଷଣ ହେଉନାହିଁ। ଅଧିକାଂଶ ସ୍ଥାନରେ ଡ୍ରେନ୍‌ର ଚିହ୍ନବର୍ଣ୍ଣ ନାହିଁ। କେଉଁଠି ଡ୍ରେନ୍ ପୋତି ହୋଇଗଲାଣି ତ କେଉଁଠି ରାସ୍ତା କଡ଼ର ଡ୍ରେନ୍ ଉପରେ ସ୍ଲାବ୍‌ ପକାଇ ଦୋକାନଗୃହ ନିର୍ମାଣ କରାଯାଇଛି। ଫଳରେ ବର୍ଷାଜଳ ଡ୍ରେନ୍‌ରେ ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ପ୍ରବାହିତ ହେବା ଯୋଗୁ ଯାତାୟାତରେ ବାଧା ଉପୁଜୁଛି। ବିଶେଷ କରି ସହରର ମୁଖ୍ୟ ରାସ୍ତା ବ୍ଲକ୍‌ ଛକଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଥ‌ିବା ଡ୍ରେନ୍‌ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।

ଡ୍ରେନ୍ ସଫେଇ ପାଇଁ ପୌରପାଳିକା ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ସ୍ଥାନୀୟ ବାସିନ୍ଦା ରବୀନ୍ଦ୍ର ସାହୁ କହିଛନ୍ତି ଯେ, ଡ୍ରେନ୍ ସଫେଇ କାର୍ଯ୍ୟ ଠିକ୍‌ ଭାବେ ନହେବା ଫଳରେ ବର୍ଷା ହେଲେ ଡ୍ରେନ୍‌ର ଅଳିଆ ଆବର୍ଜନା ଭାସି ଆସି ହରିଭାଇନା ଛକଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ଜମା ହେଉଛି। ପ୍ରଶାସନ ଡ୍ରେନ୍ ଉପରେ ଜବରଦଖଲକାରୀଙ୍କୁ ତୁରନ୍ତ ହଟାଇବା ଉଚିତ ବୋଲି କହିଛନ୍ତି। ଏ ସମ୍ପର୍କରେ ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ ପୌରପାଳିକା ଅଧୀନସ୍ଥ ସମସ୍ତ ଡ୍ରେନ୍‌ର ସଫେଇ କାର୍ଯ୍ୟ ବର୍ଷାଦିନ ପୂର୍ବରୁ ସରିବ। ସୀତାରାମ ଛକରେ ଲାଗିରହିଥିବା ଡ୍ରେନ୍‌ ସମସ୍ୟାର ସମାଧାନ କରାଯିବା ସହ ଡ୍ରେନ୍‌ ଭଙ୍ଗାଯାଇ ନୂତନ ଡ୍ରେନ୍‌ ନିର୍ମାଣ କରାଯିବ।