ଡ୍ରେନ୍‌ ସମ୍ପ୍ରସାରଣ ବାଟ ଫିଟିଲା: ବିଏମ୍‌ସି ନେବ ୧୪ଏକର ଜମି; ଖର୍ଚ୍ଚ ହେବ ୨୨୪କୋଟି

୨୯ଟି ମୌଜାରେ ୧୯୪ଟି ଜମିରୁ ଅଧିଗ୍ରହଣ ହେବ

ଆଜିଠୁ ଆରମ୍ଭ ହେବ ଅଧିଗ୍ରହଣ ପ୍ରକ୍ରିୟା, ଦୁଇ ପର୍ଯ୍ୟାୟରେ ସରିବ
ଫେବ୍ରୁଆରି ସୁଦ୍ଧା ସରିବ ଜମି ଅଧିଗ୍ରହଣ ପ୍ରକ୍ରିୟା

ଭୁବନେଶ୍ୱର : ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ସାଙ୍ଗକୁ କେତେକ ଡ୍ରେନ୍‌ରୁ ଜବରଦଖଲ ଉଚ୍ଛେଦର ଆବଶ୍ୟକତା ଅଛି। ଏଥିପାଇଁ ବିଏମ୍‌ସି ତିନି ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ସଫଳ ହେଉନଥିଲା। ବିଭିନ୍ନ କାରଣରୁ ଅଟକିଯାଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଏବେ ଆରମ୍ଭ ହେବାକୁ ଯାଉଛି। ବିଏମ୍‌ସି ପକ୍ଷରୁ ଶୁକ୍ରବାରଠାରୁ ଡ୍ରେନ୍ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଦୁଇ ଦିନ ହେଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲାସ୍ତରୀୟ କମିଟି ବୈଠକରେ ଏହା ଉପରେ ଚୂଡ଼ାନ୍ତ ମୋହର ବାଜିଛି।

ବିଏମ୍‌ସିର ଯୋଜନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍‌, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ହେବ। ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪ଏକର ଜମି ଅଧିଗ୍ରହଣ ହେବ। ବିଏମ୍‌ସିର ଜମି ଅଧିଗ୍ରହଣ ଅଧିକାରୀ କମଲଜିତ୍ ଦାସଙ୍କ ସୂଚନା‌ ଅନୁଯାୟୀ, ବିଏମ୍‌ସି କମିସନର ସଂଜୟ ସିଂହଙ୍କ ଉଦ୍ୟମ କ୍ରମେ ରାଜଧାନୀର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି। କେଉଁଥିପାଇଁ ଜଳବନ୍ଦୀ ସମସ୍ୟା ହେଉଛି, କାହିଁକି ଜଳ ନିଷ୍କାସନ ହୋଇପାରୁନି ସେନେଇ ପୁଙ୍ଖାନୁପୁଙ୍ଖ ସର୍ଭେ ହେବା ପରେ ଏବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପ୍ରକ୍ରିୟା ନଭେମ୍ବର ୧୫ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ୧୩ଟି ରାଜସ୍ବ ଗ୍ରାମରେ ୮୩ଟି ଜମିରୁ ପ୍ରାୟ ୭ଏକର ଜମି ଅଧିଗ୍ରହଣ ହେବ। ଏଥିପାଇଁ ୧୧୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଏଥିରେ ମୁଖ୍ୟତଃ ଲକ୍ଷ୍ମୀସାଗର, ଖଣ୍ଡଗିରି, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡ୍ରେନ୍‌ ପାଇଁ ଜମି ଅଧିଗ୍ରହଣ ହେବ। ଏଥିପାଇଁ ବିଏମ୍‌ସି ନିକଟରେ ଏବେ ୧୧୦କୋଟି ଟଙ୍କା ଥିବାରୁ ଲୋକଙ୍କୁ ତୁରନ୍ତ ଅର୍ଥ ଦିଆଯିବ। ଜମି ଅଧିଗ୍ରହଣ ସରିଲେ ଡ୍ରେନେଜ୍ ଡିଭିଜନ୍ ପକ୍ଷରୁ କାମ ଆରମ୍ଭ ହେବ।

ଏହାପରେ ଦ୍ବିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ହେବ। ଏଥିରେ ମୁଖ୍ୟତଃ ଜାଗମରା, ବରଗଡ଼, ରସୁଲଗଡ଼, ଫରେଷ୍ଟ ପାର୍କ, ଜୟଦେବ ବିହାର ଅଞ୍ଚଳରେ ଜମି ଅଧିଗ୍ରହଣ ହେବ। ମୋଟ୍ ୧୬ଟି ରାଜସ୍ବ ଗ୍ରାମ ବା ମୌଜାରେ ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ମୋଟ୍ ୧୧୧ଟି ଜମିରୁ ୭ଏକର ଜମି ଅଧିଗ୍ରହଣ ହେବ। ଏଥିପାଇଁ ପ୍ରାୟ ୧୦୬କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି।

ଡ୍ରେନ୍‌ର ଜଳ ଧାରଣ କ୍ଷମତା ଏବଂ ପାଣିର ଗତି କେଉଁଠି କିପରି ରହୁଛି ତାହାକୁ ନଜର‌ରେ ରଖି ଉକ୍ତ ଅଞ୍ଚଳରେ ସେହିପରି ଡ୍ରେନ୍ ନିର୍ମାଣ ହେବ। ତେଣୁ କେଉଁଠି ୬ଫୁଟ ତ କେଉଁଠି ୩୦ଫୁଟ ପର୍ଯ୍ୟନ୍ତ ଡ୍ରେନ୍‌ର ଓସାର ରହିବ। ଯେଉଁଠି ଯେତିକି ଜମି ଆବଶ୍ୟକ ଅଛି ସେଠାରେ ସେତିକି ଜମି ଅଧିଗ୍ରହଣ ହେବ।

ଏହାବାଦ୍ ଡ୍ରେନ୍ ଉପରେ ଏବେ ୧୭୩ଟି ସ୍ଥାନରେ ଜବରଦଖଲଥିବା ସର୍ଭେରୁ ଜଣାପଡ଼ିଛି। ପ୍ରତିଦିନ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜୋନାଲ ଡେପୁଟି କମିସନରମାନଙ୍କୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଜେଡ୍‌ଡିସିମାନେ ନିୟମିତ ଉଚ୍ଛେଦ କରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରିବାକୁ କୁହାଯାଇଛି। ଡ୍ରେନ୍‌ ଉପରେ କୌଣସି ପରିସ୍ଥିତିରେ ବି ଯେପରି ଜବରଦଖଲ ରହିବନି ସେନେଇ ଜେଡ୍‌ଡିସିମାନେ ପଦକ୍ଷେପ ନେବାକୁ ବିଏମ୍‌ସି କମିସନର ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ପୂର୍ବରୁ ବିଏମ୍‌ସି ମୁଖ୍ୟ ଡ୍ରେନ୍ ପାଇଁ ଜମି ଅଧିଗ୍ରହଣ ଏବଂ ଡ୍ରେନ୍ ନିର୍ମାଣ ପାଇଁ ଯେଉଁ ହଜାରେ କୋଟିର ଯୋଜନା କରିଥିଲା ସେଥିରେ କିଛି ପରିବର୍ତ୍ତନ ହୋଇଛି। ପୂର୍ବରୁ ୧୧ଟି ମୁଖ୍ୟ ଡ୍ରେନ୍‌ (୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୨ଟି ଶାଖା ଡ୍ରେନ୍‌କୁ ମିଶାଇ ଗୋଟିଏ ଡ୍ରେନ୍‌)ର ପୁନରୁଦ୍ଧାର ପାଇଁ ୩୦୬କୋଟି ୫୪ଲକ୍ଷ, ୬୦ଏକର ଜମି ଅଧିଗ୍ରହଣ ପାଇଁ ୬୨୦କୋଟି ୯୫ଲକ୍ଷ ୭୦ହଜାର, ୧୯୭ଟି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍ ନିର୍ମାଣ ଓ ମରାମତି ପାଇଁ ୭୨କୋଟି ୫୦ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଜମି ଅଧିଗ୍ରହଣ ଓ ଡ୍ରେନ୍ ନିର୍ମାଣ ପାଇଁ ଠିକ୍ ସମୟରେ ଅର୍ଥ ନମିଳିବାରୁ ଏହାକୁ ବଦଳାଯାଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେ ମୁଖ୍ୟତଃ ମୁଖ୍ୟ ଡ୍ରେନ୍‌ରେ ଯେଉଁଠି ଜଳ ନିଷ୍କାସନ ସମସ୍ୟା ଅଛି, ଛୋଟ ଡ୍ରେନ୍ ମୁଖ୍ୟ ଡ୍ରେନ୍‌କୁ ମିଶିପାରିନି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ନୂଆ ଡ୍ରେନ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ଏବେ ନିଷ୍ପତ୍ତି ନେଇଛୁ। ତେଣୁ ପୂର୍ବ ଯୋଜନାରେ କିଛି ପରିବର୍ତ୍ତନ ହୋଇଛି।

ସମ୍ବନ୍ଧିତ ଖବର