ପୁରୁଣା ଭୁବନେଶ୍ବର: ବର୍ଷା ଦିନ ଆସିବା ପରେ ଡ୍ରେନ୍ ସଫା ହେଲା। କେଉଁଠୁ ଅଳିଆ କଢ଼ା ହେଲା, ଆଉ କେଉଁଠି ଘୋଡ଼ଣୀ ତଳେ ଘୋଡ଼େଇ ହୋଇ ରହିଗଲା। ହେଲେ ଯେଉଁ କେତୋଟି ସ୍ଥାନରୁ ଅଳିଆ ସଫା ହେଲା, ତାକୁ ସେଇଠାରେ ହିଁ ଗଦା କରି ଦିଆଗଲା। ଫଳରେ ସାମାନ୍ୟ ବର୍ଷାରେ ଅଳିଆ ପୁଣି ଡ୍ରେନ୍ ଭିତରେ ପଶୁଛି। ଏ ଚିତ୍ର ଏବେ ରାଜଧାନୀର ଗଳିକନ୍ଦିରେ ଦେଖିବାକୁ ମିଳୁଛି। ତେବେ ଏ ସଂପର୍କରେ ପୁରୁଣା ଭୁବନେଶ୍ବର ଶୀତଳ ଷଷ୍ଠୀ ଲେନ୍ରେ ରହୁଥିବା ଜଣେ ଯୁବକ ସିମ୍ପୁଲ୍ ନାୟକ ସ୍ବର ଉଠାଇଛନ୍ତି। ସେ ବିଏମ୍ସି କମିସନରଙ୍କୁ ଟ୍ବିଟ୍ କରି ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।
ସେ ଲେଖିଛନ୍ତି, ଡ୍ରେନ୍ ସଫା ହେଉଛି, ଏହା ସ୍ୱାଗତଯୋଗ୍ୟ। ହେଲେ ଦୀର୍ଘ ଦିନ ଧରି ରାସ୍ତା ଉପରେ ବର୍ଜ୍ୟବସ୍ତୁ ପଡ଼ି ରହିବା ଫଳରେ ସାଧାରଣ ଲୋକ ଦୁର୍ଗନ୍ଧରେ ହନ୍ତସନ୍ତ ହେଉଛନ୍ତି। ପୁରୁଣା ଭୁବନେଶ୍ବରର କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ସହରର ବିଭିନ୍ନ ସ୍ଥାନରେ ସାମନ ଦୃଶ୍ୟ ଦେଖିବାକୁ ମିଳୁଛି। ଡ୍ରେନ୍ ଭଲ ଭାବେ ସଫା କରିବା ଏବଂ ସଫା ସରିବା ପରେ ତୁରନ୍ତ ଅଳିଆକୁ ଉଠାଇ ନେବାକୁ ସେ ବିଏମ୍ସିକୁ ନିବେଦନ କରିଛନ୍ତି।