ପୁରୁଣା ଭୁବନେଶ୍ୱର : ପିଏଚ୍ଡିର ନିୟମ ଅନୁସାରେ କୌଣସି ପିଏଚ୍ଡି ଲାଇନ୍ ସହ ଡ୍ରେନ୍ ସାମାନ୍ୟତମ ସଂଯୋଗ ରହିବ ନାହିଁ। ଡ୍ରେନ୍ ନିକଟରେ ଯାଇଥିବା ସବୁ ଛୋଟ ବଡ଼ ପିଏଚ୍ଡି ଲାଇନ୍ ମୋଡ଼ ବଦଳାଇ ଅନ୍ୟତ୍ର ନିଆଯିବ। ଡ୍ରେନ୍ ତଳେ ଥିବା ପିଏଚ୍ଡି ପାଇପ୍ ଲାଇନ୍କୁ ମଧ୍ୟ କଟା ଯାଇ ଉପର ପଟେ ନେବାର ବ୍ୟବସ୍ଥା ହେବ। ଏନେଇ ଗତ ଦୁଇ ବର୍ଷ ହେଲା ପିଏଚ୍ଡି ପକ୍ଷରୁ ସବୁ ଗଳିକନ୍ଦି ତର୍ଜମା କରାଯିବା ସହ ପାଇପ୍ ଲାଇନ୍ଗୁଡ଼ିକ କଟା ଯାଇଥିଲା। ତେବେ ସ୍ଥାନୀୟ ସାମନ୍ତରାପୁର ଛକଠାରେ ଆର୍ଏଣ୍ଡ୍ବି ପକ୍ଷରୁ ଚାଲିଥିବା ଡ୍ରେନ୍ କାମରେ ସବୁ ନିୟମକୁ ଅଣଦେଖା କରାଯାଇଛି। ପିଏଚ୍ଡି ଲାଇନ୍ ଉପରେ ଡ୍ରେନ୍ କାମ ଚାଲିଛି। ତଥାପି ଏ ସମ୍ପର୍କିତ ସମସ୍ତ ବିଭାଗ ସବୁ ଦେଖି ଯେମିତି ଆଖି ବନ୍ଦ କରିଦେଇଛନ୍ତି।
ଆଜି ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ ଆଣିବା ପରେ ଘଟଣାଟି ପଦାକୁ ଆସିଛି। ପ୍ରକାଶଯୋଗ୍ୟ ଯେ, ସ୍ଥାନୀୟ ଭୁଆସୁଣୀ ପିଏଚ୍ଡି ଟ୍ରିଟ୍ମେଣ୍ଟ୍ ପ୍ଲାନ୍ରୁ ଶ୍ରୀରାମ ନଗର ଅଞ୍ଚଳ ଓ ଆଖପାଖ ୧୦ହଜାର ପରିବାରଙ୍କୁ ଜଳ ଯୋଗାଣ ପାଇଁ ଏହି ପାଇପ୍ ଲାଇନ୍ ବିଛାଯାଇଛି। ତେବେ ସାମନ୍ତରାପୁର ଛକ ଉପରେ ଏବେ ଆର୍ଏଣ୍ଡ୍ବି ବିଭାଗ ପକ୍ଷରୁ ମୁଖ୍ୟ ଡ୍ରେନ୍ ତିଆରି କାମ ଚାଲିଛି। ସେଇଟା ପୁଣି ପିଏଚ୍ଡି ପାଣି ଲାଇନ୍ ଉପରେ। ଏଭଳି ସ୍ଥିତିରେ ଯଦି ଡ୍ରେନ୍ ତଳେ ଥିବା ପାଇପ୍ ଲାଇନ୍ରେ କୌଣସି ଛିଦ୍ର ହୁଏ ତେବେ ଡ୍ରେନ୍ ପାଣି ପାଇପ୍ ଯୋଗେ ସିଧା ଯାଇ ଘରେ ଘରେ ବାହାରିବ। ଫଳରେ ୧୦ହଜାରରୁ ଊର୍ଧ୍ୱ ପରିବାର ଜଣ୍ଡିସ୍ ଭଳି ମାରାତ୍ମକ ଜଳବାହିତ ରୋଗର ଶିକାର ହେବେ। ତେବେ ଏହି ଡ୍ରେନ୍ ତିଆରି ପାଇଁ ଆର୍ଏଣ୍ଡ୍ବିର କୌଣସି ଅଧିକାରୀ କିମ୍ବା ପିଏଚ୍ଡିର କୌଣସି ଅଧିକାରୀ ତର୍ଜମା ନକରି ଡ୍ରେନ୍ ପାଇଁ ମଞ୍ଜୁରି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିିଛନ୍ତି।
ଆଜି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ବିଏମ୍ସି କମିସନର୍ଙ୍କୁ ଏନେଇ ଅଭିଯୋଗ କରାଯାଇଛି। ଦୁଇ ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ବେଆଇନ୍ ଡ୍ରେନ୍ କାମ ଚାଲିଛି ବୋଲି ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ପ୍ରକାଶ କରିଛନ୍ତି। ସବୁ ନିୟମକୁ ଜଳାଞ୍ଜଳି ଦେଇ ଠିକାଦାରଙ୍କୁ ସୁହାଇବା ପରି କାମ କରାଯାଉଛି। ଦୀର୍ଘ ୧୫ଦିନ ହେଲା ଏଠାରେ ଡ୍ରେନ୍ କାମ ଯୋଗୁଁ ମୁଖ୍ୟ ରାସ୍ତା ବନ୍ଦ କରାଯାଇ କାମ ଚାଲୁଥିବା ବେଳେ କୌଣସି ଅଧିକାରୀ ଦେଖିବାକୁ ଆସୁ ନାହାନ୍ତି। ଏନେଇ ପିଏଚ୍ଡି ଡିଭିଜନ୍ ୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦେବସୁନ୍ଦର ମହାପାତ୍ରଙ୍କୁ ପଚାରିବାରୁ ଏହି ସମସ୍ୟା ସମ୍ପର୍କରେ ସେ ଆଜି ହିଁ ସୂଚନା ପାଇଥିବା ନେଇ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆର୍ଏଣ୍ଡ୍ବି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଏସ୍ଡିଓଙ୍କୁ ଯୋଗାଯୋଗ କରାଯିବାରୁ ସେମାନେ ଏହି ଘଟଣା ସମ୍ପର୍କରେ ଜାଣି ନଥିବା କହି କଥାକୁ ଏଡ଼ାଇ ଯାଇଛନ୍ତି। ଅନ୍ୟ ପକ୍ଷରେ ଏହି ଡ୍ରେନ୍ ନିର୍ମାଣ ରୋକା ଯିବା ସହ ଯଥାଶୀଘ୍ର ସମସ୍ୟାର ସମାଧାନ କରା ନଗଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଞ୍ଚର ସଭାପତି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି।
ଯୋଗାଣ ପାଇପରୁ ବାହରୁଛି ଡ୍ରେନ୍ ପାଣି
ପୁରୁଣା ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଗୋବିନ୍ଦେଶ୍ୱର ରୋଡ୍ରେ ପିଏଚ୍ଡି ପାଇପ୍ ଲାଇନ୍ରେ ଡ୍ରେନ୍ ପାଣି ବାହାରୁଛି। ସେଠାରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ୧୦ରୁ ଊର୍ଧ୍ୱ ପରିବାର ବୋତଲରେ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି। ସେଠାରେ ରହୁଥିବା ଶରତ ପଣ୍ଡା, ହାପି ମହାପାତ୍ର, ଶରତ ଚନ୍ଦ୍ର ମୁଦ୍ରା, ବିଜିରାମ ପଣ୍ଡା ଆଦି ଅନେକ ପରିବାରଙ୍କ ପିଏଚ୍ଡି ଲାଇନ୍ରୁ ଡ୍ରେନ୍ ପାଣି ବାହାରୁଛି। ଏହି ପାଣିରେ କୋଲିଫର୍ମ ଜୀବାଣୁ ବାହାରିଥିବା ଅଭିଯୋଗ ପରେ ପିଏଚ୍ଡି କାର୍ଯ୍ୟାଳୟକୁ ପାଣିର ନମୁନା ପଠାଯାଇଛି। ସେଠାରେ ଶତାଧିକ ଲୋକ ଗାଧୋଇବା, ଲୁଗା ସଫା କରିବା ପାଇଁ ମଧ୍ୟ ପିଏଚ୍ଡି ପାଣିକୁ ବ୍ୟବହାର କରୁ ନାହାନ୍ତି। ଏହି ଅଞ୍ଚଳରେ ଯାଇଥିବା ପୁରୁଣା ପାଇପ୍ ଲାଇନ୍ରେ ଡ୍ରେନ୍ ସଂଯୋଗ ରହିଥିବାରୁ ଏଠାରେ ପାଇପ୍ରେ ଡ୍ରେନ୍ ପାଣି ବାହାରୁଛି। ତେବେ ନୂଆ ପାଇପ୍ ବିଚ୍ଛା ଯାଇଥିଲେ ମଧ୍ୟ ପୁରୁଣା ପାଇପ୍ ବନ୍ଦ ହେବା ନେଇ ପିଏଚ୍ଡି ପକ୍ଷରୁ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଏହାକୁ ବନ୍ଦ କରିନାହିଁ। ସେହିପରି ଗତ ମାର୍ଚ ମାସ ପ୍ରଥମ ସପ୍ତାହରେ ଭୀମଟାଙ୍ଗୀ ଫେଜ୍-୨ରେ ମଙ୍ଗଳା ମନ୍ଦିର ନିକଟରେ ୪ ପରିବାରଙ୍କ ପାଣି ପାଇପ୍ରେ ମଇଳା ବାହାରୁଥିବା ଅଭିଯୋଗ ହୋଇଥିଲା। ତେବେ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପାଣିକୁ ପରୀକ୍ଷା କରି ସେଠାରେ ୪ଜଣକଙ୍କ ପରିବାରରେ କୋଲିଫର୍ମ ଜିବାଣୁ ବାହାରିଥିବା ସେତେବେଳେ ପିଏଚ୍ଡି ପକ୍ଷରୁ ସ୍ୱିକାର କରାଯାଇଥିଲା। ସ୍ଥାନୀୟ ଅଧିବାସୀ ଶରତ ଚନ୍ଦ୍ର ପଣ୍ଡା କୁହନ୍ତି ପିଏଚ୍ଡି ପାଣି ଲାଇନ୍ରେ ଡ୍ରେନ୍ ପାଣି ଆସୁଛି। ପାଣିକୁ ବ୍ୟବହାର କରିପାରୁ ନାହୁଁ। ବିଭାଗ ପକ୍ଷରୁ ନୂଆ ଲାଇନ୍ ନେବା ପାଇଁ କହୁଛନ୍ତି। ଏନେଇ ଏସ୍ଡିଓ ନୃସିଂହ ଚରଣ ସାହୁ କୁହନ୍ତି ସେଠାରେ ନୂଆ ଲାଇନ୍ ବିଛା ଯାଇଛି। ତେବେ କିଛି ଲୋକ ପୁରୁଣା ପାଇପ୍ ଲାଇନ୍ରେ ପାଣି ନେଉଥିବାରୁ ଏହି ସମସ୍ୟା ଦେଖା ଦେଇଛି। ସେଠାରେ ଲୋକଙ୍କ ପାଣି ଲାଇନ୍ ବଦଲାଯିବା ପାଇଁ କୁହାଯାଇଛି।