ଭୁବନେଶ୍ୱର: ରାଜଧାନୀର ସୌନ୍ଦର୍ଯ୍ୟ ରକ୍ଷା ସହିତ ବଢ଼ୁଥିବା ମଶା ଉତ୍ପାତକୁ କମାଇବା ପାଇଁ ବିଏମ୍ସି ସଫେଇ ଅଭିଯାନକୁ ତ୍ବରାନିତ୍ବ କରିବା କଥା କହୁଛି। ଏଥିପାଇଁ ମାଳ ମାଳ ଯୋଜନା ହୋଇଛି ଓ ହେଉଛି। କିନ୍ତୁ ଅନେକ ପୁରୁଣା ସମସ୍ୟା ଅପରିବର୍ତିତ ରହିଛି। ମଧୂସୂଦନ ନଗର ଅଞ୍ଚଳ ଏହାର ଗୋଟିଏ ଉଦାହରଣ। ମଧୂସୂଦନ ନଗର ଅଞ୍ଚଳରେ ଏକାଧିକ ସ୍ଥାନରେ ଡ୍ରେନ ଉପରେ ପରିତ୍ୟକ୍ତ କ୍ୟାବିନ ପଡ଼ି ରହିଛି। ପୁଣି ଡ୍ରେନଗୁଡ଼ିକ ମୁକୁଳା ପଡ଼ିବା ସହିତ ସେଥିରେ ଆବର୍ଜନା ଓ ଅନାବନା ଗଛ ଭର୍ତ୍ତି ହୋଇଛି। ଫଳରେ ଦିନବେଳେ ବି ଅଞ୍ଚଳବାସୀ ମଶାଙ୍କ ଉତ୍ପାତରେ ଘାଇଲା ହେଉଛନ୍ତି। ଏହି ଅଞ୍ଚଳରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମନ୍ଦିର ଓ ପାର୍କ ଆଦି ରହିଛି।
ପ୍ରତିଦିନ ଶହ ଶହ ଲୋକ ଓ ଛାତ୍ରଛାତ୍ରୀ ରାସ୍ତାରେ ଯା’ଆସ କରୁଛନ୍ତି। ତଥାପି ଡ୍ରେନ ମୁକୁଳା ପଡ଼ିଛି। ନିକଟ ଅତୀତରେ ମୁକୁଳା ଡ୍ରେନ ଯୋଗୁଁ ଖାରବେଳ ନଗର ଅଞ୍ଚଳରେ ଗୋଟିଏ ୯ ବର୍ଷ ବାଳକର ଜୀବନ ଯାଇଥିଲା। ସେ ଘଟଣା ପରେ ବିଏମ୍ସି ପକ୍ଷରୁ ସବୁସ୍ଥାନରେ ଡ୍ରେନ୍ରେ ସ୍ଲାବ ପକାଇବାକୁ ଘୋଷଣା କରାଯାଇଥିଲା। ସେହି ଅବସରରେ କିଛି ଅଧିକାରୀ ଏହି ଅଞ୍ଚଳକୁ ଆସି ସ୍ଥିତିକୁ ଯାଞ୍ଚ ମଧ୍ୟ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଡ୍ରେନ୍ରେ ସ୍ଲାବ୍ ପଡ଼ି ପାରିନାହିଁ। ପୁଣି ଆବର୍ଜନା ଯୋଗୁଁ ଡ୍ରେନପାଣି ନିଷ୍କାସନ ହେଉନଥିବାରୁ ବର୍ଷା ହେବା ମାତ୍ରେ ଏହି ଅଞ୍ଚଳରେ ପାଣିର ସୁଅ ଛୁଟିବା ସହିତ ଲୋକଙ୍କ ଘରେ ପାଣି ମଧ୍ୟ ପଶୁଛି। ଡ୍ରେନରେ ପାଣି ଜମି ରହୁଥିବାରୁ ଅଞ୍ଚଳରେ ଡେଙ୍ଗୁର ଭୟ ମଧ୍ୟ ରହୁଛି।