ନାଳ ଥାଇ ପାଣି ନିଷ୍କାସନ ହେଉନି, ବର୍ଷା ହେଲେ ଘରେ ପଶିଯାଉଛି

ଭୁବନେଶ୍ବର: ନାଳ ଅଛି, କିନ୍ତୁ ସଫା ହେଉନାହିଁ। ବର୍ଷା ଜଳ ଜମିଲେ ନିଷ୍କାସନ ପାଇଁ ବାଟ ରଖାଯାଇନାହିଁ। ଫଳରେ ବର୍ଷା ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି‌ଘେରରେ ଫସି ରହୁଛନ୍ତି ଜାଗମରା ମୁଖ୍ୟ ରାସ୍ତା ସଂଲଗ୍ନ ବାସିନ୍ଦା। ଖଣ୍ଡଗିରିରୁ ଜାଗମରାକୁ ଯାଇଥିବା ମୁଖ୍ୟ ରାସ୍ତାର ଦକ୍ଷିଣ ପାର୍ଶ୍ବ ନାଳ ପୋତି ହୋଇଯାଇଥିବାରୁ ସାମାନ୍ୟ ବର୍ଷା ହେଲେ ସ୍ଥାନୀୟ ବାସିନ୍ଦା ଓ ଏହି ବାଟ ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଦହଗଞ୍ଜ ହେଉଛନ୍ତି। ଖାଲି ସେତିକି ନୁହେଁ, ଏହି ରାସ୍ତାରେ ଥିବା ପୁରୁଣା କାଳିଆ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ବର୍ଷେ କି ଦୁଇ ବର୍ଷ ନୁ‌ହେଁ, ଦୀର୍ଘ ବର୍ଷ ହେଲା ଏଭଳି ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା।

ବାସ୍ତବ କଥା ହେଉଛି, ଦୀର୍ଘ ବର୍ଷ ଧରି ଦକ୍ଷିଣ ପାର୍ଶ୍ବ ନାଳଟି ପୋତି ହୋଇଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅନୁରୋଧ ପରେ ପ୍ରଶାସନ ପକ୍ଷରୁ ଗତବର୍ଷ ନାଳ ଖୋଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ଖୋଳାଗଲା ମଧ୍ୟ। ମାତ୍ର ସ୍ଥାନେ ସ୍ଥାନେ ଖୋଳିଦେଇ ମାଟି କାଢ଼ି ଦେଇ ଢାଙ୍କୁଣି ଢାଙ୍କି ଦିଆଗଲା। ଫଳରେ କିଛିଦିନ ପାଣି ନିଷ୍କାସନ ସ୍ବାଭାବିକ ହେବା ପରେ ପୁଣି ଚୋକ୍‌ ହୋଇଯାଇଛି। ମଇଳା ପାଣି ନିଷ୍କାସନ ବେଳେ ଯଦିଓ ଏତେ ସମସ୍ୟା ହେଉନାହିଁ, କିନ୍ତୁ ଟିକେ ବର୍ଷା ହେଲେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ବର୍ଷା ଜଳ ନିଷ୍କାସନ ହୋଇ ନପାରି ମୁଖ୍ୟ ରାସ୍ତା ଉପରେ ଦୀର୍ଘ ସମୟ ଧରି ଜମି ରହୁଛି। ମୁଖ୍ୟ ରାସ୍ତାକଡ଼ରେ ଅନେକ ପୁରୁଣା ଘର ଓ ଦୋକାନ ଘର ରହିଛି। ରାସ୍ତାଗୁଡ଼ିକ ସମୟକ୍ରମେ ଉଚ୍ଚା ହୋଇଯାଇଥିବାରୁ ଘରଗୁଡ଼ିକ ନୀଚ୍ଚା ହୋଇଯିବା ହିଁ ସମସ୍ୟା ସୃଷ୍ଟି କରୁଛି। ରାସ୍ତାଠୁ ତଳେ ଥିବାରୁ ବର୍ଷା ଜଳ ନାଳ ଉପରେ ଅତିକ୍ରମ କରି ସେମାନଙ୍କ ଘରେ ପଶୁଛି।

ଜାଗମରା ବାସିନ୍ଦା ଅକ୍ଷୟ ପାତ୍ର କହିଛନ୍ତି, ଜାଗମରା ଦୁଇଟି ଡିଭିଜନ୍‌ ଅଧୀନରେ ରହିଛି। ନାଳ ପରିଷ୍କାର ବେଳେ ଉଭୟ ଡିଭିଜନ୍‌ ମଧ୍ୟରେ ତାଳମେଳ ରହୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ନାଳ ଯଦିଓ ଖୋଳା ଯାଇଥିଲା, କିନ୍ତୁ ଏହା କେବଳ ଲୋକଦେଖାଣିଆ ଥିଲା। ଏବେ ବି ନାଳ ମଧ୍ୟରେ ବହୁ ସ୍ଥାନ ଚୋକ୍‌ ହୋଇ ରହିଛି। ଏଣେ ରାସ୍ତାରୁ ନାଳ ମଧ୍ୟକୁ ପାଣି ଗଡ଼ିବା ପାଇଁ କୌଣସି ବାଟ ନାହିଁ। ତେଣୁ ନାଳ ଉପରେ ପାଣି ଚାଲୁଥିବାରୁ ପାଣି ଘର ମଧ୍ୟକୁ ପଶିଯାଉଛି। ଅନ୍ୟତମ ବାସିନ୍ଦା ଅରୁଣ ପ୍ରଧାନ କହିଛନ୍ତି, ନାଳ ସମସ୍ୟା ଯୋଗୁଁ ଚଳିବା ମୁସ୍କିଲ୍‌ ହୋଇଗଲାଣି। ବର୍ଷା ହେଲେ, ମୋ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ନିଷ୍କାସନ ପାଇଁ ବାଟ ନଥିବାରୁ ବହୁ ସମସ୍ୟା ଭୋଗିବାକୁ ପଡ଼ୁଛି। ଆସନ୍ତା ବର୍ଷା ଋତୁ ପୂର୍ବରୁ ଅନ୍ତତଃ ନାଳ ଚୋକ୍‌ ସମସ୍ୟା ଦୂର କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର