ରାଜଧାନୀରେ ଜଳବନ୍ଦୀ ସମସ୍ୟା : ପୂର୍ତ୍ତ ବିଭାଗ ଖଳନାୟକ

୪୧୫ କିମି ଡ୍ରେନ୍‌ରୁ ଅଳିଆ ବାହାରୁନି
ପୂର୍ବତନ ବିଏମ୍‌ସି କମିସନର ଏବେ ପୂର୍ତ୍ତ ସଚିବ, ତଥାପି ଜାଣି ଅଜଣା
୮୦୦କିମି ଡ୍ରେନ୍‌ରୁ ବିଏମ୍‌ସି ଭାଗରେ ୩୮୫କିମି, ପୂର୍ତ୍ତର ୩୫୮କିମି, ଏନ୍ଏଚ୍‌ର ୪୫କିମି, ଇଡ୍‌କୋର ୧୨କିମି

ଭୁବନେଶ୍ବର, (ବିଶ୍ବଜିତ ଦାଶ) : ରାଜଧାନୀରେ ଯେତେବେଳେ ଜଳବନ୍ଦୀ ସମସ୍ୟା ଉପୁଜେ ସବୁ ଦୋଷ ବିଏମ୍‌ସି ମୁଣ୍ଡରେ ଯାଏ। ବିଏମ୍‌ସି କର୍ତ୍ତୃପକ୍ଷ ବର୍ଷା ପୂର୍ବରୁ ଡ୍ରେନ୍‌ ସଫା କଲେନି, ଡ୍ରେନ୍‌ ନିର୍ମାଣ କଲେନି ବୋଲି ସହର ଜଳବନ୍ଦୀ ହେବାର ଅପବାଦ ବିଏମ୍‌ସି କର୍ତ୍ତୃପକ୍ଷ ମୁଣ୍ଡାନ୍ତି। ହେଲେ ପୂର୍ତ୍ତ ବିଭାଗ ଯେ ପ୍ରଚ୍ଛଦପଟ୍ଟର ଖଳନାୟକ ତାହା କେହି ଜାଣନ୍ତିନି। ଯାହାର ଫାଇଦା‌ ପୂର୍ତ୍ତ ବିଭାଗ ଉଠାଉଛି। ଆଉ ସବୁ ଅପବାଦ ଓ ନିନ୍ଦା ବିଏମ୍‌ସି ମୁଣ୍ଡରେ ଲଦା ହେଉଛି।

ପୂର୍ତ୍ତ ବିଭାଗର ଯେତିକି ଇଞ୍ଜିନିୟର ଭୁବନେଶ୍ବରରେ କାର୍ଯ୍ୟରତ ଅଛନ୍ତି ସେଥିରୁ ଅଧାରୁ ଅଧିକ ଭୁବନେଶ୍ବରରେ ୧୦ବର୍ଷରୁ ଅଧିକ ହେଲା କାମ କରୁଛନ୍ତି। ପ୍ରତିବର୍ଷ ଭୁବନେଶ୍ବରର ଜଳବନ୍ଦୀ ହେବା ସମସ୍ୟା ଦେଖୁଛନ୍ତି। ହେଲେ କିପରି ଏହାର ସମାଧାନ ହେବ ସେନେଇ କାହା ମୁଣ୍ଡରେ ବୁଦ୍ଧି ଜୁଟୁନି। ଯେଉଁ ଯନ୍ତ୍ରୀମାନେ ବର୍ଷା ଋତୁ ପୂର୍ବରୁ ଡ୍ରେନ୍‌ ସଫା କରାଇଲେ ରାଜଧାନୀ ଜଳବନ୍ଦୀ ସମସ୍ୟାରୁ ମୁକୁଳିପାରିବ ସେମାନେ କେତେ ନୂଆ ଡ୍ରେନ୍‌ କରିହେବ, କେତେ ପୁରୁଣା ଡ୍ରେନ୍‌କୁ ପ୍ଲାଷ୍ଟର କରି ନୂଆ ଡ୍ରେନ୍‌ରେ ପରିଣତ କରିହେବ ସେ ଯୋଜନାରେ ରହୁଥିବାରୁ ପୂର୍ତ୍ତ ବିଭାଗର ବହୁ ଡ୍ରେନ୍‌ ସଫା ହୋଇପାରୁନି। ରାଜଧାନୀରେ ପୂର୍ତ୍ତ ବିଭାଗର ପ୍ରାୟ ୩୫୮କିମିର ଡ୍ରେନ୍ ଥିବାବେଳେ ଏଥିରୁ ପ୍ରାୟ ୩୦୦କିମି ଡ୍ରେନ୍‌ ଅଧା ପୋତି ହୋଇ ପଡ଼ିଛି। କେଉଁଠି ଆବର୍ଜନା ଭର୍ତ୍ତି ହୋଇଛି ତ କେଉଁଠି ସ୍ଲାବ୍‌ ଭୁଶୁଡ଼ି ପାଣି ଯିବା ବାଟ ବନ୍ଦ। କିନ୍ତୁ ଏହାର ସମାଧାନ ବାଟ କାହାକୁ ଦିଶୁନି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଭୁବନେଶ୍ବରରେ ସବୁଠୁ ଭୟଙ୍କର ଏବଂ ଅଧିକ ଜଳବନ୍ଦୀ ସମସ୍ୟା ଯେଉଁ ବିଏମ୍‌ସି କମିସନରଙ୍କ ଅମଳରେ ହେ‌ାଇଥିଲା ସେ ଏବେ ପୂର୍ତ୍ତ ସଚିବ ଅଛନ୍ତି। ବର୍ତ୍ତମାନର ପୂର୍ତ୍ତ ସଚିବ କ୍ରିଷନ କୁମାର ବିଏମ୍‌ସି କମିସନର ଥିବାବେଳେ ରାଜଧାନୀରେ ରେକର୍ଡ ବର୍ଷା ହୋଇଥିବାବେଳେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଥିଲା। ଏପରିକି ବହୁବାର ୨୫ରୁ ୩୦ମିମି ବର୍ଷାରେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଥିଲା। ଏହି ଜଳବନ୍ଦୀ ସମସ୍ୟା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ବି ଦାୟୀ ବୋଲି ସେ କହୁଥିଲେ। ଏପରିକି ପୂର୍ତ୍ତ ବିଭାଗ ଡ୍ରେନ୍‌ ସଫା କରିବାକୁ ସେ ତାଗିଦ୍‌ କରୁଥିଲେ। କିନ୍ତୁ ନିର୍ଦ୍ଦେଶ ଦେଉଥିବା ଲୋକ ଏବେ ପୂର୍ତ୍ତ ବିଭାଗର ମୁଖିଆ ପଦରେ ଥିଲେ ହେଁ ପୂର୍ତ୍ତ ବିଭାଗ କିନ୍ତୁ ଚଳିତବର୍ଷ ଡ୍ରେନ୍ ସଫା କରୁନି। ଏବର୍ଷ ବି ଡ୍ରେନ୍‌ ସଫା କରିବା ଯୋଜନା ନାହିଁ। ଫଳରେ ନିକଟରେ ହୋଇଥିବା କାଳବୈଶାଖୀ ବର୍ଷାରେ ରାଜଧାନୀର ବହୁ ଅଞ୍ଚଳରେ ପାଣି ଜମିଥିବାବେଳେ ଆଗକୁ ସ୍ଥିତି ସାଂଘାତିକ ହେବାକୁ ଯାଉଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ୮୦୦କିମିର ଡ୍ରେନ୍‌ ଥିବାବେଳେ ପୂର୍ତ୍ତ ବିଭାଗର ଏଥିରୁ ୩୫୮କିମି ଡ୍ରେନ୍ ଅଛି। ଯାହା ମୋଟ୍‌ ଡ୍ରେନ୍ ୪୪.୭୫%। ପୂର୍ତ୍ତ ବିଭାଗ ଅଧୀନରେ ରାଜଧାନୀର ପ୍ରାୟ ଅଧା ଅଞ୍ଚଳର ଡ୍ରେନ୍‌ ଥିବାବେଳେ ଏପର୍ଯ୍ୟନ୍ତ ଡ୍ରେନ୍‌ ସଫେଇ ଆରମ୍ଭ ହୋଇନି। ବିଏମ୍‌ସି ଅଧୀନରେ ଥିବା ୩୮୫କିମି ଡ୍ରେନ୍‌ରୁ ବିଭିନ୍ନ ଅଞ୍ଚଳରେ ସଫେଇ ଆରମ୍ଭ ହୋଇଥିବାବେଳେ ପୂର୍ତ୍ତ ବିଭାଗ କାହିଁକି ଡ୍ରେନ୍‌ ସଫେଇ ଆରମ୍ଭ କରିନି ସେନେଇ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ପାଖରେ କିଛି ସନ୍ତୋଷଜନକ ଉତ୍ତର ନାହିଁ। ଏପରିକି ପୂର୍ତ୍ତ ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ଆମେ ଆମ ରାସ୍ତା କଡ଼ରେ ଡ୍ରେନ୍‌ କରିବାକୁ ନିୟମ ଅଛି। ତେଣୁ ଆମେ ଡ୍ରେନ୍‌ ନିର୍ମାଣ କରୁଛୁ। ଏହି ଡ୍ରେନ୍ ସଫା କରିବାକୁ ଆମର କିଛି ନିୟମ ନାହିଁ। ଏପରିକି ଆମର ଏନେଇ ଅର୍ଥ ବରାଦ ହୁଏନି। ତେଣୁ ସବୁ ଡ୍ରେନ୍‌ ବିଏମ୍‌ସି ସଫା କରିବା କଥା।

ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଉତ୍ତର ମିଳିଲା ଯେ, ବିଏମ୍‌ସି କେବଳ ବିଏମ୍‌ସି ନିର୍ମାଣ କରିଥିବା ଡ୍ରେନ୍‌ର ସଫେଇ କରିବ। ଏହାସହ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ସଫା କରିବ। ଯାହା ଅଧୀନରେ ଡ୍ରେନ୍‌ ଅଛି ସେମାନେ ସଫା କରିବେ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଡ୍ରେନ୍ ପୂର୍ତ୍ତ ବିଭାଗ ସଫା କରିବ। ପୂର୍ତ୍ତ ବିଭାଗ ଡ୍ରେନ୍‌ ସଫା କରୁନଥିବାରୁ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଉତ୍କଟ ରୂପ ନେଉଛି। ରାଜଧାନୀରେ ଯିଏ ଯେଝା ଡ୍ରେନ୍‌ ସଫା କରିବାକୁ ନିୟମ ଅଛି। ଆବଶ୍ୟକ ପଡ଼ିଲେ ଆମେ ଏନେଇ ପୂର୍ତ୍ତ ବିଭାଗକୁ ଚିଠି ଲେଖିବୁ।

ଅପରପକ୍ଷେ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟ ମିଶ୍ର କହିଛନ୍ତି ଯେ, ଡ୍ରେନ୍‌ ସଫା କରିବା ପାଇଁ ଆମକୁ କିଛି ନିର୍ଦ୍ଦେଶ ଆସିନି। ତେଣୁ ଡ୍ରେନ୍‌ ସଫା ହେଉନି। ଏବେ ନୂଆ ମୁଖ୍ୟ ଯନ୍ତ୍ରୀ ଆସିଛନ୍ତି। ସେ ଯଦି ଅର୍ଥ ବରାଦ କରିବେ ଏବଂ ଡ୍ରେନ୍‌ ସଫା କରିବାକୁ କହିବେ ତେବେ ଆମେ ଡ୍ରେନ୍‌ ସଫା କରିବୁ।

କେବଳ ପୂର୍ତ୍ତ ବିଭାଗ ନୁହେଁ ରାଜଧାନୀର କେତେକ ଅଞ୍ଚଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅବହେଳା ଓ ଇଡ୍‌କୋ ଅବହେଳାରୁ ଡ୍ରେନ୍‌ ସଫା ହେଉନି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ୪୫କିମି ଡ୍ରେନ୍‌ ଥିବାବେଳେ ଇଡ୍‌କୋ ଅଧୀନରେ ୧୨କିମି ଡ୍ରେନ୍‌ ଅଛି। ଏହି ଡ୍ରେନ୍ ଯଦି ବର୍ଷା ଦିନ ପୂର୍ବରୁ ସଫା ହେବ ତେବେ ଜା‌ତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ଅଞ୍ଚଳ ଓ ଶିଳ୍ପାଞ୍ଚଳରେ ଜଳବନ୍ଦୀ ସମସ୍ୟା ରୁହନ୍ତାନି। ହେଲେ ୮୦୦କିମି ଡ୍ରେନ୍‌ରୁ ୪୧୫କିମି ଡ୍ରେନ୍ ସଫା ହେଉନଥିବାରୁ ସ୍ଥିତି ସାଂଘାତିକ ହେଉଛି।

୧୫୩ କୋଟି ଖର୍ଚ୍ଚ ହେଲେ ସମାଧାନ ହୋଇପାରିବ
ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଇଡ୍‌କୋ କର୍ତ୍ତୃପକ୍ଷ ନିୟମିତ ଡ୍ରେନ୍‌ ସଫା କରୁ ନ ଥିବାରୁ ରାଜଧାନୀରେ ଜଳବନ୍ଦୀ ସମସ୍ୟା ହେଉଛି। ଏପରିକି ବହୁ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ହେବା ଦିନରୁ ସଫା ‌େହାଇନି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ବର୍ଷକ ତଳେ ୧୫୩କୋଟିର ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିରେ ରାଜଧାନୀରେ ଥିବା ପ୍ରାୟ ୮୦୦ କିମିର ଡ୍ରେନ୍ ଯାନ୍ତ୍ରିକ ଉପାୟରେ ସଫେଇ କରିବାକୁ ଯୋଜନା କରିଥିଲେ। ଏଥିରେ ଭୁବନେଶ୍ବରରେ ଥିବା ବିଏମ୍‌ସିର ୩୮୫ କିମି ଡ୍ରେନ୍, ପୂର୍ତ୍ତ ବିଭାଗର ୩୫୮କିମି ଡ୍ରେନ୍, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୪୫କିମି ଡ୍ରେନ୍ ଏବଂ ଇଡ୍‌କୋର ପ୍ରାୟ ୧୨ କିମି ଡ୍ରେନ୍‌କୁ ସଫା କରାଯାଇଥାନ୍ତା। ଏବେ ଡ୍ରେନ୍ ସଫେଇ ସମୟରେ ସ୍ଲାବ୍ ଉଠାଇ ପକାଇବା କଷ୍ଟକର ହେଉଥିବାରୁ ବହୁ ଡ୍ରେନ୍ ସଫା ହୋଇପାରୁନାହିଁ। ତେଣୁ ନୂଆ ପଦ୍ଧତି ଆପଣାଯାଇଥାନ୍ତା। ବିଏମ୍‌ସିର ଯୋଜନା ଅନୁଯାୟୀ, ଡ୍ରେନ୍ ସଫେଇ ପାଇଁ ଉଚ୍ଚକ୍ଷମତା ସଂପନ୍ନ ମେକାନିକାଲ ସକ୍ସନ ବ୍ୟବହାର ହୋଇଥାନ୍ତା। ଏହାଦ୍ବାରା ଡ୍ରେନ୍‌ର ଗୋଟିଏ ସ୍ଥାନରେ ଏହାକୁ ବ୍ୟବହାର କଲେ ୫୦ରୁ ୧୦୦ଫୁଟ ପର୍ଯ୍ୟନ୍ତ ସ୍ଲାବ୍ କାଢ଼ିବାକୁ ପଡ଼ିନଥାନ୍ତା। ଯେଉଁଠି ଏହି ସକ୍ସନ ପାଇପ୍ ଶେଷ ହେବ ସେଠାରେ ଗୋଟିଏ କିମ୍ବା ଦୁଇଟି ସ୍ଲାବ୍ କାଢ଼ି ଆବର୍ଜନା କଢ଼ା ହୋଇଥାନ୍ତା। ଏହାସହ ଡ୍ରେନ୍‌ର ଓସାର ଅନୁଯାୟୀ ଏକ୍ସକାଭେସନ୍ ବୁମ୍‌ , ଜେଟ୍‌ ଏବଂ କମ୍ପ୍ରେସ୍ ଏୟାର ସିଷ୍ଟମ ବ୍ୟବହାର କରାଯାଇଥାନ୍ତା। ଏଥିରେ ଡ୍ରେନ୍‌ ଭିତରକୁ ଜୋର୍‌ରେ ପାଣି ସ୍ପ୍ରେ କରି ସମସ୍ତ ଅଳିଆ ଓ ଆବର୍ଜନାକୁ ନିଷ୍କାସନ କରାଯାଇପାରିଥାନ୍ତା। ଏହାପରେ ଏହି ସବୁ ଆବର୍ଜନାକୁ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ପକାଯାଇଥାନ୍ତା।

କିନ୍ତୁ ନଗର ଉନ୍ନୟନ ବିଭାଗ ଏତେ ଟଙ୍କା ଦେଇପାରିବନି ବୋଲି ମନା କରିଥିଲା। କେବଳ ବିଏମ୍‌ସି ଅଧୀନରେ ଥିବା ଡ୍ରେନ୍‌ ସଫା କରିବାକୁ ଯାହା ଅର୍ଥ ଖର୍ଚ୍ଚ ହେବ ‌ସେତିକି ଦେବ ବୋଲି କହିଥିଲା। ଏହାପରେ ଏହି ଯୋଜନା ଅଟକିଗଲା। ଏହାପରେ ବିଏମ୍‌ସି ନିଜର ଥିବା ୩୮୫କିମି ଡ୍ରେନ୍ ଉପରୁ ସ୍ଲାବ୍ ଉଠାଇ ୱାର୍ଡ ସ୍ତରରେ ସଫେଇ କରୁଛି ହେଲେ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଇଡ୍‌କୋର ଡ୍ରେନ୍ ସଫେଇ ନେଇ ଯେଉଁ ଯୋଜନା ହୋଇଥିଲା ତାହା ହୋଇପାରୁନି।

ସମ୍ବନ୍ଧିତ ଖବର