ଭୁବନେଶ୍ବର : ରାଜଧାନୀରେ ଅସରାଏ, ଦି’ ଅସରା ବର୍ଷା ହେଲେ ଯମ ଯନ୍ତ୍ରଣା ଭୋଗୁଛନ୍ତି ବିଏମ୍‌ସି ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ଚିନ୍ତାମଣିଶ୍ବର ଅଞ୍ଚଳ ବାସିନ୍ଦା। ଅଞ୍ଚଳରେ ପାଖାପାଖି ୫ ହଜାର ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ଘରକୁ ଦୂଷିତ ଡ୍ରେନ୍‌ ଜଳ ପ୍ରବେଶ କରୁଛି। ରାସ୍ତା ଉପରେ ବି ଆଣ୍ଠୁଏ ଉଚ୍ଚର ଡ୍ରେନ୍‌ ପାଣି ଲହଡ଼ି ମାରୁଛି। ଅଦିନିଆ ବର୍ଷାରେ ଦିନେ ଦୁଇଦିନ ଏମିତି ପୂତ୍ତିଗନ୍ଧମୟ ପରିବେଶ ଲାଗି ରହୁଥିବା ବେଳେ ବର୍ଷାଦିନ କଥା ନ କହିବା ଭଲ। ବର୍ଷା ଋତୁରେ ଦିନ ଦିନ ଧରି ଲୋକେ ଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ଅସନା ପାଣି ସାଙ୍ଗକୁ ଡ୍ରେନ୍‌ରେ ଆସୁଥିବା ଅଦରକାରୀ ଜିନିଷପତ୍ର ସବୁ ଏଣେତେଣେ ଭାସୁଛି। ତା’ ସାଙ୍ଗକୁ ଡ୍ରେନ୍‌ ପାଣିର ଦୁର୍ଗନ୍ଧ ଲୋକଙ୍କୁ ଅତିଷ୍ଠ କରି ପକାଉଛି। ଚିନ୍ତାମଣିଶ୍ବର ଦେଇ ଯାଇଥିବା ଲକ୍ଷ୍ମୀସାଗର ମୁଖ୍ୟ ଡ୍ରେନ୍‌ର ପାଚେରି ଭାଙ୍ଗି ଯାଇଥିବାରୁ ଏଭଳି ସମସ୍ୟା ଉପୁଜୁଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ଏ ସମସ୍ୟା ଆଜି କି କାଲିର ନୁହେଁ। ଦୀର୍ଘ ୧୦ରୁ ଊର୍ଧ୍ବ ବର୍ଷ ହେଲା ଅଞ୍ଚଳବାସୀ ଏହି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏନେଇ ସେମାନେ ବିଭିନ୍ନ ସମୟରେ ବିଏମ୍‌ସି କର୍ତ୍ତୃପକ୍ଷ, କମିସନର୍‌ଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କୁ ବାରମ୍ବାର ଅଭିଯୋଗ କରି ଆସିଛନ୍ତି। କିନ୍ତୁ ଫଳ ଶୂନ। ଏହାର ସ୍ଥାୟୀ ସମାଧାନ ଦିଗରେ ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ପ୍ରତିବର୍ଷ ସ୍ଥାନୀୟ ଲୋକେ ଚାନ୍ଦା ଆଦାୟ କରି ଭାଙ୍ଗି ଯାଇଥିବା କେନାଲର ପାଚେରିରେ ବାଲିବସ୍ତା ଗଦାଉଛନ୍ତି। କିନ୍ତୁ ତାହା ବି ପାଣିର ସୁଅ ସମ୍ଭାଳିବାରେ ସକ୍ଷମ ହେଉନାହିଁ। କିଛି ଦିନ ପରେ ବାଲିବସ୍ତାରୁ ବାଲି କେନାଲ ପାଣିରେ ବୋହି ଯାଉଛି। ଏନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆ ନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Advertisment

ସ୍ଥାନୀୟ ‌ଲୋକଙ୍କ ଅଭିଯୋଗ ହେଲା, ବମିଖାଲରୁ ବାହାରିଥିବା ଏହି ଲକ୍ଷ୍ମୀସାଗର ମୁଖ୍ୟ କେନାଲଟି ଗଙ୍ଗୁଆ ନାଳରେ ମିଶିଛି। କିନ୍ତୁ ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ କେନାଲର ପାଚେରି ଦୁର୍ବଳ ହୋଇଗଲାଣି। ଚିନ୍ତାମଣିଶ୍ବର ଅଞ୍ଚଳ‌ରେ ବି ଏହି ସମସ୍ୟା ଦେଖାଦେଇଛି। ଏଠାରେ କେନାଲର ପାଚେରି ଦୁର୍ବଳ ହୋଇଯାଇଥିବାରୁ ପ୍ରତିବର୍ଷ ବର୍ଷାଦିନେ ଘାଇ ସୃଷ୍ଟି ହୋଇ ନିକଟରେ ଥିବା ଘର ଓ ରାସ୍ତାକୁ ଦୂଷିତ ଜଳ ମାଡ଼ି ଆସୁଛି। ଏନେଇ ସ୍ଥାନୀୟ ଲୋକେ ପ୍ରଥମେ ପ୍ରଥମେ ବିଏମ୍‌ସିକୁ ଅଭିଯୋଗ କରି ବିଫଳ‌ ହେବାରୁ ଚାନ୍ଦା ଆଦାୟ କରି ନୂଆ ପାଚେରି ତିଆରି କଲେ। କିନ୍ତୁ ତାହା ଦୀର୍ଘସ୍ଥାୟୀ ହେଲା ନାହିଁ। ଉପରମୁଣ୍ଡରେ କେନାଲ ସଫା ହେଉ ନଥିବାରୁ ଅନ୍ୟ ଦିନଗୁଡ଼ିକରେ ପାଣି ଠିକ୍‌ ଭାବେ ପ୍ରବାହିତ ହୋଇପାରେ ନାହିଁ। କିନ୍ତୁ ବର୍ଷା ଋତୁରେ ଟିକିଏ ଅଧିକ ବର୍ଷା ହୋଇଗଲେ ଉପରମୁଣ୍ଡରେ ଜମି ରହିଥିବା ଜଳ ସହ ବର୍ଷାଜଳ ମିଶି ପ୍ରଖର ସ୍ରୋତ ହେବାରୁ ତାହା ବାରମ୍ବାର ଭାଙ୍ଗିଲା। ତେଣୁ ବାଧ୍ୟ ହୋଇ ସେମାନେ ଏବେ ସେଠାରେ ବାଲିବସ୍ତା ଗଦାଉଛନ୍ତି। କିନ୍ତୁ ପାଣି ସୁଅ କିଛି ଦିନ ମଧ୍ୟରେ ବାଲିବସ୍ତାଗୁଡ଼ିକୁ ବି ବୋହି ନେଉଛି।

ଏନେଇ ସ୍ଥାନୀୟ ଚିନ୍ତାମଣିଶ୍ବର ସମାଜ କଲ୍ୟାଣ ସମିତିର ସଭାପତି ଗନ୍ଧର୍ବ ସେନ ପାତ୍ର କହିଛନ୍ତି, ବିଏମ୍‌ସିର ଏପରି ବେପରୁଆ ମନୋଭାବ ଯୋଗୁଁ ପ୍ରତିବର୍ଷ ବର୍ଷା ଦିନେ ଲୋକଙ୍କୁ ଏପରି ନାହିଁ ନଥିବା ହଇରାଣର ସମ୍ମୁଖୀନ ହେବାକୁ ପଡ଼ୁଛି। ଅଞ୍ଚଳବାସୀଙ୍କ ସହ ମିଳିତ ଭାବେ ଯାଇ ବିଏମ୍‌ସି କାର୍ଯ୍ୟାଳୟରେ ସେ ବାରମ୍ବାର ଏ ସଂପର୍କରେ ଅଭିଯୋଗ କରିଛନ୍ତି। ବିଏମ୍‌ସି କମିସନର ମଧ୍ୟ ନିଜେ ଏହି ସ୍ଥାନ ପରିଦର୍ଶନ କରି ଯାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସମିତିର ସମ୍ପାଦକ ସଞ୍ଜୟ କୁମାର ରଥ କହିଛନ୍ତି ଯେ ଅଞ୍ଚଳବାସୀ ଠିକ୍‌ ସମୟରେ ବିଏମ୍‌ସିର ସବୁ ଟିକସ ପଇଠ କରୁଛନ୍ତି। କିନ୍ତୁ ଅଭିଯୋଗ ଶୁଣିଲା ବେଳକୁ କାହାରି ଦେଖା ମିଳୁ ନାହିଁ। ତୁରନ୍ତ ଏ ସମସ୍ୟାର ସ୍ଥାୟୀ ସମାଧାନ କରା ନଗଲେ, ଆଗାମୀ ଦିନରେ ଅଞ୍ଚଳବାସୀ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି।