ଭଙ୍ଗା ବାଉଁଶ ବାଡ଼ରେ ଡ୍ରେନ୍‌ ସୁରକ୍ଷା

ଭୁବନେଶ୍ବର: ବର୍ଷା ଋତୁ ସରିନି। କିନ୍ତୁ ରାଜଧାନୀରେ ମୁକୁଳା ଡ୍ରେନ୍‌ ବିପଦରୁ ସୁରକ୍ଷା ପାଇଁ ବନ୍ଧା ଯାଇଥିବା ବାଉଁଶ ବାଡ଼ ଭାଙ୍ଗିଗଲାଣି। ନିମ୍ନମାନର ବାଉଁଶ ବ୍ୟବହାର ହୋଇଥିବା ବେଳେ ଠିକ ଭାବେ ପୋତିବା ଓ ବାନ୍ଧିବା କାମ ହୋଇନଥିବାରୁ ବହୁ ସ୍ଥାନରୁ ବାଉଁଶ ଉଭାନ୍ ହୋଇଗଲାଣି। କିଛି କିଛି ସ୍ଥାନରେ ବାଉଁଶ ବାଡ଼ରୁ କେତେଖଣ୍ଡ ଖତରା ବାଉଁଶ ନାମକୁ ମାତ୍ର ଠିଆ ହୋଇଛି। ତେଣୁ ବହୁ ଜଣାଶୁଣା ବିପଜ୍ଜନକ ସ୍ଥାନରେ ଏବେ ଭଙ୍ଗା ବାଉଁଶ ବାଡ଼ ଭରସା। ଏମିତି ଭାବେ ଖତରା ଭଙ୍ଗା ବାଉଁଶ ବାଡ଼ରେ ବିଏମ୍‌ସି ମୁକୁଳା ଡ୍ରେନ୍‌ ବିପଦର ମୁକାବିଲା କରୁଛି ବୋଲି ଚର୍ଚ୍ଚା ହେଉଛି।

ମୁକୁଳା ‌ଡ୍ରେନ୍‌ରେ ସ୍ଲାବ୍‌ ପକାଇବାକୁ ବର୍ଷ ବର୍ଷ ଧରି କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଏବେ ବି ରାଜଧାନୀର ବହୁ ସ୍ଥାନରେ ମୁକୁଳା ଡ୍ରେନ୍‌ ଜନଜୀବନ କ୍ଷତି କରୁଛି। ବଡ଼ ବର୍ଷା ବେଳେ ଡ୍ରେନ୍‌ରେ ଭାସିଯାଇ ଲୋକଙ୍କ ଜୀବନ ଯାଉଛି। ତେଣୁ ସ୍ଲାବ ପଡ଼ି ପାରୁନଥିବା ମୁକୁଳା ଡ୍ରେନ୍‌ ସ୍ଥାନରେ ଅସ୍ଥାୟୀ ଭାବେ ସୁରକ୍ଷା ବାଡ଼ ତିଆରି ଯୋଜନା କରାଯାଉଛି। ଏବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏଥିରେ ବି କେଳେଙ୍କାରୀ ହୋଇଥିବା ଅଭିଯୋଗ ହେଉଛି। ଚଳିତ ବର୍ଷ ବର୍ଷା ଋତୁ ଠିକ ପୂର୍ବରୁ ଯେଉଁ ବାଉଁଶ ସୁରକ୍ଷା ବାଡ଼ ଦିଆଯାଇଥିଲା, ସେଥିରୁ ଅଧିକାଂଶ ସ୍ଥାନରେ ବାଉଁଶ ଭାଙ୍ଗି ରୁଜି ଗଲାଣି। କିଛି କିଛି ସ୍ଥାନରୁ ବାଉଁଶ ସବୁ କେହି ନେଇଗଲାଣି।

ରସୁଲଗଡ଼, ଜଗନ୍ନାଥନଗର, ଜିଜିପି କଲୋନି, ଦୟାୱେଷ୍ଟ କେନାଲ କଡ଼, ଝାରପଡ଼ା, ଲକ୍ଷ୍ମୀସାଗର ଭଳି ବିଭିନ୍ନ ଅଞ୍ଚଳରେ ଏହି ସ୍ଥିତି ଦେଖିବାକୁ ମିଳୁଛି। ରାଜଧାନୀର ପ୍ରମୁଖ ୧୦ଟି ବଡ଼ ଡ୍ରେନ୍‌ର ବିପଜ୍ଜନକ ସ୍ଥାନରେ ଲୁହା ପାଇପ୍‌ ଓ ଜାଲି ଦିଆଯାଇଛି। ହେଲ ତାହା ମଧ୍ୟ ଅଧପନ୍ତରିଆ। ତେବେ ବାଉଁଶ ବାଡ଼ ହୋଇଥିବା ସ୍ଥାନର ଅବସ୍ଥା ଯାହା, ସେଥିରେ ଡ୍ରେନ୍‌ ଭୟ ଓଲଟା ବଢ଼ୁଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଜିଜିପି କଲୋନି ଅଞ୍ଚଳର ବ୍ୟବସାୟୀ ପରମାନନ୍ଦ ଓଝା କହିଛନ୍ତି ଯେ ବାଉଁଶ ବାଡ଼ରେ ସୁରକ୍ଷା କେବଳ ନାମକୁ ମାତ୍ର। ଏହା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ବାଟ। ଲୋକ ଦେଖାଣିଆ ଭାବେ କିଛି କିଛି ସ୍ଥାନରେ ବାଡ଼ କରି ଚାଲିଯାଉଛନ୍ତି। ପୁଣି ଭଲ ବାଉଁଶ ବ୍ୟବହାର କରାଯାଉନଥିବାରୁ ମାତ୍ର ମାସକ ଭିତରେ ବାଉଁଶ ଖତିରା ହୋଇଯାଉଛି ଓ ଭାଙ୍ଗିଯାଉଛି। ବର୍ଷା ସରିନି। ଆଗକୁ ବଡ଼ ବର୍ଷା ହେବାକୁ ଅଛି। କିନ୍ତୁ ବାଉଁଶ ବାଡ଼ ଅବସ୍ଥା ଖରାପ। ତେଣୁ ବିଏମ୍‌ସି ଏସବୁ ସ୍ଥାନରେ ପୁଣି ବାଡ଼ ମରାମତି କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର