ଏନ୍‌ଏଚ୍‌ରେ ଭାସୁଛି ଡ୍ରେନ୍‌ ପାଣି

ଖଣ୍ଡଗିରି : ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଛକରେ ଡ୍ରେନ୍‌ ପାଣି ରାସ୍ତାରେ ଭାସୁଛି। ଫଳରେ ଯାତାୟାତ ସମୟରେ ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। କଛପ ଗତିରେ ଚାଲିଥିବା ଡ୍ରେନ୍‌ ନିର୍ମାଣ ପାଇଁ ଏଭଳି ସମସ୍ୟା ପ୍ରାୟ ୨ ସପ୍ତାହରୁ ଅଧିକ କାଳ ହେଲା ଲାଗି ରହିଥିବାରୁ ଲୋକେ ଯାତାୟାତ ସମସ୍ୟାକୁ ନେଇ ଅତିଷ୍ଠ ହୋଇପଡ଼ିଲେଣି। ଅପରପକ୍ଷେ ଡ୍ରେନ୍ ନିର୍ମାଣ କାମ ସରିବା ନେଇ ଅନିଶ୍ଚିତତା ଲାଗି ରହିଛି। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୨ ସପ୍ତାହ ହେଲା ଆଇଗିଣିଆ ନୂଆ ଟ୍ରାଫିକ୍ ଛକରେ ଡ୍ରେନ୍‌ ମଇଳା ପାଣି ବହୁଛି। ଠିକ୍‌ ଟ୍ରାଫିକ୍‌ ଛକରେ ମଇଳା ପାଣି ଜମି ରହୁଛି। ଫଳରେ ଟ୍ରାଫିକ୍ ସିଗ୍‌ନାଲ୍‌ ଅନୁସାରେ ଏଠାରେ ଅଟକି ରହିବାବେଳେ ପରିସ୍ଥିତି ବଡ଼ ସଂଗିନ୍ ହୋଇପଡ଼ୁଛି। ଗନ୍ଧରେ ନାକ ଫାଟି ପଡ଼ୁଛି। ଗାଡ଼ିରେ ବସି ପାଦ ତଳେ ରଖିବା ମୁସ୍କିଲ ହୋଇ ପଡ଼ୁଛି। ବିଶେଷ କରି ଖଣ୍ଡଗିରିରୁ ଖୋର୍ଧା ଦିଗରେ ଯାଉଥିବା ୨ ଚକିଆ ଗାଡ଼ି ଚାଳକମାନେ ସମସ୍ୟାରେ ପଡ଼ୁଛନ୍ତି। ଗାଡ଼ି ଅଟକାଇବାବେଳେ ମଇଳା ପାଣିରେ ଜୋତା ବୁଡ଼ି ନଷ୍ଟ ହେଉଛି। ସେହିଭଳି ଡୁମୁଡୁମା ଅଞ୍ଚଳରୁ ଆସୁଥିବା ବାଇକ୍‌ ଚାଳକମାନେ ମଧ୍ୟ ମଇଳା ପାଣି ଭିତରେ ଅଟକି ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ବହୁ ସମୟରେ ଗ‌ାଡ଼ି ଚାଳକମାନେ ମଇଳା ପାଣିରେ ଅଟକିବାକୁ ଏଡ଼ାଇବାକୁ ଯାଇ ଦୂରରେ ରହୁଛନ୍ତି ଓ ଏହା ଦ୍ବାରା ରାସ୍ତା ଜାମ୍ ହେଉଛି ଏବଂ ଲୋକେ ଅଧିକ ସମସ୍ୟାରେ ପଡ଼ୁଛନ୍ତି। ତେବେ ଏହି ଅଞ୍ଚଳର ଯେଉଁମାନେ ପାଦରେ ଚାଲି ଚାଲି ରାସ୍ତା ପାର୍ ହେଉଛନ୍ତି, ସେମାନଙ୍କ କଥା କହିଲେ ନ ସ‌ରେ। ମଇଳା ପାଣିରେ ଗୋଡ଼ ବୁଡ଼ାଇ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଡ୍ରେନ୍‌ ନିର୍ମାଣ କାମ କରୁଥିବା ଜାତୀୟ ରାଜପଥର ବିଭାଗୀୟ ଯନ୍ତ୍ରୀଙ୍କ ମତାମତ ମିଳପାରିନାହିଁ। କିନ୍ତୁ କାମର ତଦାରଖ କରୁଥିବା ଭୁବନେଶ୍ବର ମହାନଗର ନିଗମର ଜନୈକ ଅଧିକାରୀଙ୍କ କହିବା ଅନୁସାରେ ଡ୍ରେନ୍‌ କାମ ବିଳମ୍ବିତ ହେଉନାହିଁ। କଲଭର୍ଟ ନିର୍ମାଣ କାମ ଡ୍ରେନ୍‌ କାମଠାରୁ ଜଟିଳ ହୋଇଥିବାରୁ ସାମାନ୍ୟ ବିଳମ୍ବ ହେଉଛି। ବିକଳ୍ପ ନଥିବାରୁ ଡ୍ରେନ୍‌ ପାଣିକୁ ବାଧ୍ୟ ହୋଇ ରାସ୍ତା ଉପରକୁ ଛଡ଼ା ଯାଇଛି। ତେବେ କଲଭର୍ଟ ନିର୍ମାଣ କାମ ଶତକଡ଼ା ୮୦ ଭାଗ ସରିଗଲାଣି ଓ କଂକ୍ରିଟ୍‌ ଢଳେଇ ସରିଗଲେ, କଲଭର୍ଟ ବାଟେ ଡ୍ରେନ୍‌ ପାଣି ଛାଡ଼ି ଦିଆଯିବ। ଏଥିପାଇଁ ଆଉ ପ୍ରାୟ ଗୋଟିଏ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର