ରାସ୍ତାରେ ଭାସୁଛି ଡ୍ରେନ୍ ପାଣି, ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଚନ୍ଦ୍ରଶେଖରପୁର: ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି। ପଚାଗନ୍ଧରେ ଫାଟି ପଡ଼ୁଛି ପୂରା ଅଞ୍ଚଳ। କଲୋନିରେ ଦୀର୍ଘ ଦିନ ହେଲା ସ୍ବେରେଜ ଡ୍ରେନ୍ ପାଣି ଉଛୁଳି ରାସ୍ତାରେ ଗଡ଼ୁଛି। ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡ଼ିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ସେକ୍ଟର-୫ କଲୋନିବାସୀ।

ନୀଳାଦ୍ରିବିହାର ସେକ୍ଟର-୫ ଅଞ୍ଚଳରେ ଦୀର୍ଘ ଦିନ ହେଲା ଡ୍ରେନ୍ ଉପରେ ପଡ଼ିଥିବା ସ୍ଲାବ୍‌ ଭାଙ୍ଗି ଗଲାଣି। ଘର ସାମ୍ନାରେ ଡ୍ରେନ୍ ହୋଇଥିବାରୁ ଛୋଟ ପିଲାମାନେ ସେଠାରେ ବିପଦସଂକୁଳ ଅବସ୍ଥାରେ ଖେଳକୁଦ କରୁଛନ୍ତି। ମୁକୁଳା ଡ୍ରେନ୍ ଯୋଗୁଁ କେତେବେଳେ ଯେ କ’ଣ ଘଟିବ, କହିହେବ ନାହିଁ। କିଛି ଦିନ ପୂର୍ବରୁ ଗୋଟିଏ ବୁଲା କୁକୁର ମୁକୁଳା ଡ୍ରେନରେ ପଡ଼ି ଯାଇଥିଲା। କଲୋନିବାସୀ ଫୋନ କରିବା ପରେ ଦମକଳବାହିନୀ ଆସି ବହୁ କଷ୍ଟରେ କୁକୁରଟିକୁ ଉଦ୍ଧାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଆଗାମୀ ଦିନରେ ଯଦି କିଛି ଅଘଟଣ ଘଟେ, ତେବେ କିଏ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ବହୁବାର ବିଏମସି କର୍ତ୍ତୃପକ୍ଷଙ୍କୁ ଡ୍ରେନ୍ ସମସ୍ୟା ବିଷୟରେ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଠାକୁ ଆସି ଅଧିକାରୀ ସମସ୍ୟା ଦେଖିଛନ୍ତି ନା ସମାଧାନ କରୁଛନ୍ତି। ତେବେ ଆଗାମୀ ଦିନରେ ଯଦି କିଛି ପଦକ୍ଷେପ ନିଆନଯାଏ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ବିଏମ୍‌ସି ଅଫିସ ଘେରାଉ କରିବୁ ବୋଲି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଡମ୍ବରୁଧର ନାୟକ, ମୀନାକ୍ଷୀ ନାୟକ, ଶିବରାମ ପଟ୍ଟନାୟକ, ସଞ୍ଜୟ ପଣ୍ଡା, ଜୋତ୍ସ୍ନାରାଣୀ ନାୟକ, ସୁକାନ୍ତି ପଣ୍ଡା, ସୀମା ରାଉତ, ସ୍ନେହମୟୀ ସାହାଣି ଓ ପ୍ରଭାସିନୀ ବେହେରା ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର