ସିଂହଦ୍ବାର ରାସ୍ତାରେ ୨ ମାସ ହେଲା ଭାସୁଛି ଡ୍ରେନ୍‌ ପାଣି

ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ରାସ୍ତାରେ ୨ ମାସ ହେଲା ଡ୍ରେନ୍‌ ପାଣି ଭାସୁଛି। ମନ୍ଦିର ସମ୍ମୁଖରେ ଥିବା ଫାଇବର ସେଡ୍‌ ନିକଟ ରାସ୍ତାରେ ଉକ୍ତ ମଇଳା ପାଣି ଜମି ରହି ଶଉଳି ବସି ଗଲାଣି। ନିକଟ ହାଟସାହି ଦେବୀ ଲେନ୍‌ର ଉଦ୍‌ବୃତ୍ତ ଡ୍ରେନ୍‌ ପାଣି ନୂଆ ରାସ୍ତାର ଫେବର ବ୍ଲକ୍‌ ଉପରେ ଜମି ରହୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ଏନେଇ ସ୍ଥାନୀୟ ଲୋକେ ବିଏମ୍‌ସିକୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କେହି ଶୁଣୁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ, ମନ୍ଦିର ସିଂହଦ୍ବାର ସମ୍ମୁଖରେ ପର୍ଯ୍ୟଟକ ଯିବା ପାଇଁ ୨୦୨୦ ମସିହାରେ ସ୍ବତନ୍ତ୍ର ରାସ୍ତା କରାଯାଇଥିଲା। ଶ୍ରୀଲିଙ୍ଗରାଜ ଥାନା ଜମିରେ ଫେବର ବ୍ଲକ୍‌ ପକାଯାଇ ରାସ୍ତା କରାଯିବା ସହ ଏହା କଡ଼ରେ ମନ୍ଦିରକୁ ଯିବା ପାଇଁ ଫାଇବର୍‌ ସେଡ୍‌ ଲଗାଯାଇଥିଲା। ଓବିସିସି ପକ୍ଷରୁ ଏକ ପାର୍କ ସହ ଏହି ରାସ୍ତାକୁ ତିଆରି କରାଯାଇଥିଲା। ଏବେ ଏହି ରାସ୍ତାରେ ଡ୍ରେନ୍‌ ପାଣି ଜମି ରହି ଶିଉଳି ବସି ଗଲାଣି। ହାଟସାହି ଦେବୀ ଲେନ୍‌ରେ ଥିବା ଡ୍ରେନ୍‌ ଭାଙ୍ଗିବା ସହ ମାଟି ଉଠୁ ନଥିବାରୁ ସେଠାକାର ଡ୍ରେନ୍‌ ପାଣି ରାସ୍ତାରେ ଭାସୁଛି ବୋଲି ସମର୍ଥା ନିଯୋଗର ପୂର୍ବତନ ସମ୍ପାଦକ ହରିହର ସମର୍ଥା କହିଛନ୍ତି।

ଶ୍ରୀ ସମର୍ଥାଙ୍କ କହିବା ଅନୁଯାୟୀ, ଦେବୀ ଲେନ୍‌ରେ ଥିବା ଡ୍ରେନ୍‌ରୁ ମାଟି ବାହାର କରାଯାଉନି, ବହୁ ସ୍ଥାନରେ ଡ୍ରେନ୍‌ ଭାଙ୍ଗି ଗଲାଣି। ବାରମ୍ବାର ବିଏମ୍‌ସି ଓ ସିଟି ହେଲଥ୍‌ ବିଭାଗକୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି। ଫଳରେ ମନ୍ଦିର ଆଡ଼େ ଯାଉଥିବା ଲୋକ ହଇରାଣ ହରକତ ହେଉଛନ୍ତି। ଏନେଇ ବିଏମ୍‌ସି ସିଟି ଇଞ୍ଜିନିୟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା।

ସମ୍ବନ୍ଧିତ ଖବର