ମୁଖ୍ୟ ରାସ୍ତାରେ ମଇଳା ପାଣି, ଅଳିଆ ପାହାଡ଼

ଚନ୍ଦ୍ରଶେଖରପୁର : ବର୍ଷ ବର୍ଷ ଧରି ପଦ୍ମକେଶରପୁର କେନାଲ ବନ୍ଧରେ ମଇଳା ପାଣି ଲହଡ଼ି ମାରୁଥିବା ବେଳେ ଅଳିଆ ଆବର୍ଜନା ପାହାଡ଼ ଭଳି ଗଦା ହୋଇରହିଛି। ହେଲେ ଏଥିପ୍ରତି କାହାର ନିଘା ନାହିଁ। ଦୟାୱେଷ୍ଟ୍ କେନାଲ୍ ଉପରେ ଥିବା କାଳୀକ୍ଷମା ପୋଲର ମରାମତି ପାଇଁ ନିକଟରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ତଦନ୍ତକାରୀ ଦଳ ନିରୀକ୍ଷଣ କରିଯାଇଥିବା ବେଳେ କଳାରାହାଙ୍ଗ ପଞ୍ଚାୟତ ମୁଖ୍ୟ କେନାଲ ବନ୍ଧ ରାସ୍ତାକୁ ଭୁଲି ଯାଇଛନ୍ତି।

ଏହି ରାସ୍ତାର ସମସ୍ୟା ନେଇ ସ୍ଥାନୀୟ ଲୋକେ ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ଫଳରେ ସାଧାରଣ ନିର୍ବାଚନ ପୂର୍ବରୁ ଡ୍ରୋଜର୍ ସହାୟତାରେ କେନାଲ ବନ୍ଧ ସଫା କରାଯାଇଥିଲା। ମାତ୍ର ଏବେ ପରିସ୍ଥିତି ପୁଣି ଶୋଚନୀୟ ହୋଇପଡ଼ିଛି। ରାସ୍ତା କଡ଼ରୁ ଡଷ୍ଟବିନ୍ ଉଭାନ ହୋଇଯାଇଛି। ସଚେତନତା ଅଭାବରୁ ସ୍ଥାନୀୟ ଲୋକ କେନାଲ ବନ୍ଧରେ ମଳତ୍ୟାଗ କରୁଛନ୍ତି। କେନାଲ ପାଣିରେ ଗାଧୋଇବା ସହ ଲୁଗାପଟା ସଫା କରୁଛନ୍ତି। ଫଳରେ ଲୋକମାନେ ଚର୍ମ ରୋଗ ଓ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ପଦ୍ମକେଶରପୁର କେନାଲ ବନ୍ଧ ରାସ୍ତା ଅବସ୍ଥା ଦେଖି ଲୋକମାନେ ନାକ ଟେକି ପଟିଆ ଷ୍ଟେସନ ବଜାର ରାସ୍ତା ବାଟ ଦେଇ ୩ କିଲୋମିଟର ବୁଲି ଯାତାୟାତ କରୁଛନ୍ତି। କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନାହିଁ। ସ୍ଥାନୀୟ ଅଞ୍ଚଳର ମଇଳା ପାଣି ଦୟାୱେଷ୍ଟ କେନାଲରେ ମିଶୁଥିବାରୁ ଉକ୍ତ କେନାଲ ଉପରେ ନିର୍ଭର କରୁଥିବା ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏନେଇ ଡେଲ୍‌ଟା ଜଳ ବିଭାଗ ନିକଟରେ ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଦୟାୱେଷ୍ଟ କେନାଲ ବନ୍ଧ ବାରଙ୍ଗ, ନନ୍ଦନକାନନ, କୁଞ୍ଜବିହାରୀ କଲେଜ, ବରିମୁଣ୍ଡ ଓ କଲ୍ୟାଣପୁର ପଞ୍ଚାୟତକୁ ଯୋଗାଯୋଗ କରିବାର ଏକ ସହଜ ବାଟ ହୋଇଥିବାରୁ ପ୍ରତିଦିନ ଶହ ଶହ ଯାନବାହନ ଏହି ଅଳିଆ ପାହାଡ଼ ବାଟ ଦେଇ ଯାଇଥାନ୍ତି। ସେମାନେ ଉକ୍ତ ଅଞ୍ଚଳର ପ୍ରଦୂଷିତ ପରିବେଶ ଦେଖି ନାକ ଟେକୁଥିବା ବେଳେ କଳାରାହାଙ୍ଗ ପଞ୍ଚାୟତ ପରିଷ୍କାର ରଖିବା ଦାୟିତ୍ବରେ ଥିବା ଅଧିକାରୀ ସବୁ ଦେଖି ଆଖି ବୁଜି ଦେଇଛନ୍ତି।

ସମ୍ବନ୍ଧିତ ଖବର