ଭୁବନେଶ୍ୱର: ରାଜଧାନୀର ମୁଖ୍ୟ ରାସ୍ତା କୁହାଯାଉଥିବା ଏଜି ଛକରୁ ରାଜମହଲ ଛକ ମଧ୍ୟରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ୟୁନିଟ୍‌-୨ ଫଳବଜାର ସମ୍ମୁଖରେ ଥିବା ଡ୍ରେନ୍‌ରୁ ପାଣି ଉଛୁଳି ରାସ୍ତା ସାରା ଭାସୁଛି। ମାସାଧିକହେଲାଣି ଏଭଳି ସ୍ଥିତି ଲାଗିରହିଛି। ବ୍ୟବସାୟୀମାନେ ବାରମ୍ୱାର ଅଭିଯୋଗ କରିବା ପରେ ମଧ୍ୟ ସ୍ଥିତି ସୁଧୁରୁନାହିଁ। ଯିଏ ବି ରାସ୍ତାରେ ଯାଉଛି ତାକୁ ନାକରେ ରୁମାଲ ବାନ୍ଧି ଯିବାକୁ ପଡ଼ୁଛି। ଏପରିକି ଡ୍ରେନରେ ପୋକ ସାଲୁବାଲୁ ହେଉଛି।  

Advertisment

ଗତ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଏହି ସ୍ଥାନରେ ଦୁଇ ମାସ ଧରି ଡ୍ରେନ ପାଣି ଭାସୁଥିଲା। ସମ୍ମିଳନୀ ଥିବାରୁ ପାଣିକୁ ନିଷ୍କାସନ କରିବା ପାଇଁ ତରବରିଆ ଭାବରେ ୪ ଇଞ୍ଚ ମୋଟେଇର ପାଇପ୍ ପକେଇ ଦିଆହେଲା। ହେଲେ ଗୋଟିଏ ରାତି ହେଇନି ଭାରhଯାନର ଚାପ ଯୋଗୁ ପାଇପ୍‌ ଫାଟି ଯାଇ ଯଥା ପୂର୍ବଂ ତଥା ପରଂ ସ୍ଥିତି ହୋଇଗଲା। ଏହା ପରଠାରୁ ଏହାକୁ ସଜାଡ଼ିବାକୁ ଗୁରୁତ୍ୱ ଦିଆହେଲାନାହିଁ। ଖାଲି ଗନ୍ଧ ରୋକିବାକୁ ମଝିରେ ମଝିରେ ବ୍ଲିଚିଂ ପକେଇ ଦେଇ ଦାୟିତ୍ୱ ସାରିଦେଲେ। 

ସୂଚନା ମୁତାବକ ଫଳବଜାର ଓ ପେଟ୍ରୋଲ ପମ୍ପ ମଧ୍ୟ ଦେଇ ଏକ କେବୁଲ ଲାଇନ୍‌ ଯାଇଛି। ଡ୍ରେନ୍‌ ମରାମତି କରିବାକୁ ହେଲେ କେବୁଲ୍‌ ଲାଇନ୍‌ ମଧ୍ୟ ଖୋଲିବାକୁ ପଡ଼ିବ। ତେଣୁ ଏହାର କିଛି ସ୍ଥାୟୀ ସମାଧାନ ନଥିବାରୁ ଏହାକୁ ସଜଡ଼ା ଯାଉନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ଏନେଇ କର୍ପୋରେଟର ଆସିଆ ବେଗମ୍‌ଙ୍କ କହିଛନ୍ତି, ଏହି ଡ୍ରେନ୍‌ ପୂର୍ତ୍ତ ବିଭାଗ ଅଧିନରେ ରହିଛି। ବାରମ୍ୱାର କର୍ପୋରେସନ ବୈଠକରେ ଏହି ଡ୍ରେନ୍‌ କଥା ସେ ଉଠାଇଛନ୍ତି। ଏପରିକି ମେୟର ମଧ୍ୟ ସ୍ଥାନ ପରିଦର୍ଶନ କରିଛନ୍ତି। ସେ ଆସନ୍ତାକାଲି ପୁର୍ନବାର ଆଲୋଚନା କରିବେ ବୋଲି କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ କହିଛନ୍ତି, ଗତ ମାର୍ଚ୍ଚ ମାସରୁ ଏହି ଡ୍ରେନ ଉପରେ ଜବରଦଖଲକାରୀ ଦୋକାନଙ୍କୁ ହଟାଇବା ପାଇଁ ବିଏମ୍‌ସିକୁ ଚିଠି ଲେଖାଯାଇଛି। ହେଲେ ବିଏମ୍‌ସି ପକ୍ଷରୁ ଏଯାବତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ। ଡ୍ରେନ ଉପରୁ ଜବରଦଖଲ ହଟିଲେ ତୁରନ୍ତ କାମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି।