ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆଉ ୪ଦିନ ରହିଲା। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ରାସ୍ତାରେ ଟ୍ରାଫିକ୍ ଜାମ୍ ସମସ୍ୟା ନହେବା ପାଇଁ ରାସ୍ତା କଡ଼ ବ୍ୟବସାୟୀଙ୍କୁ ଉଠାଇବା ଠାରୁ ଆରମ୍ଭ କରି କାନ୍ଥବାଡ଼ରେ ରଙ୍ଗ ବୋଳା ଶେଷ ହେବାକୁ ବସିଲାଣି। ହେଲେ ରାଜଧାନୀର ମୁଖ୍ୟ ରାସ୍ତା କୁହାଯାଉଥିବା ଏଜି ଛକରୁ ରାଜମହଲ ଛକ ମଧ୍ୟରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ୟୁନିଟ-୨ ଫଳବଜାର ସମ୍ମୁଖରେ ଥିବା ଡ୍ରେନ୍ରୁ ପାଣି ଉଛୁଳି ରାସ୍ତା ସାରା ଭାସୁଛି। ଦିନେ କି ଦୁଇ ଦିନ ହେବ ନୁହେଁ ବରଂ ମାସାଧିକ ସମୟ ହେଲାଣି ଏଭଳି ସ୍ଥିତି ଲାଗିରହିଛି। ବ୍ୟବସାୟୀମାନେ ବାରମ୍ୱାର ଅଭିଯୋଗ କରିବା ପରେ ମଧ୍ୟ ସ୍ଥିତି ସୁଧୁରୁନାହିଁ। ଯିଏ ବି ରାସ୍ତାରେ ଯାଉଛି ତାକୁ ନାକରେ ରୁମାଲ ବାନ୍ଧି ଯିବାକୁ ପଡ଼ୁଛି। ଦୁଃର୍ଗନ୍ଧ ଯୋଗୁଁ ବ୍ୟବସାୟୀମାନେ ଦୋକାନରେ ବସି ପାରୁ ନାହାନ୍ତି। କେବଳ ଏହି ରାସ୍ତା ନୁହେଁ ଏକ ନମ୍ୱର ଭୂତଳ ବଜାରରୁ ଷ୍ଟେଟ ବ୍ୟାଙ୍କ୍ ପର୍ଯ୍ୟନ୍ତ ଥିବା ରାସ୍ତାରେ ମଧ୍ୟ ବର୍ଷ ତମାମ ନଳା ପାଣି ଭାସୁଛି।
ସୂଚନା ମୁତାବକ ଫଳ ବଜାର ଓ ପେଟ୍ରୋଲ ପମ୍ପ ମଧ୍ୟ ଦେଇ ଏକ କେବୁଲ ଲାଇନ ଯାଇଛି। ଡ୍ରେନ୍ ମରାମତି କରିବାକୁ ହେଲେ କେବୁଲ ଲାଇନ ମଧ୍ୟ ଖୋଲିବାକୁ ପଡ଼ିବ। ତେଣୁ ଏହାର କିଛି ସ୍ଥାୟୀ ସମାଧାନ ନଥିବାରୁ ଏହାକୁ ସଜଡ଼ା ଯାଉନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ଡ୍ରେନ୍ଗୁଡ଼ିକ କଂକ୍ରିଟ୍ରେ ପ୍ୟାକିଂ ହୋଇଥିବାରୁ ତାକୁ ଖୋଳାଯାଇ ପାଣି ନିସ୍କାସନ କରି ହେଉନାହିଁ। କୌଣସି ସ୍ଥାୟୀ ସମାଧାନ ନଥିବାରୁ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଅଭିଯୋଗ ପରେ ଏଠାରେ କାମଚଳାଇବା ପାଇଁ ପ୍ରତିଦିନ ବ୍ଲିଚିଂ ପଡ଼ୁଛି। ତେବେ ଏନେଇ କର୍ପୋରେଟର ଆସିଆ ବେଗମ୍ କହିଛନ୍ତି, ଏହି ଡ୍ରେନ୍ ପୂର୍ତ୍ତ ବିଭାଗ ଅଧିନରେ ରହିଛି। ସେ ବାରମ୍ୱାର କର୍ପୋରେସନ ବୈଠକରେ ଏହି ଡ୍ରେନ୍ କଥା ଉଠାଇଛନ୍ତି। ଏପରିକି ଗତ ମାସ ମେୟର ମଧ୍ୟ ଏହି ସ୍ଥାନ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସେ କହିଛନ୍ତି। ଅନ୍ୟପକ୍ଷରେ ଦୁଇରୁ ତିନି ଦିନ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ପୂର୍ତ୍ତ ବିଭାଗ ଲକ୍ଷ୍ୟ ରଖିଥିବା ସୂଚନା ଦିଆଯାଇଛି।