ରାସ୍ତାରେ ଡ୍ରେନ୍‌ ପାଣି : ଟାୟାର୍‌ ଜାଳି ରାଜପଥ ଅବରୋଧ

ମାତିଲେ, ଦେଖଣାହାରୀ ସାଜି ଲୁଚିଲେ

ଖଣ୍ଡଗିରି : ହଠାତ୍‌ ମାତିଲେ। ପୁଣି ହଠାତ୍‌ ଛପିଗଲେ। ଯେତିକି ଜୋର୍‌ରେ ଗର୍ଜନ କରି ମାଡ଼ି ଆସିଥିଲେ, ସେତିକି ଜୋର୍‌ରେ ପଛଘୁଞ୍ଚା ଦେଇ ଲୁଚିଲେ। ଟାୟାର୍‌ ଜାଳି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ, କିନ୍ତୁ ପୁଲିସ ପହଞ୍ଚିବାବେଳକୁ କେହି ନଥିଲେ। ପୁଲିସକୁ ଦେଖି ଭୟରେ ସବୁ ପାର୍‌ ହୋଇଗଲେ। ପୁଲିସ ସୁରୁଖୁରୁରେ ଜଳନ୍ତା ଟାୟାରକୁ ରାସ୍ତାରୁ ହଟାଇଲା ଓ ଏମିତିରେ ମାତ୍ର ୧୫ ମିନିଟ୍‌ ଭିତରେ ଆନ୍ଦୋଳନ ସରିଲା। ଗରଜିଲା ମେଘ ବରଷେ ନାହିଁ ନ୍ୟାୟରେ ଆନ୍ଦୋଳନ ସରିଗଲା। ଏ ହେଉଛି ଡୁମୁଡୁମା କସ୍‌ମୋପଲିସ୍‌ ନିକଟ ଜାତୀୟ ରାଜପଥ ସର୍ଭିସ୍‌ ରୋଡ୍‌ରେ ଲହଡ଼ି ମାରୁଥିବା ଡ୍ରେନ୍‌ ପାଣି ନିଷ୍କାସନ ଦାବିରେ ଆଜି ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନର କଥା।

ଗତ ପ୍ରାୟ ଏକ ମାସ ହେଲା ଏହି ରାସ୍ତାରେ ଡ୍ରେନ୍‌ ପାଣି ଜମି ରହୁଛି। ଡୁମୁଡୁମା ହାଉସିଂ ବୋର୍ଡ କଲୋନିର ଡ୍ରେନ୍‌ ପାଣି ଏଠାରେ ଜମି ରହୁଥିବାରୁ ଲୋକେ ଯାତାୟାତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଏମ୍‌ସି ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଜନ ଅସନ୍ତୋଷ ଲାଗି ରହିଥିଲା। ଆଜି ସକାଳ ପ୍ରାୟ ୧୦ଟା ସମୟରେ ହଠାତ୍‌ କିଛି ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଟାୟାର୍‌ ଜାଳି ଅବରୋଧ କରିଥିଲେ। ତୁରନ୍ତ ରାସ୍ତାରୁ ଡ୍ରେନ୍‌ ପାଣି ନିଷ୍କାସନ ପାଇଁ ଏକ ସ୍ଥାୟୀ ପ୍ରତିକାର ଦାବିରେ ଉତ୍ତ୍ୟକ୍ତ ଲୋକମାନେ ଏଭଳି ପଦକ୍ଷେପ ନେଇଥିଲେ। ଫଳରେ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଜାତୀୟ ରାଜପଥ ବନ୍ଦ ହୋଇ ଯାଇଥିଲା। ଶହଶହ ଯାନବାହାନ ରାସ୍ତା ଉପରେ ଅଟକି ରହିଥିଲା। ଖଣ୍ଡଗିରି ଟ୍ରାଫିକ୍‌ ଛକ ପର୍ଯ୍ୟନ୍ତ ଗାଡ଼ି ଲାଗିଗଲା। ଏକ ଆମ୍ବୁଲାନ୍‌ସ ଏଥିରେ ଫସିଗଲା।

ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଗଲା। କିଏ ଏନ୍‌ଏଚ୍‌ ଅବରୋଧ କରିଛି ବୋଲି ପୁଲିସ ପଚାରିଲା। ମାତ୍ର କେହି ଆଗକୁ ଆସିଲେ ନାହିଁ। ପୁଲିସ କେସ୍‌ ଭୟରେ ଆନ୍ଦୋଳନକାରୀମାନେ ଦେଖଣାହାରୀ ପାଲଟିଗଲେ। ପୁଲିସ ଜଳନ୍ତା ଟାୟାର ସବୁକୁ ରାସ୍ତାରୁ କାଢ଼ି ଦେଇଥିଲା ଓ ସଙ୍ଗେ ସଙ୍ଗେ ରାସ୍ତାରେ ଯାନାବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ମିଳିଥିବା ସୂଚନାନୁସାରେ ଏହି ସମସ୍ୟାର ସମାଧାନ ପାଇଁ ଖୁବ୍‌ ଶୀଘ୍ର ଏଠାରେ ଏକ ଅସ୍ଥାୟୀ ଡ୍ରେନ୍‌ ନିର୍ମାଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ପରେ ବିଏମ୍‌ସି ଓ ଏନ୍‌ଏଚ୍‌ କର୍ତୃପକ୍ଷ ମିଳିତଭାବେ ସ୍ଥାୟୀ ପ୍ରତିକାର କରିବେ। ସର୍ଭିସ୍‌ ରୋଡ୍‌ କଡ଼ରୁ ଜବରଦଖଲ ହଟାଯିବା ପରେ ସ୍ଥାୟୀ ଡ୍ରେନ୍‌ ନିର୍ମାଣ କରାଯିବ।

ସମ୍ବନ୍ଧିତ ଖବର