ରାସ୍ତାରେ ବହୁଛି ସ୍ବଜଳ ଧାରା ପାଣି, ମରାମତି ହେଉନି ଫଟା ପାଇପ୍‌

ବାଲିପାଟଣା: ପାଇପ୍‌ ଫାଟି ରାସ୍ତାରେ ପାଣି ଲହଡ଼ି ମାରୁଛି। ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା‌। ବାଟରେ ପାଇପ୍‌ ଫାଟି ଲିକ୍‌ ହୋଇଥିବାରୁ ଲୋକଙ୍କ ପାଖରେ ଯଥେଷ୍ଟ ପରିମାଣର ପାନୀୟ ଜଳ ପହଞ୍ଚି ପାରୁନାହିଁ। ଖୋଦ୍‌ ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ପ୍ରକଳ୍ପର ଏହି ଅବସ୍ଥା। କିନ୍ତୁ ବିଭାଗୀୟ ଅଧିକାରୀ ବା କର୍ମଚାରୀ କାହାର ନିଘା ନାହିଁ। ସପ୍ତାହେ ଉପରେ ବିତି ସାରିଥିଲେ ମଧ୍ୟ କେହି ମରାମତି କରାଇବା ନାଁ ଧରୁନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।

ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ଭିତରେ ବୋର୍ ୱେଲ୍‌ ଥିବା ଏହି ପ୍ରକଳ୍ପରୁ ବାଲିପାଟଣା ଛକ, ଚଣାହାଟ ଛକ ଓ ସରିପୁର ଗାଁକୁ ପାଇପ୍ ବିଛାଯାଇଛି। ପାଖାପାଖି ଏକ ହଜାର ଲୋକ ଏହି ପ୍ରଳକ୍ପ ଉପରେ ନିର୍ଭର କରୁଛନ୍ତି। ସକାଳେ ଓ ସଂଜରେ ଦୁଇ ବେଳା ପାଣି ଛଡ଼ାଯାଉଛି। କିନ୍ତୁ ଗତ ସପ୍ତାହରେ ବାଲିପାଟଣା ଷ୍ଟେଟ୍‌ ବ୍ୟାଙ୍କ ସାମ୍ନାରେ ସ୍ବଜଳ ଧାରା ପାଣି ପାଇପ୍ ଫାଟି ଯାଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ସରିପୁର ଗାଁକୁ ଆବଶ୍ୟକ ପରିମାଣର ଜଳ ପହଞ୍ଚି ପାରୁନାହିଁ। ଅନ୍ୟ ପକ୍ଷରେ ଫଟା ପାଇପ୍‌ ଯୋଗୁଁ ବାହ୍ୟ ଆବର୍ଜନା ସବୁ ପାଇପ୍‌ ଜଳ ସହିତ ମିଶୁଛି ବୋଲି ଅଭିଯୋଗ ହେଉଛି। ଏ ନେଇ ବାଲିପାଟଣା ବ୍ଲକର ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ସହ ଯୋଗଯୋଗ କରିବା ପରେ ସେ ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର