ଚନ୍ଦ୍ରଶେଖରପୁର: ଏକ ସୁସ୍ଥ ସୁନ୍ଦର ବାତାବରଣ ମଧ୍ୟରେ ରଖିବାକୁ ବସ୍ତିରୁ ନେଇ କୋଠାଘରେ ରଖିଲେ। ମାତ୍ର ସେଠାରେ ମଧ୍ୟ ସହିବାକୁ ପଡ଼ୁଛି ଡ୍ରେନ୍ ପାଣିର ନର୍ଦ୍ଦମାରୁ ସୃଷ୍ଟି ହୋଇଥିବା ପୋଖରୀର ଉତ୍କଟ ଗନ୍ଧକୁ। ଏପରି ଅଭିଯୋଗ କରିଥିଲେ ସହରାଚଞ୍ଚଳ ଆର୍ଥିକ ଦୁର୍ବଳ ଶ୍ରେଣୀ (ବିଏସ୍ୟୁପି) ଯୋଜନାରେ ଗାଡ଼କଣରେ ନିର୍ମିତ ହୋଇଥିବା ବାସଗୃହରେ ବାସ କରୁଥିବା ତାରିଣୀ ଓ ଅରବିନ୍ଦ ନଗର ବସ୍ତିର ଶତାଧିକ ପରିବାର। ଏମାନଙ୍କ ସହିତ ସାମିଲ ହୋଇଥିଲେ ନିକଟରେ ଥିବା କାଞ୍ଚନଜଙ୍ଗା ଆପାର୍ଟମେଣ୍ଟ୍୍ର ଅନେକ ପରିବାର। ୱାର୍ଡ ନଂ-୯ ଗାଡ଼କଣରେ ଥିବା ଏହି ସ୍ଥାନ ସତେଯେପରି ପାଲଟିଯାଇଛି ଏକ ପୁତିଗନ୍ଧମୟ ପରିବେଶ। ଉପରମୁଣ୍ଡରେ ଥିବା ମୁଖ୍ୟରାସ୍ତାରୁ ଗଡ଼ି ଆସୁଥିବା ଡ୍ରେନ୍ ପାଣି ତଳକୁ ଯିବାକୁ ବାଟ ନାହିଁ। ତେଣୁ ଚାରିଆଡ଼େ ଡ୍ରେନ୍ ପାଣି ଜମା ହୋଇ କାଞ୍ଚନଜଙ୍ଗା ଆପାର୍ଟମେଣ୍ଟ୍ ପଛ ପାଖ ତଥା ବିଏସ୍ୟୁପି ପ୍ରକଳ୍ପ ନିକଟସ୍ଥ ସ୍ଥାନ ପାଲଟିଯାଇଛି ନର୍ଦ୍ଦମାର ପୋଖରୀ। ଉତ୍କଟ ଗନ୍ଧ ଓ ମଶା ମାଛିଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା। ଉପର ଡ୍ରେନ୍ରୁ ଆସୁଥିବା ନର୍ଦ୍ଦମା ପାଣି ତଳ ଡ୍ରେନ୍ ସହିତ ମିଶିବାକୁ କୌଣସି ବ୍ୟବସ୍ଥା ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଏହାସହିତ ଏହି ସ୍ଥାନଦେଇ ଏକ ନିୟମିତ ଡ୍ରେନ୍ ନିର୍ମାଣ କରାଯିବାର ମଧ୍ୟ ଆବଶ୍ୟକତା ଥିବା ଦାବି ଜୋର୍ ଧରିଛି। ଏନେଇ ବିଏମ୍ସିରେ ଅଭିଯୋଗ କରିବା ପରେ ବିଏମ୍ସି ଉତ୍ତର ଜୋନ୍ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ଧରି କ୍ଷେତ୍ର ପରିଦର୍ଶନ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ତୁରନ୍ତ ସମାଧାନ ଓ ଏକ ନିୟମିତ ଡ୍ରେନ୍ ନିର୍ମାଣ ପ୍ରସ୍ତାବ ନିମନ୍ତେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ବିଭାଗୀୟ ଯନ୍ତ୍ରୀ ଏହି ଅଞ୍ଚଳକୁ ନର୍ଦ୍ଦମା ପାଣିରୁ ମୁକ୍ତ କରିବା ପାଇଁ ସାମୟିକ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟଯେ ତାରିଣୀ ଓ ଅରବିନ୍ଦ ନଗର ବସ୍ତିରେ ରହୁଥିବା ଶତାଧିକ ପରିବାର ଚଳିତ ମାସରେ ଗାଡ଼କଣରେ ନିର୍ମିତ ବିଏସ୍ୟୁପି ପ୍ରକଳ୍ପକୁ ଯାଇ ରହିବା ଆରମ୍ଭ କରିଛନ୍ତି। ତେବେ ନିକଟରେ ହୋଇଥିବା କାଳବୈଶାଖୀ ବର୍ଷା କାରଣରୁ ଏପରି ପରସ୍ଥିତି ସୃଷ୍ଟି ହୋଇଛି। ମୌସୁମୀ ପୂର୍ବରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ବର୍ଷା ଦିନେ ଏଠାରେ ରହିବା ମୁସ୍କିଲ୍ ହୋଇପଡ଼ିବ ବୋଲି ଅଭିଯୋଗ ହୋଇଛି।