ଭୁବନେଶ୍ବର: ଠିକାଦାରଙ୍କ ମନମାନିରେ ଚାଲିଛି ଡ୍ରେନ୍ ନିର୍ମାଣ କାମ। ବିଭାଗୀୟ ଏଷ୍ଟିମେଟ୍କୁ ଉଲ୍ଲଘଂନ କରି ନିଜ ଇଚ୍ଛାରେ ଚାଲିଛି କାମ। ଡ୍ରେନ୍ ୱାଲ୍ର ଚଉଡ଼ା କମ୍ କରାଯାଉଛି, ଅଧିକ ଫାଙ୍କ ରଖି ରଡ୍ ବନ୍ଧା ଯାଉଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ବାରଣ ସତ୍ତ୍ବେ ଠିକାଦାର ନିଜ ଇଚ୍ଛାରେ ଏଭଳି ନିମ୍ନମାନର କାମ କରୁଛନ୍ତି। ସ୍ଥାନୀୟ ଲୋକେ ପ୍ରତିବାଦ କଲେ ପାଲଟା ଧମକ ମିଳୁଛି। ଅଭିଯୋଗ ପାଇବା ପରେ ବି ବିଏମ୍ସି ଆଖି ବୁଜି ଦେଇଛି। ତେଣୁ ଠିକାଦାରଙ୍କ ଉପରେ କୌଣସି ଦିଗରୁ ଚାପ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଠିକାଦାରଙ୍କ ଏଭଳି ସ୍ବେଚ୍ଛାଚାରିତା ଦେଖିବାକୁ ମିଳିଛି ବିଏମ୍ସି ୬୪ ନଂ ଵାର୍ଡସ୍ଥିତ ପଞ୍ଚସଖାନଗର ଅଞ୍ଚଳରେ।
ବର୍ଷାଦିନେ ଏହି ଅଞ୍ଚଳରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା। ଡ୍ରେନ୍ ନଥିବାରୁ ବର୍ଷା ଜଳ ରାସ୍ତାଘାଟ ବୁଡ଼ାଇ ଦିଏ ଓ ଲୋକେ ଗୃହବନ୍ଦୀ ହୋଇପଡ଼ନ୍ତି। ବହୁ ଅଭିଯୋଗ ପରେ ବିଏମ୍ସିର ଡ୍ରେନେଜ୍ ବିଭାଗ ପକ୍ଷରୁ ୧.୭୧ କୋଟି ଟଙ୍କା ବ୍ୟୟରେ ଡ୍ରେନ୍ କାମ କରାଯାଉଛି। ପଞ୍ଚସଖାନଗରର ବେଲେଶ୍ବର ମନ୍ଦିର ସମ୍ମୁଖ ଲେନ୍, କସ୍ମୋପଲିସ୍ ସମେତ ଏହାର ଆଖାପାଖ ଅଞ୍ଚଳକୁ ଜଳବନ୍ଦୀରୁ ମୁକ୍ତ କରିବା ପାଇଁ ଛୋଟ ଛୋଟ ସବ୍ ଡ୍ରେନ୍ ତିଆରି କରାଯାଉଛି। ଗତ ପ୍ରାୟ ୧୦ ଦିନ ହେଲା ବେଲେଶ୍ବର ମନ୍ଦିର ସମ୍ମୁଖ ଅଞ୍ଚଳରେ କାମ ଆରମ୍ଭ ହୋଇଛି। ନିୟମାନୁସାରେ, ଡ୍ରେନ୍ ଵାଲ୍ର ଚଉଡ଼ା ୬ ଇଞ୍ଚ ରଖାଯିବ। ପ୍ରତି ୬ ଇଞ୍ଚ ବ୍ୟବଧାନରେ ରଡ୍ ବନ୍ଧା ଯାଇ ଢଳେଇ କରାଯିବ। ମାତ୍ର କଣ୍ଟ୍ରାକ୍ଟର ଡ୍ରେନ୍ ଵାଲ୍ର ଚଉଡ଼ା ୬ଇଞ୍ଚ ପରିବର୍ତ୍ତେ ୩ରୁ ୪ଇଞ୍ଚ କରିଛନ୍ତି। ସେହିଭଳି ରଡ୍ ବାନ୍ଧିବା ପାଇଁ ୬ଇଞ୍ଚ ପରିବର୍ତ୍ତେ ୮ରୁ ୧୦ଇଞ୍ଚ ବ୍ୟବଧାନ ରଖାଯାଉଛି। ଏପରିକି କିଛି କିଛି ସ୍ଥାନରେ ଏକ ଫୁଟ୍ ବ୍ୟବଧାନ ରଖାଯାଇଥିବା ଅଭିଯୋଗ ହୋଇଛି। ପଞ୍ଚସଖାନଗର ଉନ୍ନୟନ କମିଟି ଏ ସମ୍ପର୍କରେ ଠିକାଦାରଙ୍କୁ ଅଭିଯୋଗ କରିଥିଲେ ହେଁ ସେ କର୍ଣ୍ଣପାତ କରିନାହାନ୍ତି। ତେଣୁ କମିଟି ପକ୍ଷରୁ ଲିଖିତ ଆକାରରେ ବିଏମ୍ସି କମିସନର୍ଙ୍କୁ ଅଭିଯୋଗ କରାଯାଇଛି। ଏଭଳି ଅଭିଯୋଗ ବାବଦରେ କାମ ତଦାରଖ ଦାୟିତ୍ବରେ ଥିବା ବିଏମ୍ସି ଡ୍ରେନେଜ୍ ବିଭାଗ ଯନ୍ତ୍ରୀ ସର୍ବେଶ୍ବର ଜେନାଙ୍କୁ ପଚରାଯିବାରୁ ସେ ଏହି ଅନିୟମିତତାକୁ ସ୍ବୀକାର କରିଥିଲେ। କିନ୍ତୁ ଏକକାଳୀନ ୬ଟି ଜାଗାରେ କାମ ଚାଲୁଥିବାରୁ ସେ ଅନୁପସ୍ଥିତ ରହିବା ସୁଯୋଗରେ ଏଭଳି କିଛି ହୋଇଥିବା ମାନିଥିଲେ। ତେବେ ଅଭିଯୋଗ ଯେଉଁ ମାତ୍ରାରେ ହେଉଛି, ତାହା ପୂରା ଠିକ୍ ନୁହେଁ ବୋଲି ସେ କହିଥିଲେ। ସେ ଯେତେ ସମୟ କାମ ଉପରେ ରହୁଛନ୍ତି, ନିୟମାନୁସାରେ କାମ ହୋଇଛି ବୋଲି କହିଛନ୍ତି।
ଉନ୍ନୟନ କମିଟିର ସଂପାଦକ ହାଡ଼ିବନ୍ଧୁ ଦାସଙ୍କ କହିବା କଥା, କଣ୍ଟ୍ରାକ୍ଟର୍ ସେମାନଙ୍କ କୌଣସି ଅଭିଯୋଗକୁ ଶୁଣୁନାହାନ୍ତି। ଏନେଇ ସେମାନେ ଜେଇଙ୍କୁ ମଧ୍ୟ ଅବଗତ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ନିମ୍ନମାନର କାମ ଯୋଗୁଁ ଏହି ଡ୍ରେନ୍ ଖୁବ୍ କମ୍ ଦିନରେ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ଏହି କାମ ନେଇଥିବା ଠିକା ସଂସ୍ଥା ନୂଆପଲ୍ଲୀ ୟୁରେକା ଛକରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଡ୍ରେନ୍ କାମ ନେଇ ନିମ୍ନମାନର କରିଥିଲା। ଫଳରେ ଦ ଵାର୍ଲ୍ଡ ଛକ ନିକଟରେ ଡ୍ରେନ୍ର ଗାର୍ଡଵାଲ୍ ଭୁଶୁଡ଼ି ପଡ଼ିଥିଲା। ସେତେବେଳେ ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା ଓ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଚିଠି ଲେଖି ଡ୍ରେନେଜ୍ ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।