ଆଉ ଜଳବନ୍ଦୀ ହେବନି ରାଜଧାନୀ

୨୬୪ଟି ଡ୍ରେନ୍‌ ପ୍ରକଳ୍ପ କାମ ହେଉଛି,  ୫୬ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସ୍‌

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ବରର ସବୁଠୁ ବଡ଼ ସମସ୍ୟା ହେଉଛି ଅସରାଏ ବର୍ଷାରେ ଅଧା ସହର ଜଳବନ୍ଦୀ ହୋଇଯିବା। ବହୁ ଅଞ୍ଚଳରେ ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଜମେ। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଜାରି ରହିଛି। ଏପରିକି ରାଜଧାନୀର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ହଜାରେ କୋଟିର ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହି ହଜାରେ କୋଟି ଟଙ୍କା ଏବେ ସୁଦ୍ଧା ମିଳିନି କିନ୍ତୁ ରାଜଧାନୀରେ ଯେପରି ଜଳବନ୍ଦୀ ସମସ୍ୟା ନହେବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ଉଦ୍ୟମ ହେଉଛି। ଆସନ୍ତା ବର୍ଷ ରାଜଧାନୀରେ ଜଳବନ୍ଦୀ ସମସ୍ୟା ରହିବନି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ନୂଆ ଡ୍ରେନ୍‌ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ୧୧୦ କୋଟି ଖର୍ଚ୍ଚ କରିବ ବୋଲି ଆକଳନ କରିଥିଲା। କରୋନା ଭିତରେ ବି ଏହି କାମ ଏବେ ଜୋରଦାର ଚାଲିଛି। ଚଳିତ ବର୍ଷା ଋତୁ ପୂର୍ବରୁ କିଛି ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ହୋଇଛି। ଯାହା ଅଛି, ଆସନ୍ତା ମାର୍ଚ୍ଚ ପୂର୍ବରୁ ଶେଷ ହେବ ବୋଲି ବିଏମ୍‌ସି କମିସନର୍‌ କହିଛନ୍ତି। ଏପରିକି ରାଜଧାନୀର ଅତି ସମ୍ବେଦନଶୀଳ ୨୭ଟି ସ୍ଥାନରେ ଆସନ୍ତା ବର୍ଷା ଋତୁ ପୂର୍ବରୁ ଡ୍ରେନ୍‌ କାମ ସରିବ। ‌ଜଳବନ୍ଦୀ ସମସ୍ୟା ଜମା ରହିବନି ବୋଲି କମିସନର ଦୃଢ଼ତାର ସହ କହିଛନ୍ତି।

ସେହିପରି ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି ଯେ ରାଜଧାନୀରେ ଯେପରି କୌଣସି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ନ ହେବ, ସେଥିପାଇଁ ଏବେ ଜୋରଦାର୍ କାମ ହେଉଛି। ୨୬୪ଟି ଡ୍ରେନ୍‌ ପ୍ରକଳ୍ପ କାମ ହେଉଛି। କେତେକ ସ୍ଥାନରେ ନୂଆ ଡ୍ରେନ୍‌ ନିର୍ମାଣ ହେଉଛି ତ କିଛି ସ୍ଥାନରେ ପୁରୁଣା ଡ୍ରେନ୍‌ର ପୁନରୁଦ୍ଧାର କରାଯାଉଛି। ରାଜଧାନୀର ୫୬ଟି ସମ୍ବେଦନଶୀଳ ଅଞ୍ଚଳକୁ ଫୋକସ୍‌ କରାଯାଇଛି। ଏଥିରେ ଜାଗମରା ମଲ୍ଲିକ କମ୍ପ୍ଲେକ୍ସରୁ ଆରମ୍ଭ କରି ଇସ୍କନ୍‌ ମନ୍ଦିର ସମ୍ମୁଖ ଜଳ ନିଷ୍କାସନ ପାଇଁ ନୂଆପଲ୍ଲୀ ବେହେରା ସାହି, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ବର, ପୋଖରୀପୁଟ, ଭାଗବତସନ୍ଧାନ, ବୈରାଗୀନଗର, ଗୌରୀ ଗାର୍ଡେନ୍‌ ଭଳି ଅଞ୍ଚଳରେ ଆଗାମୀ ଦିନରେ ଜଳବନ୍ଦୀ ସମସ୍ୟା ଦେଖାଯିବନି।

ଶ୍ରୀ ମହାପାତ୍ରଙ୍କ କହିବାନୁଯାୟୀ, ଚଳିତ ବର୍ଷା ଋତୁ ପୂର୍ବରୁ ଆଚାର୍ଯ୍ୟ ବିହାରରେ ୬ କୋଟି ଟଙ୍କାରେ ଡ୍ରେନ୍‌ ନିର୍ମାଣ ହୋଇଥିଲା। ଯେଉଁଥିପାଇଁ ଏବର୍ଷ ଜଳବନ୍ଦୀ ସମସ୍ୟା ନାହିଁ। ସୌଭାଗ୍ୟନଗରରେ ଡ୍ରେନ୍‌ ନିର୍ମାଣ ସରିଛି, ଇସ୍କନ୍‌ ସମ୍ମୁଖ ଜଳ ନିଷ୍କାସନ ପାଇଁ ବେହେରା ସାହିରେ ୧୦କୋଟି ଟଙ୍କାରେ ନିର୍ମାଣ ଚାଲିଛି, ବୈରାଗୀ ନଗରରେ କୋଟିଏ ଟଙ୍କାରେ, ମୁଖ୍ୟ ଡ୍ରେନ୍‌-୧(ସି), ଜାଗମରାରେ ୮(ଏ) ଡ୍ରେନ୍‌, ମଲ୍ଲିକ କମ୍ପ୍ଲେକ୍ସରେ ନୂଆ ଡ୍ରେନ୍‌, ଭାଗବତ ସନ୍ଧାନରେ ୩କୋଟି ଟଙ୍କାରେ ନୂଆ ଡ୍ରେନ୍‌, ଲକ୍ଷ୍ମୀସାଗରରେ ମୁଖ୍ୟ ଡ୍ରେନ୍‌-୫, ଚିନ୍ତାମଣିଶ୍ବରରେ ମୁଖ୍ୟ ଡ୍ରେନ୍‌-୬ ପାଇଁ ୪କୋଟି ଟଙ୍କାରେ କାମ ହେଉଛି। ଏହି ସବୁ ଡ୍ରେନ୍‌ ହୋଇଗଲେ ବହୁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର ହୋଇଯିବ। ସେହିପରି ଚନ୍ଦ୍ରଶେଖରପୁରରେ ଶ୍ରୀଲେଦର ସୋରୁମ୍‌ ନିକଟରୁ ଅହଲ୍ୟା ନଗର ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ହେବ। ଏଥିପାଇଁ ୯କୋଟି ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି।

ବିଏମ୍‌ସି ପକ୍ଷରୁ ଏଥର ସବୁ ଅଞ୍ଚଳରେ କଙ୍କ୍ରିଟ ଡ୍ରେନ୍‌ ନିର୍ମାଣ କରାଯାଉଛି। ଯାହା ଦୀର୍ଘସ୍ଥାୟୀ ହେବା ସହ ଜଳ ନିଷ୍କାସନରେ ସମସ୍ୟା ରହିବନି। ବିଏମ୍‌ସି ସିଟି ଇଞ୍ଜିନିୟରଙ୍କ କହିବାନୁଯାୟୀ, ଏଥର କରୋନା କଟକଣା ପାଇଁ କାମ ପ୍ରାୟ ୨ମାସ ବନ୍ଦ ହୋଇଗଲା। ତେଣୁ ଅଧପନ୍ତରା ରହିଯିବାରୁ କିଛି ଅଞ୍ଚଳରେ ପାଣି ଜମିଲା। ହେଲେ ଏବେ ଜୋରସୋର୍‌ରେ କାମ ଚାଲିଛି, ଆଗକୁ ଏହି ସମସ୍ୟା ଦେଖାଯିବନି। ଏବେ ଡ୍ରେନ୍‌ କାମ ପାଇଁ ଅର୍ଥ ବାଧକ ସାଜିବନି। ରାଜଧାନୀରେ ଯେପରି କୌଣସି ଅଞ୍ଚଳ ଜଳବନ୍ଦୀ ହୋଇ ରହିବନି, ସେନେଇ ଯାହା ହୋଇପାରିବ, ତାହା କରିବାକୁ କମିସନର୍‌ କହିଛନ୍ତି। ତେଣୁ କୌଣସି କାମରେ ଅର୍ଥ ବାଧକ ସାଜିବନି କି ଅନ୍ୟ କିଛି ସମସ୍ୟା ରହିବନି।

ସମ୍ବନ୍ଧିତ ଖବର