କଳିଙ୍ଗ ଷ୍ଟୁଡିଓରୁ ସମ୍ ହସ୍ପିଟାଲ ରାସ୍ତାରେ ନାଳ ପାଣି ଭାସିବା ପ୍ରସଙ୍ଗ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଫେଲ୍ ମାରିଛି

ସୁଧୁରୁନି ସମସ୍ୟା; ପୂର୍ତ୍ତ ବିଭାଗ ତଦାରଖ କରିବ କେବେ?

ଖଣ୍ଡଗିରି: କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ରାଷ୍ଟ୍ରୀୟ ଆୟୁର୍ବେଦ ଔଷଧ ବିକାଶ ଗବେଷଣା ପ୍ରତିଷ୍ଠାନ ସମ୍ମୁଖସ୍ଥ ରାସ୍ତାରେ ନାଳ ପାଣି ଭାସିବା ଥମୁନାହିଁ। ଦିନକୁ ଦିନ ନାଳ ପାଣି ସେଠାରେ ଜମି ରହି ପୂତିଗନ୍ଧମୟ ପରିସ୍ଥିତ ସୃଷ୍ଟି କରୁଛି ସିନା କୌଣସି ସମାଧାନର ବାଟ ଫିଟୁନାହିଁ। କିଛି ଦିନ ତଳେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଗସ୍ତରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଡ୍ରେନ୍ ପାଣି ସମସ୍ୟାର ସମାଧାନ ପୂର୍ତ୍ତ ବିଭାଗ କରିବ। ଏନେଇ ସେ ଏକ ଟିମ୍‌ କରି ଘଟଣାର ଯାଞ୍ଚ କରିବା ପରେ ଡ୍ରେନ୍‌ରେ ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବ ବୋଲି ସ୍ଥିର ହୋଇଥିଲା। ମାତ୍ର ଏଯାବତ୍ ପୂର୍ତ୍ତ ବିଭାଗ ଦେଇଥିବା ପ୍ରତିଶ୍ରୁତି ମୁତାବକ ସମସ୍ୟାର ତଦାରଖ କରିନାହିଁ।

କଠିନ ବର୍ଜ୍ୟବସ୍ତୁ ପରିଚାଳନା ଫେଲ୍ ମାରିଛି
ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, କଳିଙ୍ଗ ଷ୍ଟୁଡିଓ ଓ ଆୟୁର୍ବେଦ ଗବେଷଣା କେନ୍ଦ୍ର ସମେତ ଏହାର ଆଖପାଖ ଅଞ୍ଚଳରେ ନାଳପାଣି ରାସ୍ତାରେ ଭାସିବାର ମୁଖ୍ୟ କାରଣ ହେଉଛି କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳତା। ଅର୍ଥାତ୍ ଭରତପୁର ବସ୍ତି ସମେତ ଲକ୍ଷ୍ମୀବିହାର, ଜୟଦୁର୍ଗାନଗର ଓ ଏହାର ଆଖପାଖ ଅଞ୍ଚଳରୁ ଆସୁଥିବା ମଇଳା ପାଣିରେ କଠିନ ବର୍ଜ୍ୟବସ୍ତୁ ଯେପରିକି ଜରି, ବୋତଲ, କାଚ ଓ ପ୍ଲାଷ୍ଟିକ୍ ସାମଗ୍ରୀ, ବିଭିନ୍ନ ଖାଦ୍ୟ ସାମଗ୍ରୀ ମିଶ୍ରିତ ଭାବେ ଆସୁଛି। ପୂର୍ତ୍ତ ବିଭାଗର ଡ୍ରେନ୍‌କୁ ସଂଯୋଗ କରୁଥିବା ଗଳି ରାସ୍ତା ପାର୍ଶ୍ବର ଏହି ଡ୍ରେନ୍‌ରେ ମଝିରେ ଏକ ଜାଲି ଦିଆଯାଇଛି। ଯାହା ମଇଳା ପାଣିରୁ କଠିନ ବର୍ଜ୍ୟବସ୍ତୁକୁ ପୃଥକ କରୁଛି। ତେବେ ଏହି କଠିନ ବର୍ଜ୍ୟବସ୍ତୁକୁ ନିୟମିତ ବ୍ୟବଧାନରେ ସଫା କରାଯିବା କଥା। ବିଏମ୍‌ସି ପକ୍ଷରୁ ସଫେଇ ପାଇଁ ଠିକା ଦିଆଯାଇଥିବା ସଂସ୍ଥା ରାମ୍‌କି ଏହି କାମକୁ କରିବା କଥା। ମାତ୍ର ନିୟମିତ ବ୍ୟବଧାନରେ ଏହି କାମ ହେଉ ନ ଥିବାରୁ ଉକ୍ତ ଜାଲି ନିକଟରେ ଅଳିଆ ଠୁଳ ଲାଗି ଜାମ୍‌ ହୋଇ ରହୁଛି। ରାମ୍‌କି ସାନିଟେସନ୍‌ ବାବଦକୁ ପ୍ରତି ମାସକୁ କୋଟି କୋଟି ଟଙ୍କା ବିଏମ୍‌ସି ପାଖରୁ ନେଉଥିବା ବେଳେ ଡ୍ରେନ୍‌ରୁ ଅଳିଆ କାଢ଼ୁନାହିଁ କି ସଂପୃକ୍ତ ଵାର୍ଡର ସାନିଟାରୀ ଇନ୍ସପେକ୍ଟର ମଧ୍ୟ ଏନେଇ କୌଣସି ତଦାରଖ କରୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

୩ ବର୍ଷ ତଳେ ଏହି ଅଞ୍ଚଳରେ ସମାନ ସ୍ଥିତି ଉପୁଜିଥିଲା। ମାତ୍ର ସେତେବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍‌ କାମ ହୋଇଥିଲା। ତେବେ ସମସ୍ୟା ଦେଖାଦେବା ପରେ ପୂର୍ତ୍ତ ବିଭାଗ ଡ୍ରେନ୍ କାମ କରି ସବୁ ସମସ୍ୟା ତୁଟାଇଥିଲା। ତେବେ ସ୍ଥାନୀୟ ଲୋକଙ୍କଠାରୁ ଆବର୍ଜନା ସଂଗ୍ରହ କରିବା ସମୟରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପୃଥକ୍‌କରଣ କରାଯାଇ ସଂଗ୍ରହ କରାଯାଉନଥିବାରୁ ଏହା ନାଳ ପାଣି ଭାସିବାର ମୁଖ୍ୟ ସମସ୍ୟା ବୋଲି ଜଣାପଡ଼ିଛି। ଏଥିପାଇଁ କେବଳ ସ୍ଥାନୀୟ ଲୋକ ନୁହେଁ ଜାତୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି। ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଦ୍ବାର ପାର୍ଶ୍ବରେ ଥିବା ଅନ୍ୟ ଦୁଇଟି ଗେଟ୍‌କୁ ନାଳ ପାଣି ମାସ ମାସ ଧରି ଅବରୋଧ କରୁଛି। ଯେଉଁଥିପାଇଁ ଉକ୍ତ ଗେଟ୍‌କୁ ଆଉ ପ୍ରତିଷ୍ଠାନ ପକ୍ଷରୁ ଖୋଲାଯାଉ ନାହିଁ କି ଲୋକେ ଆଉ ସେପଟେ ଯାତାୟତ ମଧ୍ୟ କରୁନାହାନ୍ତି।

ସେହିଭଳି କଳିଙ୍ଗନଗର ରେସିଡେଣ୍ଟ୍ସ ୱେଲଫେୟାର୍ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ ଗତ କିଛି ଦିନ ତଳେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ପୂର୍ବତନ ଜନପ୍ରତିନିଧି, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ଡିଭିଜନ୍‌-୫ର ଯନ୍ତ୍ରୀଙ୍କ ସମେତ ବିଏମ୍‌ସି ଅଧିକାରୀଙ୍କୁ ​ନେଇ ଏକ ବୈଠକ ବସିଥିଲା। ବୈଠକରେ ସମସ୍ୟାର ମୂଳ କାରଣକୁ ଚିହ୍ନଟ କରିବା ପାଇଁ ଏକ ଟିମ୍ ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଟିମ୍ ଯାଞ୍ଚ୍ କରି ସମସ୍ତ ସମସ୍ୟାକୁ ସମାଧାନ କରିବ ବୋଲି କୁହାଯାଇଥିଲା। ତେବେ ଯେଉଁଦିନ ବୈଠକ ବସିଥିଲା ତା’ର ଦୁଇ ଦିନ ପୂର୍ବରୁ ଡ୍ରେନ୍‌ରେ ଜମିଥିବା କିଛି କଠିନ ବର୍ଜ୍ୟବସ୍ତୁ କଢ଼ାଯାଇ ଜଳ ନିଷ୍କାସନ ଜରିଆରେ ଲୋକଙ୍କୁ ସନ୍ତୁଷ୍ଟ କରାଯାଇଥିଲା। ହେଲେ କଠିନ ବର୍ଜ୍ୟବସ୍ତୁରେ ପୋତି ହୋଇଯାଇଥିବା ନା​ଳକୁ ପୂରା ସଫା କରାଯାଇନଥିଲା। ଯେଉଁଥିପାଇଁ ବୈଠକ ହେବାର ମାତ୍ର କେଇ ଘଣ୍ଟା ପରେ ପୁଣିଥରେ ରାସ୍ତାରେ ନାଳ ପାଣି ଭାସୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର