ଭୁବନେଶ୍ୱର(ବିବୁଧ ମହାନ୍ତି): ଅସରାଏ ବର୍ଷା ହେଉ ହେଉ ଇସ୍କନ ସାମ୍ନା ରାସ୍ତାରେ ଅଣ୍ଟାଏ ପାଣି। ସମସ୍ୟା ଆଜିର ନୁହେଁ, ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଏହାକୁ ସମାଧାନ କରିବାକୁ ଯେ କେହି ଉଦ୍ୟମ କରୁନାହାନ୍ତି, ସେ କଥା ବି ନୁହେଁ। ବିଏମ୍ସି, ବିଡିଏ, ବିଏସ୍ସିଏଲ୍, ଏନ୍ଏଚ୍ଏଆଇ ସମସ୍ତେ ଲାଗି ପଡ଼ିଛନ୍ତି। ପୂର୍ତ୍ତ ବିଭାଗ ଡ୍ରେନେଜ୍ ପ୍ଲାନ୍ ଦେଇଛି। ବିଦେଶରୁ ଜିଆଇଜେଡ୍ ଜ୍ଞାନକୌଶଳ ସହାୟତା ମିଳିଛି। କମିସନର୍, ମେୟର୍ ବି ଏହାକୁ ନେଇ ଘନଘନ ସମୀକ୍ଷା କରିଛନ୍ତି। କିନ୍ତୁ ଏସବୁ ସତ୍ତ୍ବେ ଫଳ ଶୂନ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଏ ବାବଦ ଚିଠିର ଉତ୍ତର ମଧ୍ୟ ଆସିନାହିଁ। ଏବେ କିଏ ଏହି ସମସ୍ୟା ସମାଧାନ କରିବ? ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ।
୨୦୧୭ ମସିହାରେ ଇସ୍କନ ସାମ୍ନାରେ ଭୟଙ୍କର ପରିସ୍ଥିତି ହୋଇଥିଲା। ଅଚାନକ ହୋଇଥିବା ଘଣ୍ଟାଏ ବର୍ଷାରେ ଇସ୍କନ ସାମ୍ନାରେ ଛାତିଏ ଉଚ୍ଚର ପାଣି ଛିଡ଼ା ହୋଇଥିଲା। ରାସ୍ତା ଉପରେ ଥୁଆ ହୋଇଥିବା କାର୍, ବାଇକ୍ ଭାସିଥିଲା। ପାଣି ଭିତରେ ବସ୍ ଛିଡ଼ା ହୋଇ ରହିଥିଲା। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ବିଏମ୍ସି, ବିଡିଏ, ଏନ୍ଏଚ୍ଏଆଇ ସବୁ ତତ୍ପର ହୋଇ ଉଠିଥିଲେ। ମୁଖ୍ୟମନ୍ତ୍ରୀ ବି ଘଟଣାକୁ ଗୁରୁତ୍ବର ସହ ନେଇ ଏ ବାବଦରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଥିଲେ। ଇସ୍କନ୍ରୁ ବାଣୀବିହାର ପର୍ଯ୍ୟନ୍ତ ଡ୍ରେନ୍ ତିଆରି କରି ଏହି ଅଞ୍ଚଳକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସେ ଚିଠିର ଆଜି ଯାଏ ଉତ୍ତର ଆସିଲାନି କି ଏନ୍ଏଚ୍ଏଆଇ ବି କିଛି କଲା ନାହିଁ।
ସ୍ମାର୍ଟ ସିଟିର ଜିଆଇଜେଡ୍ ଟେକ୍ନୋଲୋଜି ଉଭାନ
ନଥି ଭିତରେ ‘ମୁଁ ସିଟି ସେଭିୟର’ ଆପ୍
ଗଡ଼କରୀଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ଆସୁନି
୨୦୧୮ ମସିହାରେ ବିଏମ୍ସି, ବିଡିଏ ମିଳିତ ଭାବେ ସର୍ବେକ୍ଷଣ କଲେ। କ୍ରିଷ୍ଣା ଟାୱାର ସାମ୍ନାରେ ଥିବା ସାଇଫନ୍କୁ ସଫା କଲେ। ହେଲେ ଏହା କାମ ଦେଲା ନାହିଁ। ଏହା ପରେ ଏନ୍.ଏଚ୍ ସର୍ଭିସ୍ ରୋଡ୍କୁ ଲାଗି ରହିଥିବା ଡ୍ରେନ୍ ଅଙ୍କାବଙ୍କା ଥିବାରୁ ଏହାକୁ ବେହେରାସାହି ପର୍ଯ୍ୟନ୍ତ ୧୨ମିଟର ଓସାରରେ ପୁନରୁଦ୍ଧାର କରିବାକୁ ଯୋଜନା ହେଲା। ଏଥିରେ କିଛି ଘରୋଇ ଜମି ଅଧିଗ୍ରହଣ ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ଯୋଜନା ହେଲା। ଏହାର ବାସ୍ତବତା ନ ରହିବାରୁ ପୂର୍ତ୍ତ ବିଭାଗ ଏଠାରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରାୟ ଶହେ କୋଟି ଟଙ୍କାର ଡ୍ରେନ୍ ନିର୍ମାଣ ଯୋଜନା ପ୍ରସ୍ତୁତ କଲା। ଏହା ମଧ୍ୟ ଶୀତଳଭଣ୍ଡାରରେ ପଡ଼ି ରହିଲା।
ଶେଷରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ଏଥିରେ ମୁଣ୍ଡ ପୂରାଇଲା। ‘ଜିଆଇଜେଡ୍’ ବିଦେଶୀ(ଜର୍ମାନ) ଜ୍ଞାନକୌଶଳ ବ୍ୟବହାର କରି ଏଠାକାର ଜଳବନ୍ଦୀ ସମସ୍ୟା ସମାଧାନ କରିବା ପାଇଁ କ୍ଷେତ୍ର ପରିଦର୍ଶନ କଲା। ୩ଟି ବଡ଼ ବଡ଼ ସମ୍ପ ତିଆରି କରି ଜମୁଥିବା ପାଣିକୁ ସେଠାରେ ମହଜୁଦ ରଖିବା ପାଇଁ ଯୋଜନା କଲା। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳ ହେଲା। କେବଳ ସେତିକି ନୁହେଁ, ବରଂ ‘ମୁଁ ସିଟି ସେଭିୟର ଆପ୍’ ଜରିଆରେ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ତତ୍କ୍ଷଣାତ୍ ଜାଣିବା ଓ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲା। ଯେଉଁଠି ପାଣି ଜମିବ ଏହି ଆପ୍ ଜରିଆରେ ଜଣାପଡ଼ିଥା’ନ୍ତା। ହେଲେ ଏ ସବୁ ଧୂଆଁବାଣ ହୋଇଯାଇଛି।
ବିଏମ୍ସି ପରିଚାଳନା କରୁଥିବା ୬୨୫ କିଲୋମିଟର ଡ୍ରେନ୍ ଗଙ୍ଗୁଆ ସହ ସଂଯୁକ୍ତ ଥିବା ବେଳେ ସମସ୍ତ(୧୦ଟି) ପ୍ରାକୃତିକ ନଳା ମଧ୍ୟ ଗଙ୍ଗୁଆ ସହ ସଂଯୁକ୍ତ ହୋଇଛି। ଏଣୁ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗଙ୍ଗୁଆକୁ ନିଜ ଅଧୀନକୁ ଆଣି ଏହାର ପୁନରୁଦ୍ଧାର କଲେ ଜଳବନ୍ଦୀ ସମସ୍ୟା ଦୂର ହେବ ବୋଲି ବିଏମ୍ସି ଆଶା କରିଥିଲା। ଗଙ୍ଗୁଆକୁ ନିଜ ଅଧୀନକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ ହେବା ସହ ଜଳସମ୍ପଦ ବିଭାଗ ଏହାକୁ ହସ୍ତାନ୍ତର କରିବ ବୋଲି ଚିଠି ଲେଖିଲା। ହେଲେ ବିଏମ୍ସି ନିଜର ଅକ୍ଷମତା ଦର୍ଶାଇ ଏହାକୁ ନିଜ ଅଧୀନକୁ ଆଣିନଥିଲା।
ଜଳ ନିଷ୍କାସନ ସମସ୍ୟା ସୁଧାରିବା ପାଇଁ କୌଣସି ଯୋଜନା କାଟୁ ନ କରିବାରୁ ଇସ୍କନ ସାମ୍ନା ରାସ୍ତା ସହ ରହିଥିବା ସମାନ୍ତରାଳ ରାସ୍ତାକୁ ନୂଆପଲ୍ଲୀ ଅଣ୍ଡରପାସ୍ ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରି ବ୍ୟବହାରଯୋଗ୍ୟ କରିବାକୁ ଯୋଜନା ହୋଇଥିଲା। ପାଣି ଜମିଥିଲେ ଜମିଥାଉ, ଅନ୍ତତଃ ରାସ୍ତା ବନ୍ଦ ନ ହେଉ ବୋଲି ବିଏମ୍ସି ଆଶା କରିଥିଲା। ଏଥିପାଇଁ ଇସ୍କନକୁ ବିଏମ୍ସି ନୋଟିସ୍ ଦେଇଥିଲା। ଗ୍ୟାଷ୍ଟ୍ରୋକେୟାର ହସ୍ପିଟାଲ ଓ ପେଟ୍ରୋଲ ଟାଙ୍କି ସାମ୍ନାରେ ଜବରଦଖଲ ଉଚ୍ଛେଦ କରିବା ଆରମ୍ଭ କରିଥିଲା। ହେଲେ କ’ଣ ହେଲା କେଜାଣି, କେଉଁ ଅଦୃଶ୍ୟ ଚାପରେ ଚେପା ହୋଇ ବିଏମ୍ସି ଏହି ସମାନ୍ତରାଳ ରାସ୍ତାର ମାତ୍ର ୧୮୦ ମିଟର ଆଉ ଜବରଦଖଲମୁକ୍ତ କରିପାରିଲା ନାହିଁ।
ଏବେ କାହା ପାଖରେ କିଛି ଯୋଜନା ନାହିଁ। ବିଏମ୍ସି କହିଛି ଆମେ ଏନ୍ଏଚ୍ଏଆଇକୁ ଚିଠି ଲେଖିଛୁ। ବିଡିଏ କହିଛି ଏନ୍ଏଚ୍ଏଆଇ ସହ ନିକଟ ଭବିଷ୍ୟତରେ ଏକ ସମନ୍ବୟ ବୈଠକ ବସିବାକୁ ଯାଉଛି। ପୂର୍ତ୍ତ ବିଭାଗ କହିଛି ଏଥିରେ ଆମର କିଛି ଭୂମିକା ନାହିଁ। ପୂର୍ବରୁ ହୋଇଥିବା ଡ୍ରେନେଜ୍ ପ୍ଲାନ୍ ଏବେ ବି ରହିଛି। ଏହା ମଞ୍ଜୁର ହେଲେ ଆମେ ଡ୍ରେନ୍ ତିଆରି କରିଦେବୁ। ସ୍ମାର୍ଟ ସିଟି କହିଛି ଆମେ କେବଳ ଜ୍ଞାନକୌଶଳ ଦେବାକୁ ରହିଥିଲୁ। ତେବେ କିଏ ଦାୟିତ୍ବ ନେବ? ଆସନ୍ତା ବର୍ଷାଋତୁରେ ଏଠାରେ ଜଳବନ୍ଦୀ ହେଲେ କିଏ ଦାୟୀ ରହିବ?
ଟ୍ବିଟର୍ରେ ସାଂସଦଙ୍କୁ ଘେରିଲେ ଶ୍ରୀମୟୀ
/sambad/media/post_attachments/wp-content/uploads/2023/04/31-2.jpg)
Odisha Bytes
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜଧାନୀର ଜଳବନ୍ଦୀ ପ୍ରସଙ୍ଗରେ ବାରମ୍ବାର ଚର୍ଚ୍ଚାକୁ ଆସିଛନ୍ତି। ଜଳବନ୍ଦୀ ସମସ୍ୟା ଉପୁଜିଲେ ସେ ଏନ୍ଏଚ୍ଆଇ ସହ ଆଲୋଚନା କରିଛନ୍ତି ବା କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବୋଲି କହି ବାହାଦୂରୀ ନେଇଥା’ନ୍ତି। କିନ୍ତୁ ଏଯାବତ୍ କ’ଣ ସମାଧାନ ହୋଇଛି, ତାହା ସମସ୍ତେ ଜାଣନ୍ତି। ଗତ ତିନି ଦିନ ଧରି ଇସ୍କନ ସାମ୍ନାରେ ଜମିଥିବା ପାଣିରେ ସ୍କୁଟି ଭାସିଯିବା, ବାଇକ୍ ବୁଡ଼ିଯିବା, ପୁଲିସ ଭ୍ୟାନ୍ ଠେଲା ହେବା, ମୋ’ ବସ୍ ପାଣି ଭିତରେ ଛିଡ଼ା ହୋଇ ରହିବା ଆଦି ଅଭାବନୀୟ ପରିସ୍ଥିତି ଉପୁଜିବାକୁ ନେଇ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ସାଂସଦଙ୍କୁ ଟ୍ୟାଗ୍ କରି ସେ ଟ୍ବିଟ୍ କରିଛନ୍ତି ଯେ ‘ଆପଣ ଭୁବନେଶ୍ୱରର ସାଂସଦ। ଆପଣଙ୍କୁ ଆମର ପ୍ରଶ୍ନ, ଭୁବନେଶ୍ୱର ଛାତି ଉପର ଦେଇ ଯାଇଥିବା ଜାତୀୟ ରାଜପଥ ଯୋଗୁଁ ପ୍ରତିବର୍ଷ ବର୍ଷା ଋତୁରେ ଏହାର ଉଭୟ ପାର୍ଶ୍ୱ ଯେଉଁଭଳି ଜଳମଗ୍ନ ହୋଇ ସମସ୍ୟା ସୃଷ୍ଟି ହେଉଛି, ସେ ବିଷୟରେ ଆପଣ ଜାଣନ୍ତି ତ? ରାଜଧାନୀବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଆପଣ ଏନ୍ଏଚ୍ଏଆଇ ସହ କେବେ ଆଲୋଚନା କରିଛନ୍ତି କି? ଯଦି କରିନାହାନ୍ତି, ତେବେ ଦୟା କରି ସାଂସଦ ଭାବେ ଏହାର ସମାଧାନ ପାଇଁ ଧ୍ୟାନ ଦିଅନ୍ତୁ।’
ଏହାଛଡ଼ା ସେ କଟକ-ସମ୍ବଲପୁର ଜାତୀୟ ରାଜପଥ କଥା ବି ଉଠାଇଛନ୍ତି। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଏହି ଜୀବନରେଖାର ମରାମତି ଓ ପ୍ରଶସ୍ତୀକରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶେଷ ହେଉନି। ମୃତ୍ୟୁଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ଗତ ୨ବର୍ଷ ମଧ୍ୟରେ ୩୯୯ଟି ଦୁର୍ଘଟଣା ଘଟି ୧୯୬ଜଣ ଲୋକଙ୍କ ଅକାଳରେ ଜୀବନ ଗଲାଣି। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏନ୍ଏଚଏଆଇ ଏବଂ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଆପଣ କେବେ ଏହି ସମସ୍ୟା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି କି? ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀମୟୀଙ୍କର ଏହି ପ୍ରଶ୍ନକୁ ନେଇ ଏବେ ରାଜନୀତି ଜୋର୍ ଧରିଛି।