କଳିଙ୍ଗ ଷ୍ଟୁଡିଓ ସମ୍ମୁଖ ଡ୍ରେନ୍‌ ସମସ୍ୟା: ତଥାପି ସୁଧୁରିଲାନି ସ୍ଥିତି

ଖଣ୍ଡଗିରି : ଆନ୍ଦୋଳନ ହେଲା। ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ସ୍ଥିତି ଅନୁଧ୍ୟାନ କଲେ। ପୂର୍ତ୍ତ ବିଭାଗ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟା ସୁଧାରିବାକୁ ପ୍ରତିଶ୍ରୁତି ଦେଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା। ଏତେ ସବୁ ପରେ ବି ସ୍ଥିତି ସୁଧୁରିନି। ଆଗକୁ ଆସୁଛି ବାତ୍ୟା ‘ୟାସ’, ତା’ ପରେ ମୌସୁମୀ ବର୍ଷା। ତେଣୁ ପୁଣିଥରେ କଳିଙ୍ଗ ଷ୍ଟୁଡିଓରୁ କଳିଙ୍ଗ ନଗରକୁ ଯାଇଥିବା ରାସ୍ତାର ଅବସ୍ଥା ସଂଗିନ ହେବ ବୋଲି ଜଳଜଳ ଦେଖାଗଲାଣି।

ଦୀର୍ଘ ଦିନ ହେବ ମଇଳା ପାଣି ଲହଡ଼ି ଭାଙ୍ଗିବା ପରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ। ଯେତେ ଅଭିଯୋଗ କଲେ ମଧ୍ୟ ବିଏମ୍‌ସି କି ପୂର୍ତ୍ତ ବିଭାଗ କେହି କର୍ଣ୍ଣପାତ କରୁ ନଥିଲେ। ସ୍ଥାନୀୟ ଲୋକ ଅଭିଯୋଗ ମଧ୍ୟ କରିଥିଲେ। ଶାସକ ଦଳର ଦୁଇ ବିଧାୟକ ଘଟଣାସ୍ଥଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସହ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ‘ସମ୍ବାଦ’ରେ ଏ ବାବଦରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ ପୂର୍ତ୍ତ ବିଭାଗ ଦ୍ବାରା ନୂଆ ଡ୍ରେନ୍‌ ତିଆରି ହେବାର ଆଶ୍ୱାସନା ଦିଆଯାଇଥିଲା। ସ୍ଥାୟୀ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବିଏମ୍‌ସି ଅଳ୍ପ ଦିନ ବ୍ୟବଧାନରେ ଡ୍ରେନ୍‌ ସଫା କରିବାର ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ହେଲାନି। ଫଳରେ ଗତ ଶୁକ୍ରବାର ବର୍ଷାରେ ଡ୍ରେନ୍‌ ଅଧା ଭର୍ତି ହୋଇଯାଇଛି। ବର୍ଷା ଲାଗି ରହିଲେ ଡ୍ରେନ୍‌ ପାଣି ରାସ୍ତାରେ ଭାସିବା ଥୟ।

ଏ ନେଇ ଅଞ୍ଚଳବାସୀ ଏବେ ଚିନ୍ତାରେ। ବାତ୍ୟା ହେଲେ ବର୍ଷା ହେବ ଏବଂ ବିଏମ୍‌ସି ସଫା କରି ପାରିବ ନାହିଁ। ସ୍ଥାନୀୟ ବାସିନ୍ଦା ଊଷାରାଣୀ ମିଶ୍ରଙ୍କ କହିବା କଥା ଡ୍ରେନ୍‌ ଗନ୍ଧ କେବେ ମଧ୍ୟ ବନ୍ଦ ହେଉନି। ଯେଉଁ ଡ୍ରେନ୍‌ରୁ ମଇଳା ବାହାରୁଛି, ତାକୁ ମଧ୍ୟ ବିଏମ୍‌ସି ସଫା କରୁନି। ଏବେ ବର୍ଷା ହେଲେ ପୁଣି ମଇଳା ଜମି ପାଣି ଭସିବ। ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ତତ୍ପରତା ପ୍ରକାଶ ପାଉନି। ତେବେ ଏ ନେଇ ଆମେ ପୂର୍ତ୍ତ ବିଭାଗ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ପୂର୍ତ୍ତ ବିଭାଗ ଦ୍ବାରା ସର୍ଭେ କରାଯାଇ ସମ୍ପୂର୍ଣ୍ଣ ଡ୍ରେନ୍‌ ପାଇଁ ବ୍ୟୟ ଅଟକଳ ସରିଛି। ଏବେ ଟେଣ୍ଡର୍‌ ପାସ୍ କରାଯାଇ କାମ୍ ଆରମ୍ଭ ହେବ।

ସମ୍ବନ୍ଧିତ ଖବର