ସମ୍ବାଦ ପ୍ରଭାବ: କୁଆଖାଇକୁ ଡ୍ରେନ୍‌ ପାଣି ବନ୍ଦ

ଭୁବନେଶ୍ବର: ମଞ୍ଚେଶ୍ବର ନିକଟରେ ଯାଇଥିବା ବୁଡ଼ୁନାଳର ବିଷାକ୍ତ ଡ୍ରେନ୍‌ ପାଣି କୁଆଖାଇ ନଦୀରେ ମିଶୁଛି। ଏହି ଅପରିଷ୍କାର, ବିଷାକ୍ତ ପାଣିକୁ ବିଶୋଧନ କରି ଭୁବନେଶ୍ବର ସହରକୁ ଯୋଗାଣ କରାଯାଉଛି। ଏ ସଂପର୍କରେ ଗତ ଏପ୍ରିଲ୍‌ ୬ ତାରିଖ ‘ସମ୍ବାଦ’ରେ ‘କୁଆଖାଇର ବିଷାକ୍ତ ପାଣି ପିଉଛନ୍ତି ରାଜଧାନୀବାସୀ’ ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଫଳସ୍ବରୂପ, କୁଆଖାଇକୁ ଡ୍ରେନ୍‌ ପାଣି ବନ୍ଦ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତ ହେବା ସହ ଖୁସି ବ୍ୟକ୍ତ କରିଛନ୍ତି। କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ନଥିବାରୁ ଏବେ ବି ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା କହିଛନ୍ତି।

ସୂଚନାଯୋଗ୍ୟ, ପଟିଆ ପଟୁ ବୁଡ଼ୁନାଳ ଆସି ମଞ୍ଚେଶ୍ବର ନିକଟରେ କୁଆଖାଇ ନଦୀରେ ମିଶିଛି। ମ‌ଞ୍ଚେଶ୍ବର ପୂର୍ବରୁ ଅନ୍ୟ ଏକ ଧାର ଗଙ୍ଗୁଆନାଳ ବାହାରି ଚକେଇସିଆଣି-ସମେଇଗଡ଼ିଆ-ପାଣ୍ଡରା ଦେଇ ଦୟାନଦୀରେ ପଡ଼ିଛି। ବର୍ଷା ଦିନେ ଉଦ୍‌ବୃତ୍ତ ଜଳ ଏହି ନାଳରେ କୁଆଖାଇରେ ମିଶିଥାଏ। କିନ୍ତୁ କାଳକ୍ରମେ ଚନ୍ଦ୍ରଶେଖରପୁରଠାରୁ ମଞ୍ଚେଶ୍ବର ଯାଏ; ସବୁ କଲୋନି, ବଡ଼ବଡ଼ ଡାକ୍ତରଖାନା, ଶିଳ୍ପାନୁଷ୍ଠାନରୁ ବାହାରୁଥିବା ବିଷାକ୍ତ ପାଣି, ଆବର୍ଜନା ସବୁକୁ ଏହି ନାଳରେ ଛଡ଼ାଗଲା। ପ୍ରଚୁର ପରିମାଣର ରାସାୟନିକ ଆବର୍ଜନା ମିଶୁଥିବାରୁ ନଦୀ ଦୂଷିତ ହେବା ସହ ପାଣିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ସେହି ପାଣିକୁ ବିଶୋଧନ କରି ୱାଟ୍‌କୋ ଭୁବନେଶ୍ବରବାସୀଙ୍କୁ ପିଇବାକୁ ଯୋଗାଉଥିଲା।
‘ସମ୍ବାଦ’ରେ ଏ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା। ଏବେ କୁଆଖାଇକୁ ଡ୍ରେନ୍‌ ପାଣି ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ଏନେଇ ସ୍ଥାନୀୟ ବାସିନ୍ଦା ଆଦିକନ୍ଦ ରାଉତ, ପଳାସୁଣି ଗ୍ରାମ୍ୟ ବିକାଶ କମିଟି ଉପସଭାପତି ରମେଶ ସାହୁଙ୍କ ସମେତ ବୁଦ୍ଧିଜୀବୀମାନେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟପନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଗଙ୍ଗୁଆନାଳ ଓ ବୁଡ଼ୁନାଳ ଅଲଗା ହେବା ସ୍ଥାନରେ ବାଲି ଓ ମାଟି ବନ୍ଧ ଅପେକ୍ଷା ସ୍ଥାୟୀ ଭାବେ ବନ୍ଧ କରାଯାଇ ଭବିଷ୍ୟତରେ କେବେ ବି ଡ୍ରେନ୍‌ ପାଣିକୁ କୁଆଖାଇରେ ନ ଛାଡ଼ିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର