ପୁରୁଣା ଭୁବନେଶ୍ୱର : ପାଇପ୍ରେ ଡ୍ରେନ୍ ପାଣି ମିଶିବା ସମସ୍ୟାର ସମାଧାନ ହୋଇଛି। ଫଟା ପାଇପ୍ ମରାମତି କରିବା ପରେ ଏହି ସମସ୍ୟା ଦୂର ହୋଇଛି ଓ ପୁରୁଣା ଭୁବନେଶ୍ବରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପୁଣି ଆରମ୍ଭ ହୋଇଛି। ସ୍ଥାନୀୟ ୱାଟ୍କୋ କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍ ନିକଟ ପାଇପ୍ ଲାଇନ୍ ଫାଟିଥିବାରୁ ଏହି ସମସ୍ୟା ଉପୁଜିଥିଲା।
ଗତକାଲି ରାତି ସାରା ୱାଟ୍କୋ ଅଧିକାରୀ ଓ କର୍ମଚାରୀମାନେ ଫାଟି ଯାଇଥିବା ପାଇପ୍ ଖୋଜିଥିଲେ। ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ମାଟି ଖୋଳି ଖୋଳି ପାଇପ୍ର ଫାଟ ଖୋଜିଥିଲେ। ଶେଷରେ ୱାଟ୍କୋ କାର୍ଯ୍ୟାଳୟ ନିକଟରେ ଏହା ମିଳିଥିଲା। ପୁରୁଣା ପାଇପ୍ ବାହାର କରାଯାଇ ନୂଆ ପାଇପ୍ ସଂଯୋଗ କରାଯାଇଥିଲା। ନୂଆ ପାଇପ୍ରେ ପାଣି ଛାଡ଼ିବା ସହ ସେଥିରେ କ୍ଲୋରିନ୍ ଓ ବ୍ଲିଚିଂ ପକାଯାଇଥିଲା। ସେତିକି ସମୟ ପାଣି ବ୍ୟବହାର ନ କରିବାକୁ ସ୍ଥାନୀୟ ଲୋକଙ୍କୁ କୁହାଯାଇଥିଲା। ତେଣୁ ଆଜି ସକାଳୁ ଭୀମଟାଙ୍ଗି ଓ ପୁରୁଣା ଭୁବନେଶ୍ବରର କିଛି ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଥିଲା। ୱାଟ୍କୋର ପରିଚାଳନା ନିର୍ଦେଶକ ପ୍ରଦୀପ୍ତ କୁମାର ସ୍ବାଇଁ, ଜେନେରାଲ୍ ମ୍ୟାନେଜର ଗୁରୁଚରଣ ଦାସ, ଏସ୍ଡିଓ ଇଶ୍ବରଚନ୍ଦ୍ର ପ୍ରଧାନ, ଆସିଷ୍ଟାଣ୍ଡ୍ ମ୍ୟାନେଜର ନୃସିଂହ ଚରଣ ସାହୁ ଓ କର୍ମଚାରୀମାନେ ଏହି ଦାୟିତ୍ବ ନିର୍ବାହ କରିଥିଲେ।