ଆସୁଛି ଶ୍ରାବଣ ମାସ : ଏଯାଏ ସୁଧୁରିଲାନି କେଦାରଗୌରୀ କୁଣ୍ଡ ଓ ଶୌଚାଳୟ ସମସ୍ୟା

ପୁରୁଣା ଭୁବନେଶ୍ୱର : ଆସୁଛି ଶ୍ରାବଣ ମାସ। ପ୍ରତିବର୍ଷ ଭଳି ଏବର୍ଷ ବି କେଦାରଗୌରୀ ମନ୍ଦିରରେ ବୋଲ୍‌ବମ୍‌ ଭକ୍ତଙ୍କର ଭିଡ଼ ଜମିବ। କିନ୍ତୁ ଏଯାଏ କେଦାରଗୌରୀ କୁଣ୍ଡର ଅବସ୍ଥା ସୁଧୁରିନଥିବା ବେଳେ ଏଠାରେ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା ହୋଇପାରିନି। ଫଳରେ ଶ୍ରଦ୍ଧାଳୁମାନେ ଯେ ଆଗକୁ ହଟହଟା ହେବେ, ତାହା ଏବେଠାରୁ ଜଳଜଳ ହୋଇ ଦେଖାଯାଉଛି। ତେବେ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଏନେଇ ଲୋକ ଅଦାଲତରେ ମାମଲା କରାଯିବ ବୋଲି ସେବାୟତ ସଞ୍ଜୀବ ପୂଜାପଣ୍ଡା ଚେତାବନୀ ଦେଇଛନ୍ତି।

କେଦାରଗୌରୀ କୁଣ୍ଡର ଅବସ୍ଥା ନକହିଲେ ଭଲ। ଅପରିଷ୍କାର ପାଣି ଜମି ରହି ପାଣି ଦୁର୍ଗନ୍ଧ ଯୋଗୁଁ ଆଉ ବ୍ୟବହାର ଉପଯୋଗୀ ହୋଇନାହିଁ। ଦୀର୍ଘ ୪ବର୍ଷ ହେବ ଏଭଳି ସସସ୍ୟା ଲାଗି ରହିଥିଲେ ବି ଏନେଇ କାହାରି ନିଘା ନାହିଁ। ସେହିପରି ଶୌଚାଳୟଟିଏ ନଥିବାରୁ ମନ୍ଦିରକୁ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କୁ ବେଶ୍‌ ହଇରାଣ ହେବାକୁ ପଡ଼ୁଛି। ପ୍ରକାଶ ହଯ କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ କାମ ଚାଲୁଛି। ଲକ୍ଷ୍ୟ ଥିଲା, ୪ଟି କୁଣ୍ଡର ପୁନରୁଦ୍ଧାର ସହ ଯେପରି କୁଣ୍ଡଗୁଡ଼ିକ ପରିଷ୍କାର ରହିବ, ସେଥିପାଇଁ ଦୃଷ୍ଟି ଦିଆଯିବା ସହ ଜଳ ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା କରାଯିବ। ଦେଢ଼ ବର୍ଷ ହେଲା କାମ ଚାଲିଥିଲେ ମଧ୍ୟ ଏହାର ମୂଳ ସମସ୍ୟା ଯେପରି ଏହି କୁଣ୍ଡଗୁଡ଼ିକରେ ନୀଳ ପାଣି ଭାସିବା, ଝର ପାଣି ଏବଂ ଡ୍ରେନ୍‌ ପାଣି ନିଷ୍କାସନର ସମାଧାନ ହୋଇ ପାରିନାହିଁ। ସେହିପରି ପୂର୍ବରୁ ଥିବା ଶୌଚାଳୟ ଭାଙ୍ଗି ଦିଆଯିବା ସ୍ଥଳେ ନୂତନ ଶୌଚାଳୟ ତିଆରିରେ ବି ବିଳମ୍ବ କରାଯାଉଛି। ତେବେ କୁଣ୍ଡରେ ଜମି ରହୁଥିବା ପାଣିର ନିଷ୍କାସନ ବ୍ୟବସ୍ଥା କରାଯାଉନଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଥିବା ସ୍ଥାନୀୟ ସେବାୟତ ଏବଂ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ କହନ୍ତି, କୁଣ୍ଡରୁ ପାଣି ନିଷ୍କାସନ ପାଇଁ ଥିବା ଡ୍ରେନ୍‌ର ଉଚ୍ଚତା ଓ ଜାତୀୟ ରାଜପଥରେ ଯାଇଥିବା ଡ୍ରେନ୍‌ର ଉଚ୍ଚତା ସମାନ ଯୋଗୁଁ ମଇଳା ପାଣି ବାହାରକୁ ଯାଇ ପାରୁନାହିଁ। ଅନ୍ୟପକ୍ଷରେ ଏଠାରେ ପୂର୍ବରୁ ଥିବା ଶୌଚାଳୟ ଭଙ୍ଗା ହୋଇଥିବାରୁ ପର୍ଯ୍ୟଟକମାନେ ରାସ୍ତାକଡ଼ରେ ଶୌଚ ହେଉଛନ୍ତି। ଏ ସମ୍ପର୍କରେ ରାଜ୍ୟ ପର୍ଯ୍ୟଟନ ବିଭାଗ(ଓଟିଡ଼ିସି) ଯନ୍ତ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି, କୁଣ୍ଡର ବ୍ୟବହାର ଅନୁପଯୋଗୀ ପାଣି ଲମ୍ବା ଡ୍ରେନ୍‌ରେ ଯାଉଥିବାରୁ ଏହାର ଠିକ୍‌ ଭାବେ ସଫେଇ ହୋଇ ପାରୁନାହିଁ। ସେହିପରି ସେଠାରେ ଥିବା ଶୌଚାଳୟର ପୁନରୁଦ୍ଧାର ପାଇଁ ଜମି ଚିହ୍ନଟ ହୋଇ ପାରୁନଥିବାରୁ ନୂତନ ଶୌଚାଳୟ ନିର୍ମାଣରେ ବିଳମ୍ବ ହେଉଛି।

ସମ୍ବନ୍ଧିତ ଖବର