ଭୁବନେଶ୍ବର: ଗଣତନ୍ତ୍ର, ନାଗରିକ ସମାଜ ପାଇଁ ନାଟକର ଆବଶ୍ୟକତା ସର୍ବାଧିକ। ମଞ୍ଚଟିଏ ମିଳିଲେ, ନାଟକ ତା’ର ଭୂମିକା ଉପଯୁକ୍ତ ଭାବରେ ନିର୍ବାହ କରିପାରେ। ସାହିତ୍ୟିକ ଏବଂ ଅନୁବାଦିକା ରତ୍ନମାଳା ସ୍ବାଇଁ ଏଥିରେ ସେତୁ ଭଳି କାର୍ଯ୍ୟ କରିଛନ୍ତି। ଏହା ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ସେ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି। ‘ଶବ୍ଦରଙ୍ଗ’ ପକ୍ଷରୁ ସାହିତ୍ୟିକା ରତ୍ନବାଳାଙ୍କ ତିନି ପୁସ୍ତକ ‘କୁହୁକ ମଞ୍ଚ’, ‘ତାକ୍ ଧିନାଧିନ୍’ ଏବଂ ‘ଏକ ଦୁଇ ତିନି’ର ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି କହିଛନ୍ତି।
ଏହି ଅବସରରେ ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ମନୋରଞ୍ଜନ ଶିଳ୍ପ ଆଜି ରୁଗ୍ଣ ଅବସ୍ଥାରେ। ଏଥିଯୋଗୁଁ ମନୋରଞ୍ଜନର ସ୍ଥାନ ଆଜି ଯାତ୍ରା ନେବାକୁ ବସିଲାଣି। ଯାତ୍ରାକୁ ନାଟକ ଭଳି ସମ୍ମାନ ମିଳେ ନାହିଁ। ଏହାକୁ ନାଟକର ଶସ୍ତା ସ୍ବରୂପ ଭାବରେ ଦେଖାଯାଏ। ଯାତ୍ରା କଳାକାରମାନେ ପରିଶ୍ରମ କରୁଥିବା ସତ୍ତ୍ବେ ଚଳଚ୍ଚିତ୍ର କଳାକାରଙ୍କ ଭଳି ମୂଲ୍ୟ ପାଉନାହାନ୍ତି। ଏହି ଅବସରରେ ଓଡ଼ିଆ ସିନେ ଅଭିନେତା ତଥା ନିର୍ଦେଶକ ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ ସାହିତ୍ୟରେ ଅନୁବାଦ ସବୁଠାରୁ କଷ୍ଟକର କାର୍ଯ୍ୟ। ସାହିତ୍ୟିକ ହର ପ୍ରସାଦ ଦାସ କହିଥିଲେ ଯେ ଅନେକ ସମୟରେ ନାଟକରେ ଯାହା କୁହାଯାଇପାରେ, ଉପନ୍ୟାସରେ ତାହା ସମ୍ଭବ ନୁହେଁ। ସାହିତ୍ୟିକା ରତ୍ନମାଳା କହିଥିଲେ ଯେ ଅନୁବାଦ ଜରିଆରେ ସେ ଗୋଟିଏ ଭୂଖଣ୍ଡର ନଈକୁ ଅନ୍ୟ ଭୂଖଣ୍ଡକୁ ଆଣିବାର ପ୍ରୟାସ କରିଛନ୍ତି।
ଏହି ଅବସରରେ ଶବ୍ଦରଙ୍ଗର ସଭାପତି ତଥା ବିଶିଷ୍ଟ କଥାକାର ଗୌରହରି ଦାସ କହିଛନ୍ତି ଯେ ଶବ୍ଦରଙ୍ଗର ସ୍ବପ୍ନ ରହିଛି ଯେ ରାଜଧାନୀରେ ଏଭଳି ଏକ ପ୍ରେକ୍ଷାଳୟ ହେବ, ଯେଉଁଠି ୩୬୫ ଦିନ ନାଟକ ମଞ୍ଚସ୍ଥ ହେଉଥିବ। ନାଟ୍ୟକାର କିମ୍ବା ନାଟ୍ୟ ନିର୍ଦେଶକଙ୍କୁ ପ୍ରାୟୋଜକଙ୍କ ଆବଶ୍ୟକତା ପଡ଼ୁନଥିବ। କାର୍ଯ୍ୟକ୍ରମରେ ପ୍ରକାଶ ମହାପାତ୍ର, ଜଗଦୀଶ ପ୍ରସାଦ ନାଏକ ବକ୍ତବ୍ୟ ଦେଇଥିଲେ। କୀର୍ତ୍ତି ମହାନ୍ତି ଅଭିନବ ଢଙ୍ଗରେ ନାଟକର ଭାବବଙ୍ଗୀ ପରିବେଷଣ କରିଥିଲେ। ସୂଚନାଯୋଗ୍ୟ, ସାହିତ୍ୟିକା ରତ୍ନମାଳାଙ୍କ ଅନୁସୃଜିତ ନାଟକରେ ବାଦଲ ସରକାରଙ୍କ ଇନ୍ଦ୍ରଜିତ୍, ଗିରୀଶ କନ୍ନଡ଼ଙ୍କ ହୟବଦନ, ଶ୍ରୀରଙ୍ଗାର ଶୁଣ ଜନ୍ମେଜୟ, ଇନ୍ଦିରା ପାର୍ଥସାରଥୀଙ୍କ ୱରଙ୍ଗ୍ଜେବ୍, ସୁରେଶ ବର୍ମାଙ୍କ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ଯାଏ, ଉତ୍ପଳ ଦତ୍ତଙ୍କ ସୂର୍ଯ୍ୟ ଶିକାର, ସୁଷମା ଦେଶ୍ପାଣ୍ଡେଙ୍କ ତା’ ମା’ର କାହାଣୀ ଆଦି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/63.jpg)