ମଞ୍ଚସ୍ଥ ହେଲା ନାଟକ ‘ମହାବୀର’

ଅର୍ପଣ ଥିଏଟର ଫେଷ୍ଟିଭାଲର ଶେଷ ସଂଧ୍ୟା

ଭୁବନେଶ୍ୱର: ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ମଣିଷ ହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ। ଆଉ ସେଇ ଗୋଟିଏ ପାପକୁ ଲୁଚାଇବାକୁ ଯାଇ ସେ ବାରମ୍ବାର ହତ୍ୟା କରିଚାଲେ। ଯେତେବେଳେ ତା’ର ଏହି ପାପର ପେଡ଼ି ଲୋକଙ୍କ ସାମ୍ନାରେ ଖୋଲିଯାଏ, ସେ ନିଜ ସ୍ତ୍ରୀର ପଣତକାନି ଖୋଜେ ଲୁଚିବା ପାଇଁ। ଏପରି ଏକ କାହାଣୀକୁ ନେଇ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ହୋଇଛି ନାଟକ ‘ମହାବୀର’। ତିନିଦିନ ଧରି ଚାଲିଥିବା ଅର୍ପଣ ଥିଏଟର୍‌ ଫେଷ୍ଟିଭାଲର ଆଜି ଉଦ୍‌ଯାପନୀ ସଂଧ୍ୟାରେ ଏହି ନାଟକ ପରିବେଷିତ ହୋଇଥିଲା। ଅରୁବାବା ମହାନ୍ତିଙ୍କ ରଚିତ ଏବଂ ଗୋବିନ୍ଦ ଜେନାଙ୍କ ନିର୍ଦେଶିତ ଏହି ନାଟକରେ ପ୍ରଦୀପ୍ତ କୁମାର ସ୍ୱାଇଁ, ଅଞ୍ଜଳି ପଣ୍ଡା, ସୁବାସ ପଣ୍ଡା, ସୁଜିତ କୁମାର, ଆଶିଷ ପଣ୍ଡା, ସତ୍ୟମ ଜୋସେଫ, ଖଗେଶ୍ୱର ଦୁବେ, ଏମ୍‌.କେ ସମୀର, ମାନବ ରାଉତରାୟ, ମନୋଜ କୁମାର ବରାଳ, ସୋମନାଥ ପ୍ରଧାନ, ପ୍ରଦୀପ୍ତ ବିଶ୍ୱାଳ ଏବଂ ଅତିଥି କଳାକାର ବିଜୟ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଅତିଥି ଭାବେ ସମାଜସେବୀ ଉପାସନା ମହାପାତ୍ର, ନାଟ୍ୟକାର ବ୍ରଜମୋହନ ମିଶ୍ର, ଅଭିନେତା ଅଶ୍ରୁମୋଚନ ମହାନ୍ତି, ସମାଜସେବୀ ସୌମ୍ୟରଞ୍ଜନ ଲେଙ୍କା ଓ ନାଟ୍ୟକାର ପଞ୍ଚାନନ ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଉମାରାଣୀ ଭଟ୍ଟାଚାର୍ଯ୍ୟ, ସୀତାକାନ୍ତ ସାମଲ ଓ ସୁଶାନ୍ତ ପଟ୍ଟନାୟକଙ୍କୁ ‘ଅର୍ପଣ ଶାନ୍ତିଦେବୀ ସମ୍ମାନ’ ଓ ନାଟ୍ୟ ଅଭିନେତା ବୃନ୍ଦାବନ ବାରିକଙ୍କୁ ‘ଅର୍ପଣ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସୂର୍ଯ୍ୟକାନ୍ତ ଦଳେଇ ମଞ୍ଚ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ସୀମନ୍ତ ମହାନ୍ତି, ଶକ୍ତିପ୍ର୍ରସାଦ ମିଶ୍ର, ଅସିମଦା ଗ୍ରୁପ୍‌ ଓ ନରେନ୍ଦ୍ର ସେନାପତି।

ସମ୍ବନ୍ଧିତ ଖବର