‘ଅନିଶ୍ଚିତ ସୂର୍ଯ୍ୟାସ୍ତ’ ମଞ୍ଚସ୍ଥ

ଭୁବନେଶ୍ୱର: ‘ବିଦ୍ୟାକନକ’ ସୃଜନାନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆଜିଠାରୁ ଆରମ୍ଭ ହୋଇଛି ନାଟ୍ୟ ମହୋତ୍ସବ। ୩ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଛି ଏକ ଭିନ୍ନଧରଣର ନାଟକ ‘ଅନିଶ୍ଚିତ ସୂର୍ଯ୍ୟାସ୍ତ’। ନାଟକର ମୁଖ୍ୟ ଚରିତ୍ର ରୋଜା ଓ ସୌଭାଗ୍ୟ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଜି ତାଙ୍କର ବାସର ରାତି। କିନ୍ତୁ ଦୁଇ ଅଲଗା ମଣିଷଙ୍କ ମନ ଓ ଭିନ୍ନ ଚିନ୍ତାଧାରା ଏଥିରେ ବାଧକ ସାଜିଛି। ସୌଭାଗ୍ୟ ଭାବନ୍ତି, ଗୋଟିଏ ପୁରୁଷ ପାଇଁ ଗୋଟିଏ ନାରୀର ଆବଶ୍ୟକତା ପଡ଼େ, ସେଥିପାଇଁ ବିବାହ କରିବାକୁ ପଡ଼େ। ଆଉ ଏଥିରୁ ସୃଷ୍ଟି ହୁଏ ଏକ ସମ୍ଭାବନା। କିନ୍ତୁ ରୋଜା ଚାହାନ୍ତି ଶରୀର ମିଳନ ପୂର୍ବରୁ ପ୍ରଥମେ ମନର ମିଳନ ହେବା ଦରକାର। ଏମିତି ପରସ୍ପର ବିରୋଧୀ ଚିନ୍ତାଧାରା ମଣିଷଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ। ଛିଡ଼ା ହୋଇଛି ସମସ୍ୟାର ପାଚେରି। ଏହାର ସମାଧାନ ଖାଲି ନାରୀର ବିପକ୍ଷରେ… ସେଥିପାଇଁ ଆଜିର ରାତିଟା କ’ଣ ଏମିତିରେ କଟିଯିବ। ଦୁଇ ନବବିବାହିତ ବର ଓ ବଧୂଙ୍କ ଚିନ୍ତାଧାରାକୁ ନେଇ ପରିବେଷିତ ଏହି ନାଟକକୁ ତୁଷାରକାନ୍ତ ପଟ୍ଟନାୟକ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶକ୍ତିପ୍ରସାଦ ମିଶ୍ର। ଏହାର ନିର୍ଦ୍ଦେଶନା ଦେଇଥିଲେ ଜଗଦୀଶ ପ୍ରଧାନ ଓ ସହଯୋଗ କରିଥିଲେ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ। ଅଭିନୟରେ ଥିଲେ ଦୁର୍ଯ୍ୟୋଧନ ସାହୁ, ଲକ୍ଷ୍ମୀପ୍ରିୟା ସେନାପତି, ମାନସୀ ଦାସ, ପ୍ରିୟମ୍ବଦା ସ୍ୱାଇଁ ଓ ଗାୟତ୍ରୀ ତ୍ରିପାଠୀ। ଏଥିରେ ଅତିଥି ଭାବେ ମହିଳା, ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମେୟର ଅନନ୍ତ ନାରାୟଣ ଜେନା ଓ ରୋଟାରିଆନ ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ନାଟ୍ୟକାର ବିଜୟ ମିଶ୍ର ଓ ଅଭିନେତ୍ରୀ ନମ୍ରତା ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶୁଭକାନ୍ତ ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର