‘କୁଇଲି’ରେ କନ୍ୟାଭ୍ରୂଣ ରୋକିବାକୁ ବାର୍ତା

ଭୁବନେଶ୍ୱର: ଏବେ କନ୍ୟା ଭ୍ରୂଣ ହତ୍ୟା ଏକ ସାମାଜିକ ବ୍ୟାଧିରେ ପରିଣତି ହୋଇଛି। ଏତେ ସଚେତନତା ପରେ ବି କେହି ଚେତିବାକୁ ପ୍ରସ୍ତୁତ ନୁହନ୍ତି। ଏବେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚି ନିଜକୁ ପ୍ରମାଣିତ କରୁଥିଲେ ବି ଆମ ସମାଜରେ କିଛି ଲୋକ ଝିଅ ଜନ୍ମକୁ ଏକ ଅଭିଶାପ ବୋଲି ଭାବିଥାନ୍ତି। ପୁଅ ବଂଶ ଉଦ୍ଧାର କରିବ, ଏପରି ଏକ ଭ୍ରାନ୍ତ ଧାରଣା ମନରେ ବସା ବାନ୍ଧିଛି। ତେଣୁ ପ୍ରାୟ ପ୍ରତିଦିନ କନ୍ୟାଭ୍ରୂଣ ହତ୍ୟା ଘଟଣା ସାମ୍ନାକୁ ଆସୁଛି। ଏଭଳିି ଏକ ସମ୍ବେଦନଶୀଳ ଓ ସମାଜିକ ବାର୍ତା ଥିବା କାହାଣୀକୁ ରାଜକୀୟ ଦୃଶ୍ୟପଟରେ ମଞ୍ଚରେ ବୟାନ କରିଥିଲେ ଜଗନ୍ନାଥ ଯୁବକ ସଂଘ, ବୌଦ୍ଧର କଳାକାରବୃନ୍ଦ। ନାଟକର ନାଁ ଥିଲା ‘କୁଇଲି’। ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଆୟେଜିତ ନାଟ୍ୟଧାରା କାର୍ଯ୍ୟକ୍ରମ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଛି। ଏଥିରେ ନାଟ୍ୟଧାରାର ପୂର୍ବତନ ସଚିବ ସତ୍ୟବ୍ରତ ରାଉତ, ଓଡ଼ିଶା ସଙ୍ଗୀତ ଓ ନାଟକ ଏକାଡେମିର ପୂର୍ବତନ ସଚିବ ଧୀରେନ୍ଦ୍ର ନାଥ ମଲ୍ଲିକ, ନାଟ୍ୟଧାରା ସାଧାରଣ ସଂପାଦକ ସତ୍ୟ ରାଉତ, ନାଟ୍ୟ ସଂଘର ସଂପାଦକ ଲାଲା ବୀରେନ ରାୟ ଓ ଅନୁଷ୍ଠାନର ସଭାପତି ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିିଲେ। କୁଇଲିର ନିର୍ଦ୍ଦେଶନା ପ୍ରଦ୍ୟୁମ୍ନ କୁମାର ସାହୁ ଦେଇଥିଲା ବେଳେ ସଙ୍ଗୀତ ପରିବେଷଣ କରିଥିଲେ ଭୁପେନ୍ଦ୍ର ବସ୍ତିଆ। ଏଥିରେ ସୁଜିତ ପ୍ରଧାନ, ଶୁଭ୍ରାଂଶି ପାଣିଗ୍ରାହୀ, ଅବିନାଶ ହୋତା, ସମୀର କୁମାର ସାହୁ, ପ୍ରଭାଂଶୁ ବାରିକ, ରିଲୁ ବସ୍ତିଆ, ଶାହାଜାହାନ ରାଜହଂସ, ସୁଦର୍ଶନ ନାୟକ, ଅବଧୂତ ବସ୍ତିଆ ଓ ଶ୍ୟାମ ସୁନ୍ଦର ମିଶ୍ର ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର