ନାଟକ ‘ତା’ରି ଲାଗି’ ଭୋଗୁଛି ବସ୍ତୁବାଦୀ ମଣିଷ

ଭୁବନେଶ୍ବର: ବସ୍ତୁବାଦୀ ମଣିଷ ଜୀବର ମୂଲ୍ୟବୋଧ ଅପେକ୍ଷା ବସ୍ତୁ ପଛରେ ଧାଇଁ ଚାଲିଛି। ସାମାନ୍ୟ କାଗଜ ‌ଖଣ୍ଡେ ଖୋଜି ନପାଇବାର ଅବସୋସ ଏବଂ ଅଭାବବୋଧ ଜଣେ ବ୍ୟକ୍ତିକୁ ଏପରି ଆଘାତ ଦେଇଛି ଯେ ଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅର ବାହାଘର ଭାଙ୍ଗି ଯାଇଛି। ସଂପ୍ରତି ଦୁନିଆରେ ଘଟୁଥିବା ଏହିଭଳି କଥାବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ତା’ରି ଲାଗି’। ସ୍ରିଷ୍ଟି ହାସ୍ୟ ରସାତ୍ମକ ନାଟ୍ୟ ଉତ୍ସବରେ ଉତ୍କଳ ଥିଏଟରର କଳାକାରମାନେ ପରଷି ଦେଇଥିଲେ ଏହିପରି ଏକ ଭିନ୍ନ ସ୍ବାଦର ନାଟକ। ଡ. ବିଜୟ ମିଶ୍ର ନାଟ୍ୟ ରଚନା କରିଥି‌ବା ବେଳେ ନିର୍ଦେଶନା ଦେଇଥିଲେ କୈଳାସ ମହାପାତ୍ର। ଜୀମୂତ ପଟ୍ଟନାୟକ, ଦିଲ୍ଲୀପ ମହାପାତ୍ର, ଭକ୍ତି, ପିଙ୍କି, କୈଳାସ ମହାପାତ୍ର, କୈଳାସ ସେନାପତି, ଦୁଷ୍ମନ୍ତ, ରାଜୀବ ଲୋଚନ ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ନାଟ୍ୟକାର ଡ.ବିଜୟ ମିଶ୍ର, ପ୍ରିୟରଂଜନ ଦାଶ, ବିଷ୍ଣୁପ୍ରସାଦ ପାଲ୍‌, ବିନୟ ଭୂଷଣ ପଟ୍ଟନାୟକ, ପ୍ରକାଶ ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ। ହରେନ୍‌ ସାହୁ ମଂଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର