‘କମଳା’ରେ ନାରୀ ଜୀବନର ଅସହାୟତା

‘ଉତ୍ତର ପୁରୁଷ’ର ନାଟକ ସନ୍ଧ୍ୟା

ଭୁବନେଶ୍ୱର: ସରିତା ଯିଏ କି ଜଣେ ମହିଳା, କିନ୍ତୁ ତାଙ୍କୁ ରକ୍ତମାଂସରେ ଗଢ଼ା ମେସିନ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ସବୁ ଜାଣେ, ବୁଝେ କିନ୍ତୁ ନିଜ ଇଚ୍ଛାନୁଯାୟୀ କାର୍ଯ୍ୟ କରି ପାରେନି। ସ୍ୱାମୀ ଜୟ ସିଂହଙ୍କ ଆଜ୍ଞାର ଦାସ ସିଏ। ଘରର ଚାକରାଣୀ କମଳା ବାଇ। ନିଜ ଇଚ୍ଛାରେ ତା’କୁ ନିଶ୍ୱାସ ନେବା ମନା କହିଲେ ଚଳେ। କ୍ରୀତଦାସୀ କମଳା, ତା’ର ଅବସ୍ଥା ଆହୁରି ଦୟନୀୟ। ଏ ତିିନି ମହିଳା ଚାବିଦିଆ କଣ୍ଢେଇ ସଦୃଶ ଜୀବନ ବିତାନ୍ତି। ଜୟ ସିଂହ ଏମାନଙ୍କ ଚାବି ଯେମିତି ମୋଡ଼ନ୍ତି, ଏ ତିନିହେଁ ସେମିତି ନାଚନ୍ତି। ନାରୀ ଜୀବନର ଏପରି ଅସହାୟତାର ଦୃଶ୍ୟ ଦେଖିବାକୁ ମିଳି ଥିଲା ନାଟକ ‘କମଳା’ରେ। ଅବସର ଥିଲା ଭଞ୍ଜକଳା ମଣ୍ଡପରେ ଉତ୍ତର ପୁରୁଷ ପକ୍ଷରୁ ନାଟକ ସନ୍ଧ୍ୟା। ବିଜୟ ତେନ୍ଦୁଲକର ରଚିତ ଏହି ନାଟକର ନିର୍ଦେଶନା ଦେଇଥିଲେ ଅଭିନ୍ନ ରାଉତରାୟ। ଏହି ସନ୍ଧ୍ୟାରେ ଅତିଥି ଭାବେ ସାହିତ୍ୟିକ ନୀଳାଦ୍ରି ଭୂଷଣ ହରିଚନ୍ଦନ, ପୂର୍ବତନ ପ୍ରଶାସକ ସଞ୍ଜୀବ ହୋତା, ‘ଭିଜା ମାଟି’ର ସମ୍ପାଦିକା ଚିନ୍ମୟୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଉତ୍ତର ପୁରୁଷର ଉପସଭାପତି ପ୍ରସନ୍ନ ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର