ଭୁବନେଶ୍ବର: ରାସ୍ତା ଖୋଳିଦେଲେ, ଭୁଲିଗଲେ। ବର୍ଷା ହେବା ପରେ ଗାତରେ ପାଣି ଭର୍ତ୍ତି। ଏବେ ଗୋଟିଏ କଡ଼ରୁ ମାଟି ଅତଡ଼ା ଖସିବା ଆରମ୍ଭ ହେଲାଣି। ଅତଡ଼ା ଖସି ରାସ୍ତା ମଝି ପର୍ଯ୍ୟନ୍ତ ଗାତ ହୋଇଗଲାଣି। ରାସ୍ତାର ଓସାର ମଧ୍ୟ କମି ଗଲାଣି। ଗାଡ଼ିରେ ଯିବାକୁ ଲୋକ ଭୟ କରୁଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଗାଡ଼ି ଏହି ଗାତ ଭିତରେ ଖସିଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ ବରଂ ରାଜଧାନୀ ଛାତି ଉପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ଚିନ୍ତାମଣିଶ୍ୱର ଅଞ୍ଚଳର ସାରୁଗାଡ଼ିଆ ପୋଖରୀ ଛକରେ ସ୍ବେରେଜ୍ ପାଇପ୍ ବିଛାଇବା ପାଇଁ ୩ ମାସ ତଳେ ଗାତ ଖୋଳା ହୋଇଥିଲା। ଫୁଟେ କିମ୍ବା ୨ ଫୁଟ୍ ନୁହେଁ, ୨୦ ଗଭୀରର ଗାତ ଖୋଳା ଯାଇଥିଲା। ହେଲେ କ’ଣ ହେଲା କେଜାଣି ଅଧାରୁ କାମ ବନ୍ଦ ହୋଇଗଲା। ଖାଲି ଗାତ ଥିଲା କାମ ଚଳୁଥିଲା, ଯିବା ଆସିବା କରି ହେଉଥିଲା। ହେଲେ ନିକଟ ଅତୀତରେ ବର୍ଷା ହେବା ପରେ ଖାଲ ପାଣିରେ ଭର୍ତ୍ତି ହୋଇଗଲା। ପାଣି ଜମି ରହିବାରୁ ରାସ୍ତାରୁ ଅତଡ଼ା ଖସିଲା। ରାସ୍ତାର ଯେଉଁ ଅଂଶ ଯିବା ଆସିବା ପାଇଁ ବ୍ୟବହାର ହେଉଥିଲା ସେହି ଅଂଶରୁ ଅତଡ଼ା ଖସି ଖସି ଅଣଓସାରିଆ ହୋଇଯିବାରୁ ଲୋକମାନେ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଭାବରେ ଯିବା ଆସିବା କରୁଛନ୍ତି। କଟକ ରୋଡ୍ରୁ ଲକ୍ଷ୍ମୀସାଗର ଲେନ୍-୧, ୨ ଓ ୩ ପ୍ରଭୃତି ଅଞ୍ଚଳକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା।
ପ୍ରତ୍ୟେକ ଦିନ ଶହ ଶହ ଲୋକ, ଛାତ୍ର ଛାତ୍ରୀ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ଅତଡ଼ା ଖସିବା ଯୋଗୁଁ ରାସ୍ତା ଅଣଓସାରିଆ ହେବା ସହ ବିପଦପୂର୍ଣ୍ଣ ହୋଇ ଯାଇଥିବାରୁ ବିଶେଷକରି ଚାରିଚକିଆ ଯାନ ନେଇ ଯିବା ବେଳେ ଚାଳକ ଭୟଭୀତ ହୋଇ ପଡ଼ୁଥିବା ଅଭିଯୋଗ କରିଛନ୍ତି। କେତେକାଂଶରେ ଦୁର୍ଘଟଣା ମଧ୍ୟ ହେଉଛି। ଅନ୍ଧାର ରାତିରେ ଭୟ ଆହୁରି ବଢ଼ି ଯାଉଛି। କୌଣସି ଲାଇଟ୍ର ବ୍ୟବସ୍ଥା ମଧ୍ୟ ନାହିଁ। ଟିକେ ଅନ୍ୟମନସ୍କ ହେଲେ ଜୀବନ ଚାଲିଯିବା ଆଶଙ୍କା ରହିଛି। ବିପରୀତ ଦିଗରୁ ଆସୁଥିବା ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବା ଅସମ୍ଭବ ହୋଇପଡ଼ିଛି। ଗତ ତିନିମାସ ମଧ୍ୟରେ ଏଭଳି ବିପଜ୍ଜନକ ଭାବରେ ରାସ୍ତା ଅତିକ୍ରମ କରୁ କରୁ ପ୍ରାୟ ୫ଟି ଦୁର୍ଘଟଣା ମଧ୍ୟ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/37-14.jpg)