ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାର ସ୍ୱପ୍ନ

ରାଜଧାନୀକୁ ଆସନ୍ତାକାଲି ୭୦ବର୍ଷ ପୂରିବ। ଏହା ଭିତରେ ରାଜଧାନୀର କଳେବର ବଢ଼ିଛି ଓ ଲୋକସଂଖ୍ୟା ବି। ରାଜଧାନୀରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଆଗକୁ ଅନେକ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସ୍ୱପ୍ନ ଦେଖାଇଛନ୍ତି। ରାଜଧାନୀର ଜଗନ୍ନାଥ ପ୍ରସାଦ ମୌଜାରେ ଇଏସ୍‌ଆଇସି ପକ୍ଷରୁ ୧୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କରାଯିବ। ପରବର୍ତୀ ସମୟରେ ଏହାର ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରିବା ମଧ୍ୟ ଯୋଜନା ହୋଇଛି। ଏଥିପାଇଁ ପାଚେରି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହା ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲ ଭାବେ ଉଭା ହେବ ବୋଲି ଆଶା କରାଯାଉଛି। ସେହିପରି ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯିବ ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ହସ୍ପିଟାଲର ପାଚେରି ନିର୍ମାଣ ହୋଇଛି। ଆୟୁର୍ବେଦିକ ଚିକିତ୍ସାକୁ ଲୋକାଭିମୁଖୀ କରିବାରେ ଏହି ହସ୍ପିଟାଲ ସହାୟକ ହେବ ବୋଲି ଆଶା କରାଯାଉଛି। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହି ହସ୍ପିଟାଲ କାର୍ଯ୍ୟ ଆଗେଇ ପାରୁନାହିଁ। ରାଜଧାନୀରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗାଡ଼କଣରେ ପିପିପି ମୋଡରେ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପାଇଁ ପ୍ରସ୍ତାବ ରହିଛି। ବିଏମ୍‌ସି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍‌ସ) ସହିତ ଚୁକ୍ତି ହୋଇଛି। ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପାଇଁ ଗାଡ଼କଣରେ ୫ଏକର ଜମି ଚିହ୍ନଟ କରାଯାଇଛି। ଏଥିରେ ୫୫୦ଶଯ୍ୟା ରହିବ ଓ ବିଶ୍ୱସ୍ତରୀୟ ସୁବିଧା ମିଳିବ। ରାଜଧାନୀରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲର ଫି’ ତୁଳନାରେ ଏଠାରେ କମ୍‌ ଫି’ ରହିବ। ତେବେ ହସ୍ପିଟାଲ ନିର୍ମାଣ କରୁଥିବା ସଂସ୍ଥାକୁ ବ୍ୟାଙ୍କ ଋଣ ପାଇଁ ସମସ୍ୟା ହେଉଥିବାରୁ ଏହାର ନିର୍ମାଣ ବିଳମ୍ବ ହେବାରେ ଲାଗିଛି। ଅପରପକ୍ଷରେ କେବଳ ହସ୍ପିଟାଲ ନିର୍ମାଣ ନୁହେଁ, ରାଜଧାନୀରେ ବିଶ୍ୱସ୍ତରୀୟ ପରୀକ୍ଷାଗାର ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ରାଜଧାନୀର ୟୁନିଟ୍‌-୪ ହସ୍ପିଟାଲ ପରିସରରେ ଏକ ଷ୍ଟେଟ୍‌ ଅଫ ଆର୍ଟ ଲବୋରେଟାରି ନିର୍ମାଣ ପାଇଁ ଯୋଜନା ହୋଇଛି। ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ପରୀକ୍ଷା ସୁବିଧା ରହିବ। ଫଳରେ ରାଜ୍ୟ ବାହାରର ପରୀକ୍ଷାଗାର ଉପରେ ଆଉ ରାଜ୍ୟ ସରକାରଙ୍କୁ ନିର୍ଭର କରିବାକୁ ପଡ଼ିବ ନାହିଁ। ତେବେ ଏହାର ଡିଜାଇନ୍‌କୁ ନେଇ କିଛିଦିନ ଧରି ବିବାଦ ଲାଗି ରହିଥିବାରୁ ଲାବୋରେଟାରି ନିର୍ମାଣ କାର୍ଯ୍ୟ ଆଗେଇ ପାରି ନାହିଁ। ସେହିପରି ହୋମିଓପ୍ୟାଥିକ ଡ୍ରଗ୍‌ ପରୀକ୍ଷା ଲାବୋରେଟାରି ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାହେବ ରାଜ୍ୟର ପ୍ରଥମ ହୋମିଓପ୍ୟାଥିକ ଡ୍ରଗ୍‌ ପରୀକ୍ଷାଗାର। ତେବେ ଏହାର ନିର୍ମାଣ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ପୂର୍ବରୁ ରାଜଧାନୀରେ ଆୟୁର୍ବେଦିକ ଡ୍ରଗ୍‌ ପରୀକ୍ଷାଗାର ରହିଥିବା ବେଳେ ହୋମିଓପ୍ୟାଥିକ ଔଷଧର ଯାଞ୍ଚ ଦିଗରେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

ବିଏମ୍‌ସିର ପୂର୍ବତନ ଅଧ୍ୟକ୍ଷ ତଥା ଜଣାଶୁଣା ଚିକିତ୍ସକ ଡା.ଜଗନ୍ନାଥ ମହାପାତ୍ର ରାଜଧାନୀରେ ନିଜର ପୂର୍ବ ଅନୁଭୂତି ବଖାଣି କହିଛନ୍ତି ଯେ, ୧୯୫୪ ମସିହାରେ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ ଏକମାତ୍ର ସରକାରୀ ହସ୍ପିଟାଲ ଥିଲା। ଏଥିରେ ଅନେକ ବିଭାଗ ମଧ୍ୟ ଖୋଲି ନ ଥିଲା। ଏହା ସାଙ୍ଗକୁ କେତେକ ଡିସ୍‌ପେନସାରି ରାଜଧାନୀରେ ଖୋଲିଥିଲା। ଏହା ଭିତରେ ରାଜଧାନୀରେ ଲୋକସଂଖ୍ୟା ବଢ଼ିବା ସହିତ କର୍ପୋରେଟ୍‌ ହସ୍ପିଟାଲଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ତେବେ ରାଜଧାନୀରେ ରହୁଥିବା ଲୋକଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀକୁ ୪ଟି ଜୋନ୍‌ରେ ବିଭକ୍ତ କରି କ୍ୟାପିଟାଲ ହସ୍ପିଟାଲ ଭଳି ହସ୍ପିଟାଲ ନିର୍ମାଣ କରନ୍ତୁ। ରାଜଧାନୀର କେତେକ ସିଏଚ୍‌ସିରେ ମଧ୍ୟ ବଡ଼ ହସ୍ପିଟାଲ ନିର୍ମାଣ ପାଇଁ ଜାଗା ରହିଛି। ଏସବୁ ସ୍ଥାନରେ ବଡ଼ ହସ୍ପିଟାଲ ନିର୍ମାଣ କରାଗଲେ ରାଜଧାନୀରେ ରହୁଥିବା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ମିଳିପାରିବ। ଏହାସହ ଯେଉଁ କର୍ପୋରେଟ୍‌ ହସ୍ପିଟାଲଙ୍କୁ ସରକାର ରାଜଧାନୀରେ ଜାଗା ଦେଉଛନ୍ତି ସେମାନେ କିଭଳି ଉଚ୍ଚ ବର୍ଗର ଲୋକଙ୍କୁ ଛାଡ଼ି ଅନ୍ୟ ବର୍ଗର ଲୋକଙ୍କୁ ଅପେକ୍ଷାକୃତ କମ୍‌ ଦାମ୍‌ରେ ସ୍ୱାସ୍ଥ୍ୟସେବା ଯୋଗାଇଦେବେ ଏ ସଂପର୍କରେ ଚୁକ୍ତି ସମୟରେ ଆଲୋଚନା କରିବା ଉଚିତ୍‌ ବୋଲି ଡା.ମହାପାତ୍ର କହିଛନ୍ତି।

ରିପୋର୍ଟ: କ୍ଷୀତିଶ ରାୟ

ସମ୍ବନ୍ଧିତ ଖବର