ଭୁବନେଶ୍ବର : ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ। ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ରାଜଧାନୀର ଏହି ରେଳ ଷ୍ଟେସନର ବିଶ୍ବସ୍ତରୀୟ ସ୍ବପ୍ନ ଘୁଞ୍ଚିଘୁଞ୍ଚି ଯାଉଛି। ଭିତ୍ତିଭୂମି ବିକାଶ ସହ ଉନ୍ନତିକରଣ କାର୍ଯ୍ୟ ୨୦୧୯ରେ ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ଇତିମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ କୌଣସି କାମ ହୋଇନାହିଁ। ଏମିତିକି ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇପାରି ନାହିଁ। ଯାହା ଯେମିତି ଥିଲା ସେମିତି ଅଧା ଭଙ୍ଗା ଅବସ୍ଥାରେ ପଡ଼ି ରହିଛି। ରେଳ ଷ୍ଟେସନ୍ ଭିତ୍ତିଭୂମି ବିକାଶ ବିଳମ୍ବ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଆଜି ରେଳ ଷ୍ଟେସନ ବୁଲି ଦେଖିବା ସହ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ନୀରିକ୍ଷଣ କରିଛନ୍ତି।
ଅପରାହ୍ଣରେ ସ୍ଥିତି ଅନୁଧ୍ୟାନ କରିବା ପରେ ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି ଯେ ଭୁବନେଶ୍ବରର ଏହି ଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ। ବିମାନବନ୍ଦର ଭଳି ଯାତ୍ରୀ ସୁବିଧା ଓ ଅନ୍ୟ ବ୍ୟବସ୍ଥା ରହିବ। ଷ୍ଟେସନକୁ ଏକ ବ୍ୟବସାୟିକ ହବ୍ରେ ସୌନ୍ଦର୍ଯ୍ୟୀକରଣ କରାଯାଇ ଆଲୋକ ବ୍ୟବସ୍ଥା, ଉନ୍ନତ ମାନର ସଙ୍କେତ ବୋର୍ଡ, ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ ଆଦିର ବିକାଶ କରାଯିବ। ଭ୍ରମଣକାରୀ ଯାତ୍ରୀଙ୍କ ପାଇଁ ଅନେକ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ। ଷ୍ଟେସନ ବାହାରେ ଥିବା ଖାଲି ସ୍ଥାନର ମଧ୍ୟ ସୌନ୍ଦର୍ଯ୍ୟୀକରଣ ହେବ। ଷ୍ଟେସନର ଡ୍ରେନେଜ ସିଷ୍ଟମକୁ ସମାଧାନ କରାଯିବା ସହ ୬ ନମ୍ବର ପ୍ଲାଟଫର୍ମ ପାର୍ଶ୍ବରେ ପାର୍କିଂ ପାଇଁ ଅଧିକ ସ୍ଥାନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଭୁବନେଶ୍ବର ରେଳ ଷ୍ଟେସନର ପୁନଃବିକାଶ ପାଇଁ ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ସହ ପୂର୍ବତଟ ରେଳପଥ ୧୦୭୫ କୋଟି ଟଙ୍କାର ରାଜିନାମା କରିଥିଲା। ଏହି ରେଳ ଷ୍ଟେସନରେ ସପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ସହ ଅନ୍ୟାନ୍ୟ ସୁବିଧା ରହିବ। ଏଥିସହ ଦୁଇଟି ଅତିରିକ୍ତ ରେଳ ଲାଇନ୍ ନିର୍ମାଣ କରାଯିବ। ରେଳ ଷ୍ଟେସନ୍ ଏକ ଅତ୍ୟାଧୁନିକ ବ୍ୟବସାୟ କେନ୍ଦ୍ର ଭାବେ ତିଆରି ହେବ। ଏହା ପୂର୍ବ ଭାରତର ସର୍ବୋତ୍ତମ ଷ୍ଟେସନ ମଧ୍ୟରୁ ଅନ୍ୟତମ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ଚାଲିଛି। ନିର୍ମାଣ କାର୍ଯ୍ୟ ପାଇଁ ସମସ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ଯୋଜନା ପ୍ରସ୍ତୁତ ସରିଛି। ବିସ୍ତୃତ ପ୍ରକଳ୍ପ ଆକଳନ ଚୂଡ଼ାନ୍ତ କରାଯିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଯୋଜନା ଅନୁଯାୟୀ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/pressmeet-at-railway-station.jpg)