ସରିଲା ପିକକ୍‌ ଶିଶୁ ମେଳା, ଭଲ ନାଗରିକ ହେବାର ସ୍ବପ୍ନ ଦେଖ

ଭୁବନେଶ୍ବର: ପିପୁଲସ୍‌ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଡିଜିଟାଲ ମଞ୍ଚରେ ୭ଦିନ ବ୍ୟାପୀ ଚାଲିଥିବା ‘୩୧ତମ ପିକକ୍ ଶିଶୁମେଳା’ର ଆଜି ଥିଲା ଅନ୍ତିମ ଦିବସ। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବୀରକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ କହିଲେ, ପିଲାମାନେ ସ୍ୱପ୍ନ ଦେଖିବା ସହ ଏହାକୁ ସାକାର କରିବା ଦିଗରେ କାର୍ଯ୍ୟ କରିବା ଉଚିତ। ଭଲ ନାଗରିକ ହେବା ପାଇଁ ସ୍ବପ୍ନ ଦେଖିଲେ ହିଁ ଦେଶର ବିକାଶରେ ସେ ଅଂଶୀଦାର ହୋଇପାରିବ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କହିଲେ, ଅନେକ ସମୟରେ ଆମେ ପରିବର୍ତ୍ତନକୁ ଗ୍ରହଣ କରିପାରୁନାହୁଁ। କିନ୍ତୁ କରୋନା ମହାମାରୀ ପରିବର୍ତ୍ତନକୁ ଗ୍ରହଣ କରିବା ଶିଖାଇ ଦେଇଛି। ସେ ଏକଥା ବି କହିଲେ, ସୁରକ୍ଷିତ ଶୈଶବ ଦିଗରେ ପିତାମାତା ଅଧିକ ଅଂଶୀଦାର ହୁଅନ୍ତୁ। ସନ୍ତାନମାନଙ୍କୁ ବ୍ୟକ୍ତିଗତ ସମ୍ପତ୍ତି ଭାବିବା ବନ୍ଦ କରନ୍ତୁ। ସେମାନଙ୍କ ଉପରେ ନିଜ ଇଚ୍ଛାର ବୋଝ ଲଦି ନ ଦେଇ ପ୍ରବୃତ୍ତି ଓ ରୁଚି ମୁତାବକ ବୃତ୍ତି ଚୟନର ସୁଯୋଗ ଦିଅନ୍ତୁ। ପିଲାମାନଙ୍କୁ ଉପଦେଶ ଦେଇ କହିଲେ, ବାପା ମା’ ଈଶ୍ବରଙ୍କ ଦୂତ। ତାଙ୍କର ସେବା କରିବା, ସମ୍ମାନ ଜଣାଇବା ଆମର ଧର୍ମ ଓ କର୍ତବ୍ୟ। ଆଜିକାଲି ପିଲାମାନଙ୍କ ମଧ୍ୟରେ ଅହଙ୍କାର ବଢ଼ିଚାଲିଥିବାରୁ ସେଥିରେ ଅଙ୍କୁଶ ଲଗାଇବା ଉଚିତ୍‌ ବୋଲି ସେ କହିଛନ୍ତି।

ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର କମିସନର ସୁଲୋଚନା ଦାସ କହିଲେ, ପିଲାମାନଙ୍କୁ କରୋନା ପରିସ୍ଥିତିରେ ସୁରକ୍ଷିତ ରଖି ତାଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବାକୁ ଅଭିଭାବକମାନେ ଯତ୍ନବାନ ହେବା ଉଚିତ। ପୂର୍ବତନ ପ୍ରଶାସକ ସହଦେବ ସାହୁ କୋଭିଡ ପରିସ୍ଥିତିରେ ସର୍ତକ ଓ ସୁରକ୍ଷିତ ରହିବାକୁ ପରାର୍ମଶ ଦେଇଥିଲେ। ଅଭିନେତ୍ରୀ ଅନୁ ଚୌଧୁରୀ ପିଲାମାନଙ୍କ ପୋଷଣ ଓ ଲାଳନ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ପୂର୍ଣ୍ଣମା ଗିରିଙ୍କୁ ସାହସିକତା ପାଇଁ ‘ବାଜିରାଉତ ସ୍ମାରକୀ ସମ୍ମାନ-୨୦୨୦’, ଫୁଲନଖରା ମୁଗଭଙ୍ଗା ଗ୍ରାମର ଲୋରିସ୍ମିତା ଦଲାଇଙ୍କୁ ସମାଜସେବା ପାଇଁ ‘ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ଭୁବନେଶ୍ବରର ଆର୍ଦଶ ଦାସଙ୍କୁ ‘ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ-୨୦୨୦’, ଖୋର୍ଧାର ଶିଶୁ ଅଭିନେତ୍ରୀ ଆୟୁଷା ପଟ୍ଟନାୟକଙ୍କୁ ‘ଶରତ ପୂଜାରୀ ସ୍ମାରକୀ ସମ୍ମାନ’, କୋରାପୁଟର ଚଞ୍ଚଳା ପୂଜାରୀଙ୍କୁ ‘ଆଦରମଣୀ ବରାଳ ସ୍ମାରକୀ ସମ୍ମାନ’ ରେ ସମ୍ମାନିତ କରଯାଇଥିଲା। ପିକକ୍‌ର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା କୋଭିଡ ପରବର୍ତୀ ସମୟରେ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ବିସ୍ତୃତ ଯୋଜନାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

୭ ଦିନର ଶିଶୁ ମେଳାରେ ବିଭିନ୍ନ ଦିବସରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଦାନ୍ତରୋଗ ବି‌ଶେଷଜ୍ଞ ଡାକ୍ତର ସ୍ୱରୂପ ମହାନ୍ତି, ଶିଶୁ ଓ ମହିଳା ବିକାଶର ପରାର୍ମଶଦାତ୍ରୀ ମଧୁମିତା ଦାସ ପ୍ରମୁଖ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖିଥିଲେ। ରତ୍ନା ଦାଶ, ପାଣୁ ବେହେରା, ସୁମିତ୍ରା ମହାନ୍ତି, ମୋନାଲିସା ପାତ୍ର, ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ଧର୍ମାନନ୍ଦ ସୁନ୍ଦରାୟ, ମିତାଲି ମହନ୍ତି, ବିଶ୍ୱଜିତ, ସତ୍ୟସୁନ୍ଦର, ଦେବାଶିଷ, ଅତିଷ୍ଣୁ, ପ୍ରୀତମ୍ ଓ ଶାଶ୍ବତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର