ଡ୍ରିମ୍‌ ପ୍ରୋଜେକ୍ଟ ଧୂଳିସାତ : ଆଉ ଥାନାରେ ମିଳୁନି ଚା’, ପାଣି

କେଉଁଠି ମେସିନ୍‌ ଅଚଳ ତ କେଉଁଠି ମିଳୁନି ପାଉଡର୍‌

ଭୁବନେଶ୍ୱର (ତାପସ ଦାସ): ୨୦୧୪ ଅଗଷ୍ଟ ମାସ ୧୯ ତାରିଖ। ତତ୍କାଳୀନ ପୁଲିସ ଡିଜି ସ˚ଜୀବ ମାରିକ ସହିଦନଗର ଓ କ୍ୟାପିଟାଲ୍‌ ଥାନାରେ ଚା’ ଭେଣ୍ତି˚ ମେସିନ୍‌ର ଉଦଘାଟନ କରିଥିଲେ। ପ୍ରତିଷ୍ଠାର ଲକ୍ଷ୍ୟ ଥିଲା ଅଭିଯୋଗକାରୀଙ୍କୁ ମାଗଣାର ଚା’ ପ୍ରଦାନ କରିବା। ଏପରିକି ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ସାଦା କାଗଜ ଓ ଥଣ୍ତା ପାଣିଦେବାକୁ ମଧୢ ନିର୍ଦେଶ ଥିଲା। ପୁଲିସ ଓ ସାଧାରଣ ଲୋକଙ୍କ ମଧୢରେ ସମ୍ପର୍କ ନିବିଡ଼ କରିବା, ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଏହା ମାଧୢମରେ ହୋଇ ପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ତତ୍କାଳୀନ ଡିଜିଙ୍କର ଏହି ସ୍ବପ୍ନ ଧୂଳିସାତ ହୋଇ ଯାଇଛି। କେମିତି ଅଛି ଚା’ ଭେଣ୍ତି˚ ମେସିନ। ଅଭିଯୋଗକାରୀଙ୍କ ଚା’ ମିଳୁଛି ନା ନାହିଁ। ସ୍ଥିତି ପରିଖିବାକୁ ଆମେ ଆଜି ଭୁବନେଶ୍ବର ୪ଟି ଥାନାକୁ ଯାଇଥିଲୁ। ସେ ସମ୍ପର୍କରେ ଏକ ରିପୋର୍ଟ….
ମଧ୍ୟହ୍ଣ ପ୍ରାୟ ୧୨ଟା। ପ୍ରଥମେ ପହଞ୍ଚିଥିଲୁ କ୍ୟାପିଟାଲ୍‌ ଥାନାରେ। ଥାନା ଇନ୍ସପେକ୍ଟର୍‌ ଥାନାରେ ନ ଥିଲେ। ଚା’ ଭେଣ୍ତି˚ ମେସିନ୍‌ କାହିଁ ବୋଲି ଡିସିଓଙ୍କୁ ପଚାରିଥିଲୁ। ଡିସିଓ ଆମକୁ ତଳୁ ଉପର ଯାଏ ଚାହିଁ ଥିଲେ। କିଛି କହିବାକୁ ଚାହିଁ ପୁଣି ଥରେ ଚୁପ୍‌ ହୋଇ ଯାଇଥିଲେ। ଉପସ୍ଥିତ ଥିବା ଜଣେ କନ୍‌ଷ୍ଟେବଲ୍‌ ପୂର୍ଣବାବୁଙ୍କୁ ଡାକ ଚା’ ମେସିନ୍‌ ବିଷୟରେ କହିବେ। ପୂର୍ଣବାବୁ ତ ଆସି ନ ଥିଲେ ଆମର ଜଣେ ଚିହ୍ନା ଅଫିସର କହିଥିଲେ, ଚା’ ମେସିନ୍‌ ଅଚଳ ହୋଇ ଯାଇଛି। ଷ୍ଟୋର ରୁମ୍‌ରେ ପଡ଼ିଛି ବୋଲି କହିଥିଲେ। କ୍ୟାପିଟାଲ ଥାନା ଏସିପି ଇନ୍‌ଚାର୍ଜ ମାନସ ଗଡ଼ନାୟକ କହିଛନ୍ତି, ମେସିନ୍‌ ଚାଲୁଛି। କିନ୍ତୁ ପାଉଡର୍‌ ସରି ଯାଇଛି। ସେଠୁ ସିଧା ଯାଇଥିଲୁ ସହିଦନଗର ଥାନା। ଥାନାରେ ପଶୁ ପଶୁ ବାମ ପଟେ ଆକ୍ବାଗାର୍ଡ ମେସିନ୍‌ ଲାଗିଛି। ଚା’ ମେସିନ୍‌ ଆଉ ନାହିଁ। ମେସିନ୍‌କୁ ଲକ୍ଷ୍ୟ କରିବା ବାହାନାରେ ମୋବାଇଲ ଫୋନ୍‌ରେ କଥା ହୋଇଥିଲୁ। ଜଣେ କନ୍‌ଷ୍ଟେବଲ ପାଣି ବୋତଲ ଆଣି ଆକ୍ବାଗାର୍ଡରୁ ପାଣି ନେଇଥିଲେ। ଚା ଭେଣ୍ତି˚ ମେସିନ୍‌ କାହିଁ ବୋଲି ପଚାରି ବାରୁ ସେ କହିଥିଲେ ଆକ୍ବାଗାର୍ଡ ପାଖରେ ଚା ଭେଣ୍ତି˚ ମେସିନ୍‌ ରହିବାରୁ ଖରାପ ହୋଇ ଯାଉଛି। ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନଙ୍କ ଉତ୍ତର ମଧୢ ସମାନ, ହିଟ୍‌ ଓ କୋଲ୍‌ଡ ମେସିନ୍‌ ଗୋଟିଏ ଜାଗାରେ ରହିବାରୁ ଖରାପ ହୋଇ ଯାଉଛି। ଏହା ଛଡ଼ା ସେହି ଚା’କୁ କେହି ପିଉ ନାହାନ୍ତି। ଆମେ ହାତରୁ ଚା’ ଓ କଫି ମଗାଇ ପିଇବାକୁ ଦେଉଛି।

ତା’ ପରେ ବାହାରି ଯାଇଥିଲୁ ଲକ୍ଷ୍ମୀସାଗର ଥାନା। ସେଠି ଚା’ ମେସିନ୍‌ କେଉଁଠି ଲାଗିଛି, ପାଇଲୁ ନାହିଁ। ଏହି ସମୟ ଭିତରେ ଆମେ ପଚାରିଥିଲୁ ଚା’ ମେସିନ୍‌ ସମ୍ପର୍କରେ। ଥାନାରେ ଥିବା କର୍ମଚାରୀ କିଛି ବି ଉତ୍ତର ଦେଇ ନ ଥିଲେ। ଥାନା ଇନ୍ସପେକ୍ଟର ଦୟାନିଧି ନାୟକ କହିଛନ୍ତି, ସେ ଯୋଗ ଦେବା ପୂର୍ବରୁ ଚା’ ଭେଣ୍ତି˚ ମେସିନ୍‌ ଅଚଳ ହୋଇ ପଡ଼ିଛି।
ଖଣ୍ତିଗରି ଥାନାକୁ ଯାଇ ପାରି ନ ଥିଲୁ, ଫୋନ୍‌ କରିଥିଲୁ। ଉତ୍ତର ଶୁଣି ଚୁପ୍‌ ରହିଥିଲୁ।

ଏହା ଥିଲା କମିସନରଟ୍‌ ପୁଲିସର ୪ଟି ଥାନାରେ ଲାଗିଥିବା ଚା’ ଭେଣ୍ତି˚ ମେସିନ୍‌ର ଅବସ୍ଥା। କମିସନରେଟ୍‌ ପୁଲିସ କେବଳ ଯୋଜନା ଉପରେ ଯୋଜନା କରୁଛି ସତ କିନ୍ତୁ ପରବର୍ତୀ ସମୟରେ ତାହା କେତ ଦୂର କାର୍ଯ୍ୟକାରୀ ହେଉଛି ତାହା କେହି ଅନୁଧୢାନ କରୁନାହାନ୍ତି।

ତେବେ ଏ ସମ୍ପର୍କରେ ନିଜ ନାମ ଗୋପନ ରଖି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ଥାନାରେ ଲାଗିଥିବା ମେସିନ୍‌ କ୍ରମେ ଅଚଳ ହୋଇ ଯାଇଥିଲା। ଯେଉଁ କମ୍ପାନି ଏହା ଲଗାଇଥିଲା ସେମାନଙ୍କୁ ଯେତେ କହିଥିଲେ ବି କେହି ସଜାଡ଼ିବାକୁ ଆସି ନ ଥିଲେ। ଏହା ଛଡ଼ା ବିଭାଗ ପକ୍ଷରୁ ୪୫୦ ଟଙ୍କା ଦାମରେ ଏକ ପାଉଡର୍‌ ଦିଆଯାଉଥିଲା। ଯେଉଁ ପାଉଡର୍‌ରେ ଚା’ ପ୍ରସ୍ତୁତି ହେଉଥିଲା, ଏବେ ସେହି ପାଉଡର୍‌ ଆଉ ମିଳୁନି।

ଏହାଥିଲା ମୋ ସ୍ବପ୍ନର ପ୍ରୋଜେକ୍ଟ

ଏହା ମୋର ସ୍ବପ୍ନର ପ୍ରୋଜକ୍ଟ ଥିଲା। ତେବେ ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଅଭାବ କାରଣରୁ ଚା’ ଭେଣ୍ଡିଂ ମେସିନ୍‌କୁ ପାଉଡର୍‌ ଯୋଗାଇ ହେଲା ନାହିଁ। ଥାନା କର୍ମଚାରୀ କେତେ ହାତରୁ ଖର୍ଚ କରି ଚା’ କଫି କିଣିବେ। ତେଣୁ ଏହା ବନ୍ଦ ହୋଇ ଯାଇଛି। ତେବେ କେହି ଏହି ମେସିନ‌୍‌ର ପ୍ରଯୋଜକ ହେଲେ ତାହା ଚାଲୁ ରହି ପାରିବ।
ସଂଜୀବ ମାରିକ, ତତ୍କାଳୀନ ପୁଲିସ ଡିଜି

ମେସିନ୍‌ ଯୋଗାଇବା ସଂସ୍ଥାକୁ ସ୍ବାଗତ କରାଯିବ

ମୁଁ ଯୋଗ ଦେବା ପରେ ଏବେ ଅଭିଯୋଗକାରୀଙ୍କୁ କିଭଳି ଥାନାରେ ଥଣ୍ଡା ପାଣି ମିଳିବ, ବସିବା ପାଇଁ ସୁବିଧା ଜାଗା ମିଳିବା ତା ଉପରେ ଫୋକ୍‌ସ କରୁଛି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ଭୁବନେଶ୍ବର ଓ କଟକକୁ ୪୫ଟି ଆକ୍ବାଗା‌ର୍ଡ ଅଣାଯାଉଛି। ପ୍ରତ୍ୟେକ ଥାନାରେ ଏହା ସଂଯୋଗ କରାଯିବ। ଯଦି କୌଣସି ସଂସ୍ଥା ଚାହିଁବ ଥାନାକୁ ଚା ଭେଣ୍ଡିଂ ମେସିନ୍ ଯୋଗାଇବ, ସେମାନଙ୍କୁ ସ୍ବାଗତ କରାଯିବ।
ସତ୍ୟଜିତ ମହାନ୍ତି, ପୁଲିସ କମିସନର୍‌

ସମ୍ବନ୍ଧିତ ଖବର