ଭୁବନେଶ୍ୱର: ବର୍ଷ ପରେ ବର୍ଷ ବିଭିନ୍ନ ଅବସରରେ ବିଭିନ୍ନ କଟକଣା ଜାରି କରା ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ର ବହୁଳ ବ୍ୟବହାର ହେଉଛି। ‘ବହୁଳ ବ୍ୟବହାର’ କହିଲେ ବି ଭୁଲ୍ହେବ, ଖୋଲା ବ୍ୟବହାର ହେଉଛି। ମଝିରେ ମଝିରେ ଅବଶ୍ୟ ଲୋକଦେଖାଣିଆ ଭାବେ ଚଢ଼ଉ କରା ଯାଉଛି, ପଲିଥିନ୍ ଜବତ ହେଉଛି, ଜରିମାନା କରା ଯାଉଛି। କିନ୍ତୁ କିଛି ବଦଳୁନାହିଁ। ତେଣୁ ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବରକୁ ପ୍ଲାଷ୍ଟିକ୍-ପଲିଥିନ୍ମୁକ୍ତ ସହର ଘୋଷଣା କରାଯାଇଥିଲେ ହେଁ ଏବେ ବି ସହରସାରା ଏହି ନିଷିଦ୍ଧ ସାମଗ୍ରୀର ବ୍ୟବହାର ଚାଲିଛି। ପଲିଥିନ୍ମୁକ୍ତ ରାଜଧାନୀର ସ୍ବପ୍ନ କେବଳ ଘୋଷଣାରେ ରହି ଯାଇଛି। ପୁଣି ପ୍ଲାଷ୍ଟିକ୍ ବୋତଲ ଓ କପ୍ ଆଦିର ବ୍ୟବହାରକୁ ବନ୍ଦ କରିବାଲାଗି ସ୍ପଷ୍ଟ କଟକଣା ନଥିବାରୁ ସେଗୁଡ଼ିକର ବହୁଳ ବ୍ୟବହାର ହେଉଛି। ପୁଣି ରହିଛି ପତାକା, ଫୁଲ ଓ ସାଜସଜ୍ଜାରେ ବ୍ୟବହାର କରା ଯାଉଥିବା ପ୍ଲାଷ୍ଟିକ୍। ବାହାଘର, ବ୍ରତଘର ଓ ବିଭିନ୍ନ ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମରୁ ଏହି ବର୍ଜ୍ୟ ବିପୁଳ ପରିମାଣରେ ବାହାରୁଛି। ଏପରିକି ସରକାରୀ କାର୍ଯ୍ୟକ୍ରମ ସେଥିରୁ ବାଦ୍ ପଡୁନାହିଁ। ଏବେ ତାହା ହିଁ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି।
ରାଜଧାନୀର ପ୍ରତିଟି ମାର୍କେଟ, ଛକ, ପାର୍କ, ପର୍ଯ୍ୟଟନସ୍ଥଳୀ, ମଣ୍ଡପ ଓ ମନ୍ଦିର ଆଦି ସ୍ଥାନରେ ଗଦା ହୋଇରହୁଛି ଏହି ପ୍ଲାଷ୍ଟିକ୍ ବର୍ଜ୍ୟ। ରାଜଧାନୀରେ ପ୍ରତିଦିନ ୮୦୦ ମେଟ୍ରିକ୍ ଟନ୍ ଆବର୍ଜନା ବାହାରୁଛି, ସେଥିରେ ୩୦%ରୁ ଅଧିକ ରହୁଛି ପଲିଥିନ୍ ଓ ଅନ୍ୟ ପ୍ଲାଷ୍ଟିକ୍। ୨୦୧୯ ଡିସେମ୍ବରରେ ବିଏମ୍ସି ପକ୍ଷରୁ ଅଧକେଜି ପ୍ଲାଷ୍ଟିକ୍ ବର୍ଜ୍ୟ ଦେଇ ଯେ କେହି ବି ଆହାରକେନ୍ଦ୍ରରେ ଗୋଟିଏ ମିଲ୍ ଖାଇପାରିବେ ବୋଲି ଘୋଷଣା ହୋଇଥିଲା। ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରି ଓଜନ କରି ଦେଲେ ଖାଇବାକୁ ମିଳୁଥିଲା। ବହୁଲୋକ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରି ଆହାର କେନ୍ଦ୍ରରେ ଦେଉଥିଲେ। କିନ୍ତୁ ପରିଚାଳନା ଅଭାବରୁ ଏହି ଯୋଜନା ଆଉ କାର୍ଯ୍ୟକାରୀ ହେଉନାହିଁ। ସେହିପରି ଖାଲି ପ୍ଲାଷ୍ଟିକ୍ ପାଣି ବୋତଲକୁ ବାହାରେ ଏଠିସେଠି ନଫିଙ୍ଗି ରିଭର୍ସ ମେସିନ୍ରେ ପକାଇଲେ ମୋବାଇଲ୍ରେ ୧୦ ଟଙ୍କାର ଟକ୍ ଟାଇମ୍ ମିଳିବ ବୋଲି ଏକ ଲୋଭନୀୟ ଯୋଜନା ଆରମ୍ଭ ହୋଇଥିଲା। ଏଥିପାଇଁ ବିଏମ୍ସି ୪ ବର୍ଷ ତଳେ ଦୁଇଟି ପ୍ଲାଷ୍ଟିକ୍ ରିଭର୍ସ ଭେଣ୍ଡିଂ ମେସିନ୍ ସ୍ଥାପନ କରିଥିଲା। ତେବେ କିଛିଦିନ ଚାଲିବା ପରେ ସେସବୁ ଅଚଳ ହୋଇଯାଇଛି। ଆବର୍ଜନା ପରିଚାଳନା କରୁଥିବା ଏହି ମେସିନ୍ଦୁଇଟି ଏବେ ରାସ୍ତା କଡ଼ରେ ସ୍ବୟଂ ଆବର୍ଜନା ହୋଇ ପଡ଼ିରହିଛି। ତା’ ଭିତରୁ ମାର୍କେଟ୍ ବିଲ୍ଡିଂ ପରିସରରେ ଥିବା ମେସିନ୍ଟି କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ସେହିପରି ୨୦୧୮ ମସିହାରେ ପୂର୍ବତଟ ରେଲପଥ ପକ୍ଷରୁ ଭୁବନେଶ୍ବର ଷ୍ଟେସନର ୧ ଓ ୬ ନମ୍ବର ପ୍ଲାଟ୍ଫର୍ମରେ ସ୍ଥାପିତ ଦୁଇଟି ମେସିନ୍ ମଧ୍ୟ ଅଧିକାଂଶ ସମୟରେ ଅଚଳ ଦେଖା ଯାଉଛି।
ଖାରବେଳ ନଗରର ଜଣେ ଅଧିବାସୀଙ୍କ ମିହିର ସେନଙ୍କ କହିବା ଅନୁଯାୟୀ ‘‘ରାଜଧାନୀକୁ ପଲିଥିନ୍ମୁକ୍ତ କରିବା ଦିଗରେ ପ୍ରକୃତରେ କାହାରି ଆନ୍ତରିକତା ନାହିଁ। ଏଠାରେ ଏମିତି ଗୋଟିଏ ହେଲେ ମାର୍କେଟ ବା ହାଟ ନାହିଁ, ଯେଉଁଠାରେ ପଲିଥିନ୍ ବ୍ୟବହାର ହେଉନାହିଁ। ସ୍ବାସ୍ଥ୍ୟ ଉପରେ ତତ୍କ୍ଷଣ କୁପ୍ରଭାବ ପକାଉଥିଲେ ହେଁ ପ୍ରାୟ ସବୁ ଦୋକାନ, ମଧ୍ୟମ ଓ ଛୋଟ ହୋଟେଲରେ ମଧ୍ୟ ଏହାର ଖୋଲା ବ୍ୟବହାର ଚାଲିଛି। ଏ ନେଇ ପରିବେଶବିତ୍ ଗହର ଆବେଦିନ କହନ୍ତି, ‘‘ବିକଳ୍ପ ନଥିବାରୁ ପ୍ଲାଷ୍ଟିକ୍ ଆବର୍ଜନା ବଢ଼ୁଛି। ରାଜଧାନୀର ଅଧିକାଂଶ ଲୋକଙ୍କୁ ଘରୁ କପଡ଼ା ବ୍ୟାଗ୍ ଓ ପାଣି ବୋତଲ ଧରି ଯିବାକୁ ଲାଜ ଲାଗୁଛି। ଫଳରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ସବୁବେଳେ ଲାଗି ରହିଛି।’’