ଡ୍ରିମ୍ସରେ କରୋନା ହସ୍ପିଟାଲ ପାଇଁ ପ୍ରସ୍ତୁତି : ୯୦୦ କୋଟିର ଯୋଜନା, ଆବଶ୍ୟକ ୩ଶହ ଡାକ୍ତର

କଟକ:  କଟକ ଜିଲ୍ଲାର ଟାଙ୍ଗୀରେ ଥିବା ଡ୍ରିମ୍ସ କଲେଜ ପରିସରରେ କରୋନା ହସ୍ପିଟାଲ ପାଇଁ  କାମ ଆରମ୍ଭ ହୋଇଛି। ଆର୍‌ଏଣ୍ଡବି, ସେସୁ, ପିଏଚ୍‌ଡି ବିଭାଗ ପହଞ୍ଚି ଭିତ୍ତିଭୂମି ପରଖିଛନ୍ତି। ଏହି ସ୍ବତନ୍ତ୍ର ହସ୍ପିଟାଲ ପାଇଁ ପାଖାପାଖି ୯୦୦ କୋଟିର ମେଡିକାଲ ଉପକରଣର ଆବଶ୍ୟକତା ରହିଛି। ସେହି ସବୁ ସାମଗ୍ରୀ ତୁରନ୍ତ ଯୋଗାଇ ଦେବା ପାଇଁ ଏସସିବି କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଲେଖିଛନ୍ତି। କରୋନା ସ୍ବତନ୍ତ୍ର ହସ୍ପିଟାଲ ଆଉ କଟକ ବଡ଼ ଡାକ୍ତରଖାନା ପରିସରରେ ନରଖି ଡ୍ରିମ୍ସ ପରିସରରେ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏଭଳି କସରତ ଆରମ୍ଭ ହୋଇଛି। ଏହି ସ୍ବତନ୍ତ୍ର କରୋନା ହସ୍ପିଟାଲ ପାଇଁ ଏସସିବିରେ ଏବେ ଘନଘନ ବୈଠକ ବସୁଛି। କେଉଁ କେଉଁ ଡାକ୍ତରମାନଙ୍କୁ ଏହି ହସ୍ପିଟାଲରେ କରୋନା ୱାର୍ଡରେ ରୋଗୀ ସେବାରେ ନିୟୋଜିତ କରାଯିବ, ସେଥିପାଇଁ ୩ଶହ ଡାକ୍ତରଙ୍କ ଏକ ତାଲିକା ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇଛି। ଏହି ହସ୍ପିଟାଲରେ ୫୦୦ବେଡ୍ ଓ ୫୦ଆଇସିୟୁର ବ୍ୟବସ୍ଥା ରହିବ। ଏଥିପାଇଁ ପାଇପ୍‌ ଲାଇନ କାମ ସହ ଅନେକ ଭିତ୍ତିଭୂମିର ବିକାଶ କରାଯିବ। ଆଜି ଆରଏଣ୍ଡବି, ସେସୁ, ପିଏଚ୍‌ଡି ବିଭାଗର ଅଧିକାରୀ ପହଞ୍ଚି ହେବାକୁ ଥିବା କାମର ଏଷ୍ଟିମେଟ୍‌ ପ୍ରସ୍ତୁତ କରିଛନ୍ତି। ସୋମବାର ସୁଦ୍ଧା କାମ ଆରମ୍ଭ ହେବ। କାରଣ ୧୦ ଦିନ ଭିତରେ ଏହାର କାମ ସାରିବାକୁ ଯୋଜନା ରହିଛି। ଏସସିବିରେ ସାଢ଼େ ୪ଶହ ଡାକ୍ତର ଥିବା ବେଳେ ୩ଶହ ଡାକ୍ତରଙ୍କ ତାଲିକା ଦିଆ ଯାଇଥିବା ବେଳେ ସେଥିରୁ ଅଧା ଡାକ୍ତର ରୋଗୀ ସେବାରେ ନିୟୋଜିତ ହେବେ। ଅନ୍ୟମାନଙ୍କୁ କ୍ବାରାଣ୍ଟିନ ଦାୟିତ୍ବରେ ରଖାଯିବ। ଗତକାଲି ଭିତ୍ତିଭୂମି ଯାଞ୍ଚ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର୍‌ ଅନିଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଏସ୍‌ସିବି ଅଧୀକ୍ଷକ ଅନ୍ନଦା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଡ୍ରିମ୍ସ କଲେଜ ପରିଦର୍ଶନ କରିଥିଲେ। ଡ୍ରିମ୍ସର ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ।

ଏହି ସ୍ବତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପାଇଁ ପୁରୁଷ ଛାତ୍ରାବାସର ୩୦୪ଟି କୋଠରି ଓ ମହିଳା ଛାତ୍ରାବାସର ୧୩୦ଟି କୋଠରିକୁ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶାସନ ନିଜ ହାତକୁ ନେଇଛି। ପ୍ରଶାସନିକ ଭବନରେ ଥିବା ଗୋଟିକିଆ କୋଠରିକୁ ଆଇସିୟୁ କରାଯିବ। ଡ୍ରିମ୍ସ ପରିସରରେ ଓପିଡି କାଉଣ୍ଟର୍‌, ପରୀକ୍ଷାଗାର, ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍‌ଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଯୁଦ୍ଧକାଳୀନ ଭିତ୍ତିରେ ଏହି କାମ କରାଯିବାର ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର