ଭୁବନେଶ୍ବର : ନିଶା ଯୋଗୁଁ ରାଜଧାନୀରେ ଅପରାଧ ବଢ଼ୁଛି। ତେଣୁ ରାଜଧାନୀକୁ ନିଶାମୁକ୍ତ ତଥା ଅପରାଧମୁକ୍ତ କରିବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ୧୪ ତମ ପ୍ରତିଷ୍ଠା ଦିବସ ଅବସରରେ ଏଥିପାଇଁ ଚଳିତ ବର୍ଷ ନିଶା କଟକଣା ଉପରେ ଗୁରୁତ୍ବ ଦେଇଛି ଭୁବନେଶ୍ବର ସହରାଞ୍ଚଳ ପୁଲିସ। ତେଣୁ ନୂଆ ଅଭିଯାନ ‘ଡ୍ରିମ୍ସ’(ଡି-ଆଡିକ୍ସନ, ରିଫର୍ମେସନ୍ ଆଣ୍ଡ ଏଣ୍ଟରପ୍ରିନ୍ୟୁରିଆଲ୍ ଆସିଷ୍ଟାଣ୍ଟ ଫର୍ ମେକିଂ ଏ ସେଫ୍ ସୋସାଇଟି) ଆରମ୍ଭ କରିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍ସି) ଆର୍ଥିକ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି।
ପ୍ରଥମ ପର୍ଯ୍ୟାୟରେ ‘ଡ୍ରିମ୍ସ’ ଯୋଜନା ୪ ମାସ ପାଇଁ ଭୁବନେଶ୍ବରରେ କାର୍ଯ୍ୟକାରୀ ହେବ। ଏହି ସମୟ ମଧ୍ୟରେ ନିଶା ସେବନ ଉପରେ ରୋକ୍ ଲଗାଇବା ପାଇଁ ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ରାସ୍ତାକଡ଼ର ଉଠା ବ୍ୟବସାୟୀ, ଛକ, ମାର୍କେଟ୍ ଭଳି ପ୍ରମୁଖ ଜାଗାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ବିଶେଷକରି ବସ୍ତି ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଯୁବଗୋଷ୍ଠୀଙ୍କୁ ସଚେତନ କରାଯିବ। ଧଳାଜହର ଭଳି ମାରାତ୍ମକ ନିଶାରେ କବଳିତ ଅପରାଧୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ କରାଯିବ। ଏହା ରାଜ୍ୟ ପୁଲିସ ଇତିହାସରେ ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି। ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ନିଶାସକ୍ତ ପ୍ରାୟ ୫୦ ଯୁବକ ଯେଉଁମାନେ ନିଶାସେବନ ପାଇଁ ଭୁବନେଶ୍ବରରେ ଅପରାଧ ଘଟାଉଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ସାମିଲ କରାଯିବ। ସେମାନଙ୍କୁ ଡି-ଆଡିକ୍ଟ କରିବା ସହିତ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ସେମାନେ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ ହେବେ, ସେଥିପାଇଁ ସେମାନଙ୍କୁ ବିଭିନ୍ନ କାମ ଯୋଗାଇ ଦିଆଯିବ। ସେ ଆହୁରି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୨୫ଜଣଙ୍କୁ କାଉନ୍ସେଲିଂ କରାଯିବ। ୧୫ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୫ଜଣଙ୍କୁ ଚିହ୍ନଟ କରାଯିବ। ସୂଚନାଯୋଗ୍ୟ, ରାଜଧାନୀକୁ ଧଳାଜହରମୁକ୍ତ କରିବାକୁ ପୁଲିସ ଅପରେସନ୍ ହ୍ବାଇଟ୍ ସ୍ପାଇଡର ଅଭିଯାନ ଜାରି ରଖିଥିବା ବେଳେ ଗତବର୍ଷ ୨୦ କିଲୋରୁ ଅଧିକ ବ୍ରାଉନ୍ସୁଗାର ଜବତ କରାଯାଇଛି। କିନ୍ତୁ ଅପରାଧ କମିବା ନାଁ ଧରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bastiku-chal.jpg)