ଭୁବନେଶ୍ବର: ଚଳିତବର୍ଷ ମାଟ୍ରିକ ପରୀକ୍ଷାର ସଫଳତା ହାର ସବୁ ରେକର୍ଡ ଭାଙ୍ଗିଛି। ହାତଗଣତି ଛାତ୍ରଛାତ୍ରୀଙ୍କୁ ଛାଡ଼ି ଦେଲେ ବହୁ ସଂଖ୍ୟକ ୫୦%ରୁ ଅଧିକ ମାର୍କ ରଖି ପାସ୍ କରିଛନ୍ତି। ୫୭% ପରୀକ୍ଷାର୍ଥୀ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ସର୍ବକାଳୀନ ରେକର୍ଡ କରିଛନ୍ତି। କିନ୍ତୁ ଏବେ ଭୁବନେଶ୍ବର କଲେଜରେ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଯାଇଛି। ଅଭିଭାବକମାନ ମଧ୍ୟରେ ଏବେ ଭାଳେଣି ପଡ଼ିଛି ଯେ ସେମାନଙ୍କ ପିଲାଙ୍କୁ ପଢ଼ାଇବେ କେଉଁଠି। ସମସ୍ତର ଇଚ୍ଛା ଥାଏ ଭୁବନେଶ୍ବରର ବିଜେବି, ରମାଦେବୀ, ରାଜଧାନୀ, ମହର୍ଷି, ବେସିକ୍ ସାଇନ୍ସ ପରି ନାମୀ କଲେଜରେ ପଢ଼ିବେ। ମାତ୍ର ୨୦୨୧ ତୁଳନାରେ ଏଥର ସିଟ୍ ସଂଖ୍ୟା ହ୍ରାସ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ୧୦୮୪ ସିଟ୍ କାଟି ଦିଆଯାଇଥିବାରୁ ନାମକରା କଲେଜରେ ସିଟ୍ ମିଳିବ କି ନାହିଁ ସେହି ଆଶଙ୍କାରେ ସମସ୍ତେ।
୨୦୨୧ ତୁଳନାରେ କମିଲା ହଜାରେ ସିଟ୍
ଏଥର ୬୯ କଲେଜରେ ୧୮ ହଜାର ସିଟ୍
କଳା ପ୍ରତି ବଢ଼ୁଛି ଆଗ୍ରହ, ବିଜ୍ଞାନ ଖାଲିପଡ଼ୁଛି
୨୦୨୨-୨୩ ଶିକ୍ଷାବର୍ଷରେ ଖୋର୍ଧା ଜିଲ୍ଲାରେ ଥିବା ସିଟ୍ ମଧ୍ୟରୁ ଅର୍ଧାଧିକ କେବଳ ଭୁବନେଶ୍ବରରେ ରହିଛି। ଗଣଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଖୋର୍ଧା ଜିଲ୍ଲାର ୧୫୩ କଲେଜ ୩୪ ହଜାର ୩୮୦ ସିଟ୍ ରହିଛି। କଳାରେ କଳା ୧୩ ହଜାର ୨୧୬, ବିଜ୍ଞାନରେ ୧୭ ହଜାର ୪୫୬, ବାଣିଜ୍ୟରେ ୨୯୧୨, ସଂସ୍କୃତରେ ୫୪୩ ଓ ଧନ୍ଦାମୂଳକ ବିଭାଗରେ ୭୯୬ ସିଟ୍ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ବରର ୬୯ଟି କଲେଜରେ ୧୮ ହଜାର ୪୬୦ ସିଟ୍ ରହିଛି। କଳାରେ ୪୬୦୮, ବିଜ୍ଞାନରେ ୧୧ ହଜାର ୨୪, ବାଣିଜ୍ୟରେ ୨୩୬୮, ଧନ୍ଦାମୂଳକରେ ୩୬୪, ସଂସ୍କୃତରେ ୯୬ଟି ସିଟ୍ ରହିଥିବା ଜଣାପଡ଼ିଛି। ଖୋର୍ଧା ଜିଲ୍ଲାରୁ ଏଥର ୨୬ ହଜାର ପିଲା ମାଟ୍ରିକ୍ ପାସ୍ କରିଛନ୍ତି। ଆଗକୁ ସିବିଏସ୍ଇ, ଆଇସିଏସ୍ଇ ବୋର୍ଡ ଅଧୀନରେ ସ୍କୁଲରୁ ମଧ୍ୟ ବହୁତ ପିଲା ଯୁକ୍ତ୨ ବେଳକୁ ଓଡ଼ିଆ ବୋର୍ଡ ଅଧୀନ କଲେଜକୁ ଆସିବେ। ତେଣୁ ସିଟ୍ ଅଭାବ ନେଇ ଆଶଙ୍କା ଦେଖାଦେଲାଣି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଭୁବନେଶ୍ବରରେ ସରକାରୀ କଲେଜ ସମେତ ମାଳମାଳ ବିଜ୍ଞାନ କଲେଜ ରହିଛି। ପିଲାମାନେ ବିଜ୍ଞାନ ପଢ଼ିବାକୁ ଅଧିକ ଆଗ୍ରହ ଦେଖାଉଥିବା ବି ଧାରଣା ରହିଛି। ମାତ୍ର ଗତବର୍ଷ ଯେଉଁ ଚିତ୍ର ଏବେ ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟ କରିବା ଭଳି। ବିଜ୍ଞାନ, ବାଣିଜ୍ୟ ତୁଳନାରେ କଳା ବିଭାଗରେ ପଢ଼ିବାକୁ ଅଧିକ ସଂଖ୍ୟକ ପିଲା ଆସୁଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ୪ଟି କଲେଜର କଳା ବିଭାଗ ସିଟ୍ ପୂରଣ ହୋଇଥିବା ବେଳେ ୪ଟିରେ ଗୋଟିଏ ଲେଖାଏ ସିଟ୍ ଖାଲି ରହିଥିଲା। ମୋଟ ୬୭ କଲେଜର ୧୯ ହଜାର ୫୪୪ ସିଟ୍ରେ ନାମଲେଖା ହୋଇଥିଲା। ବିଜ୍ଞାନ ବିଭାଗରେ ସବୁଠାରୁ ଅଧିକ ୧୧ ହଜାର ୩୨୮ ସିଟ୍ ମଧ୍ୟରୁ ୪୯୬୭ ଖାଲି ପଡ଼ିଥିଲା। ବାଣିଜ୍ୟରେ ୨୬୫୬ରୁ ୭୮୫ ଓ କଳାରେ ୫୦୬୮ରୁ ମାତ୍ର ୧୨୬ଟି ସିଟ୍ ଖାଲି ରହିଥିଲା। ତେଣୁ ଗତବର୍ଷର ଧାରା ଜାରି ରହିଲେ, ଚଳିତ ବର୍ଷ ଅଧିକ ପିଲା ପାସ୍ କରିଥିବାରୁ ଯୁକ୍ତ ଦୁଇ କଳାରେ ସିଟ୍ ପାଇବା ସମ୍ଭବ ହେବ ନାହିଁ।
ଦେବରାୟ କଲେଜ, ଏକାମ୍ର କଲେଜ, ପଟିଆସ୍ଥିତ ଆଚାର୍ଯ୍ୟ ହରିହର କଲେଜ, ସତ୍ୟଭାମା ଦେବୀ କଲେଜ ଅଫ୍ ହିୟରିଂ ଇମ୍ପେୟାର୍ଡରେ କଳା ବିଭାଗର ସିଟ୍ ପୂରଣ ହୋଇଥିଲା। ବିଜୁ ପଟ୍ଟନାୟକ କଲେଜ, ରାଜା ମଧୁସୂଦନ ଦେବ କଲେଜ, ମହର୍ଷି କଲେଜ ଓ ରାଜଧାନୀ କଲେଜରେ ଗୋଟିଏ ଲେଖାଏଁ ସିଟ୍ ବଳକା ଥିବା ବେଳେ ଜୟଦେବ କଲେଜ ଓ ସତ୍ୟସାଇ ମହିଳା କଲେଜରେ ୩ଟି ଲେଖାଏଁ, କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ୬, କିସ୍ରେ ୭୩୬ ସିଟ୍ ମଧ୍ୟରୁ ୫ଟି ଖାଲି ରହିଥିଲା। ଉକ୍ତ କଲେଜଗୁଡ଼ିକର ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସିଟ୍ ଖାଲି ରହିଥିଲା। ବିଜେବିରେ କଳାରେ ୩ଟି, ବିଜ୍ଞାନରେ ୬, ବାଣିଜ୍ୟରେ ୫, ରମାଦେବୀ ମହିଳା କଲେଜରେ କଳାରେ ୭, ବିଜ୍ଞାନ ଓ ବାଣିଜ୍ୟରେ ଗୋଟିଏ ଲେଖାଏ ସିଟ୍ ଖାଲି ପଡ଼ିଥିଲା। ବେସିକ୍ ସାଇନ୍ସ କଲେଜରେ ବିଜ୍ଞାନ ବିଭାଗରେ ୩ଟି ଖାଲି ରହିଥିଲା।