ବାଲିପାଟଣା: ଭାର୍ଗବୀ ନଦୀର ଅଚ୍ୟୁତପୁର କାଜରେ ବନ୍ୟା ଜଳ ଗଡ଼ିବା ଯୋଗୁ ଧନୁଆ ନଈରେ ବନ୍ୟା ଆସିଛି। ଫଳରେ ବାଲିପାଟଣା ବ୍ଲକ୍‌ର ୫ ପଞ୍ଚାୟତ ବନ୍ୟା‌ରେ ଉବୁଟୁବୁ ହେଉଛି। ରାସ୍ତାଘାଟ ବୁଡ଼ିଯାଇଥିବାରୁ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ ବହୁ ଗାଁ ପାଣି ଘେରରେ ରହିଥିବାରୁ ସ୍ବାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଲହଡ଼ି ମାରୁଛି। ଧାନ ଓ ପରିବା ଚାଷ ପ୍ରଭାବିତ ହୋଇଛି।
ଗତକାଲି ରାତିରୁ ନରଦା-ରାଜସ ରାସ୍ତାର କଷଟିଗଡ଼ା, ବାଲିପାଟଣା-ରାଜସ ରାସ୍ତାର କୃଷ୍ଣପୁର ବ୍ରିଜ ଏବଂ ବେଲମରା-ଦରଡ଼ା ରାସ୍ତାରେ ପ୍ରାୟ ୨ ଫୁଟ୍‌ ଉଚ୍ଚରେ ପାଣି ଚାଲୁଛି। ଫଳରେ ଆଜି ସକାଳୁ ଦିନତମାମ୍‌ ଏହି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା।

Advertisment

ଅବଶ୍ୟ ସନ୍ଧ୍ୟା ବେଳକୁ କୃଷ୍ଣପୁର ବ୍ରିଜ ଉପରେ ଜଳ ସ୍ତର କମିବା ଦେଖାଯାଇଥିଲା। କିନ୍ତୁ ଲୋକେ ପୋଲ ଉପରେ ଯିବାଆସିବା କରିବାକୁ ଭୟ କରିଥିଲେ। ତେବେ କଷଟିଗଡ଼ା ନିକଟରେ ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚରେ ପାଣି ଚାଲୁଥିଲା। ଆଜି ରାତି ସୁଦ୍ଧା ଜଳସ୍ତର କମିବାରୁ ଆସନ୍ତାକାଲିକୁ ରାସ୍ତାରେ ଯାତାୟାତ ହୋଇପାରିବ ବୋଲି କୁହାଯାଉଛି। କିନ୍ତୁ ପରିବା ଚାଷୀଙ୍କ ବିପୁଳ କ୍ଷତି ହୋଇଥିବା ଜଣାପଡ଼ିଛି। ଏଥିସହିତ ପାନ ବରଜ, ମାଛ ପୋଖରୀ ପାଣିରେ ବୁଡ଼ି ଯାଇଥିବାରୁ ସେହି ଚାଷୀମାନେ ବହୁ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ବେଲମରା, ଟିଙ୍କିପଡା, ଗରିଆ, ରାଜସ, କୃଷ୍ଣପୁର, ବିଲସାହି, କଷଟି, ଘାଷି ଅନ୍ଧଟି, ସାନ ମାଛପୁର, ନିଶ୍ଚିନ୍ତପୁର, ଇନ୍ଦୋଳକୁସିଆରୀ, ଦରଡ଼ା, କୁଳନ୍ତିରା ଶାସନ, କୁଳନ୍ତିରା ଗ୍ରାମ, ତରବୋଇ, ଦୋରବାଙ୍ଗ, ଆଳିସି, ନବାଟି, ଦନାପଡ଼ା ପ୍ରଭୃତି ମୌଜା ପାଣି ଘେରରେ ରହିଛି। ବହୁ ଗାଁ ଚାରିପଟେ ପାଣି ଜମି ରହିଥିବା ବେଳେ ମାଳମାଳ ସରୀସୃପ ଭାସୁଥିବା ଦେଖିବାକୁ ମିଳିଛି। ଚାରଣ ଭୂଇଁ ଜଳମଗ୍ନ ହୋଇଥିବାରୁ ଗୋସଂପଦଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଗାଈଗୋରୁ ଗୁହାଳରେ ଭୋକ ଉପାସରେ ଅଛନ୍ତି। ଆଜି ବିଡିଓ ଆଦିକନ୍ଦ ବେହେରା ଆଜି ବିଭିନ୍ନ ବନ୍ୟାଞ୍ଚଳ ବୁଲି ସ୍ଥିତି ଦେଖିଛନ୍ତି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବାଲିପାଟଣାରେ ପହଞ୍ଚିଛି।