ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଆଜି ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି। ପ୍ରାୟ ଦୁଇଘଣ୍ଟା ଧରି ସହର ସାରା ୧୮.୨ ମିଲିମିଟର ବର୍ଷା ହୋଇଛି। ଗତକାଲି ଅଧା ଭୁବନେଶ୍ବର ଭିଜିଥିବା ବେଳେ ଆଜି ଉପକଣ୍ଠ ସମେତ ସାରା ସହର ଭିଜିଛି, ସହର ଭିତରେ ଥିବା ଅଧିକାଂଶ ତଳି ଅଞ୍ଚଳ ଭାସିଛି। ୩୦ରୁ ୪୦ କିମି ବେଗରେ ପବନ ବହିବା ଫଳରେ ଚନ୍ଦ୍ରଶେଖରପୁର, ଖଣ୍ତଗିରି, ଜାଗମରା, ୟୁନିଟ୍-୮, ଲକ୍ଷ୍ମୀସାଗର ଅଞ୍ଚଳରେ ଗଛ ଡାଳ ଭାଙ୍ଗିଛି। ମୁଖ୍ୟ ନଳା ସମେତ ଶାଖା ନଳାରେ ପାଣିର ସୁଅ ପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଇସ୍କନ ମନ୍ଦିର ସାମ୍ନା ଓ ଫ୍ଲାଏ ଓଭର ବ୍ରିଜ୍ର ସ୍ଥାନେ ସ୍ଥାନେ ପାଣି ଜମିଛି। ସାରା ସହରରେ ବର୍ଷା ହୋଇଥିବାରୁ ବେଶ କିଛି ଦିନ ଧରି ଲାଗି ରହିଥିବା ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି। ଆସନ୍ତାକାଲି ମଧ୍ୟ ତାପମାତ୍ରାରେ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଇଛି।
ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ବର୍ଷା ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଜାଗମରା, ଖଣ୍ଡଗିରି, କଳିଙ୍ଗବିହାର, ତମାଣ୍ଡୋ ସମେତ ଲିଙ୍ଗରାଜ ବିହାର, ସୁନ୍ଦରପଦା, ଆଚାର୍ଯ୍ୟବିହାର, ସିଆର୍ପି, ରସୁଲଗଡ଼, ପଳାସୁଣି, ବାଣୀବିହାର, ମଞ୍ଚେଶ୍ବର ପ୍ରଭୃତି ଅଞ୍ଚଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଖଣ୍ଡଗିରି ଓ ଏହାର ଆଖପାଖ ଅଞ୍ଚଳରେ ୨ଟାରୁ ୩ଟା ଘଣ୍ଟାଏ ପର୍ଯ୍ୟନ୍ତ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା। ପବନ ଯୋଗୁ ସିଆର୍ପି ଛକ, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ଡାଳ ଭାଙ୍ଗିଥିଲା। ଖାରବେଳ ନଗର, ସତ୍ୟନଗର, ବାଣୀବିହାର, ୟୁନିଟ୍ ୨, ୟୁନିଟ୍ ୧, ଅଶୋକନଗର, ଏଜି ଛକ, ମାଷ୍ଟରକ୍ୟାଣ୍ଟିନ୍, ରାଜମହଲ, ଭିଏସଏସ ନଗରର କେତେକ ବସ୍ତି ଅଞ୍ଚଳ ସମେତ ଲକ୍ଷ୍ମୀସାଗର, ଝାରପଡ଼ାରେ କିଛି ଲୋକଙ୍କ ଘରେ ପାଣି ପଶିଥିଲା। ଜଗନ୍ନାଥ ଲେନ ସମେତ ବିଭିନ୍ନ ଗଳି ଓ ବମିଖାଲ ଓଭରବ୍ରିଜ୍ ତଲେ ୨ଫୁଟର ପାଣି ଜମିଥିଲା। ପଥଚାରୀ ଫ୍ଲାଏଓଭର ତଳେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବାରୁ ଟ୍ରାଫିକ୍ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏକାମ୍ର ହାଟ, ମାର୍କେଟ ବିଲ୍ଡିଂ, ଏକ ନମ୍ୱର ହାଟ ଆଦି ସ୍ଥାନରେ ବ୍ୟବସାୟୀଙ୍କ ପାଲ ଉଡ଼ି ଯାଇଥିଲା। ଏହି ଅଞ୍ଚଳଗୁଡ଼ିକରେ ପ୍ରାୟ ତିନିଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା।
ଭରତପୁର ଜିଏ କଲୋନିର ୨୦ଟି ସ୍ଥାନରେ ଡାଳ ପଡ଼ି ତାର ଛିଡ଼ି ଯିବାରୁ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଇନ୍ କଟି ଯାଇଥିଲା। ଶ୍ୟାମପୁର, ମଳିପଡ଼ା, ଗୋଠପାଟଣା, କଣ୍ଟାବାଡ଼, ଘଙ୍ଗାପାଟଣା, କେ-୧, କେ-୨, ଖଣ୍ତଗିରିବାରିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ପୁରୁଣା ଭୁବନେଶ୍ବରରେ ୫ ଘଣ୍ଟା ବିଦ୍ୟୁତ୍ କାଟ ହୋଇଥିଲା। ଫଳରେ ଜମେଶ୍ବର ପାଟଣା, ବଣିଆ ସାହି, ବଡ଼ୁ ସାହି, ନାରଦ ସାହି, ହରଚଣ୍ଡି ସାହି, ବେହେରା ସାହି, ଦର୍ଜି ସାହି, ପରକରଣ ସାହି, ମଠ ସାହି, ପଣ୍ଡା ସାହି, ଗୋସାଗରେଶ୍ବର ସାହି, ଚେମେଡ଼ି ସାହି, ମଙ୍ଗଳା ସାହି ଆଦି ଲୋକ ପ୍ରଭାବିତ ହୋଇଥିଲେ। ପୂନାମା ଗେଟ୍ ନିକଟରେ ନଡ଼ିଆ ଗଛ ବିଦ୍ୟୁତ୍ ତାର ଉପରେ ପଡ଼ିଯିବାରୁ ଏଭଳି ସ୍ଥିତି ହୋଇଥିଲା।
ଭୁବନେଶ୍ବର: ଆଜି ବର୍ଷାରେ କ୍ୟାପିଟାଲ ହସ୍ପିଟାଲ ଭିତରେ ପାଣି ପଶିଛି। ବିଭିନ୍ନ ୱାର୍ଡ଼ର ଛାତରୁ ପାଣି ପଶିବା ସହିତ ଜରୁରୀକାଳୀନ ବିଭାଗ ଓ ମଡ୍ୟୁଲାର ଓଟି ସମ୍ମୁଖରେ ମଧ୍ୟ ପାଣି ଜମି ରହିଥିଲା। ଫଳରେ ରୋଗୀ ଓ ତାଙ୍କ ସଂପର୍କୀୟମାନେ ବହୁ ହଇରାଣ ହୋଇଥିଲେ। ୱାର୍ଡ ସମେତ ପ୍ରଶାସନିକ ବିଭାଗ ଛାତରୁ ମଧ୍ୟ ପାଣି ଗଳି ଜରୁରୀ କାଗଜପତ୍ର ଓଦା ହୋଇଯାଇଛି। ଅନେକ ଦିନଧରି କ୍ୟାପିଟାଲ ହସ୍ପିଟାଲର ଛାତ ମରାମତି ହୋଇନଥିବାରୁ ଛାତରୁ ପାଣି ଗଳୁଥିବା ଅଭିଯୋଗ ହୋଇଛି। ଏହି ଭଙ୍ଗା ଛାତ ଭବିଷ୍ୟତରେ ରୋଗୀଙ୍କ ପାଇଁ ବିପଦ ସାଜିପାରେ ବୋଲି ଆଶଙ୍କା କରା ଯାଉଛି।