ଥାନାରେ ମଦ୍ୟପ ମହିଳାଙ୍କ ଉନ୍ମତ୍ତ କାଣ୍ଡ

ନାଚିଲେ, ନଚେଇଲେ, ଶେଷରେ ହାତ ଯୋଡ଼ିଲେ

ଖଣ୍ଡଗିରି: ଶୁକ୍ରବାର ରାତିରେ ଅନ୍ଧାରୁଆ-ଭରତପୁର ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟାଇବା ପରେ ଥାନାରେ ପହଞ୍ଚି ପୁଣି ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣେ ମଦ୍ୟପ ମହିଳାଙ୍କୁ ନେଇ ଖଣ୍ଡଗିରି ଥାନା ଖାଲି ପଡ଼ିଲା ଓ ଉଠିଲା। ନିଶାରେ ଚୁର୍ ମହିଳାଜଣଙ୍କ ଯେତିକି ନାଚି‌ଲେ, ପୁଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସେତିକି ନଚେଇଲେ। ତେବେ ଗିରଫ ହେବା ନିଶ୍ଚିତ ବୋଲି ଜାଣିବା ପରେ ହାତଯୋଡ଼ି କ୍ଷମା ମାଗିଲେ। ଶେଷରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ କ୍ଷମା କରିବା ଯୋଗୁଁ ତାଙ୍କୁ ପୁଲିସ ଛାଡ଼ି ଦେଇଥିଲା। ଝାରପଡ଼ା ଅଞ୍ଚଳର ଏହି ମହିଳା ପ୍ରିୟା(ଛଦ୍ମନାମ) ଆଜି ଏକ କାର୍ ଯୋଗେ ଅନ୍ଧାରୁଆରୁ ଫେରୁଥିଲେ। ତାଙ୍କ ସହ ଆଉ ୩ଜଣ ଯୁବକ ଥିଲେ। ସମସ୍ତେ ନିଶାସକ୍ତ ଥିଲେ। ପ୍ରିୟା ନିଜେ କାର୍ ଚଳାଉଥିଲେ। ଜିଏ କଲୋନି ପାର୍ ହୋଇ ସେମାନେ ଭରତପୁରରେ ପହଞ୍ଚିବା ଭିତରେ ତାଙ୍କ କାର୍ ଧକ୍କାରେ ୩ଜଣ ବାଇକ୍‌ ଆରୋହୀ ଆହତ ହୋଇଥିଲେ। ସେମାନେ ହେଲେ ରଶ୍ମିରଂଜନ ପାତ୍ର, ଅଙ୍କିତ ବିଶ୍ବାଳ ଓ ମୟଙ୍କ ନାୟକ। ଏହି ୩ ଜଣ କିନ୍ତୁ ପ୍ରିୟାଙ୍କ କାର୍‌କୁ ପିଛା କରି ତାଙ୍କୁ ଜୟଦେବ ବାଟିକା ନିକଟରେ ଅଟକାଇବାରେ ସକ୍ଷମ ହୋଇଥିଲେ। କାର୍‌ରୁ ଓହ୍ଲାଇ ପ୍ରିୟା ପାଲଟା ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ ଓ ଶେଷରେ ସମସ୍ତେ ଖଣ୍ଡଗିରି ଥାନାକୁ ଯାଇଥିଲେ। ଥାନାରେ ପହଞ୍ଚିବା ପରେ ପ୍ରିୟାଙ୍କ ନିଶା ଆହୁରି ଚଢ଼ି ଯାଇଥିଲା। ସେଠାରେ ସେ ଏକ ପ୍ରକାର ନଗ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶେଷରେ ଆଇଆଇସି ତାଙ୍କୁ ଗିରଫ କରିବା ପାଇଁ ଧମକ ଦେଇଥିଲେ। ଆହତମାନେ ଅଭିଯୋଗପତ୍ର ଲେଖିବାକୁ ବାହାରିବା ମାତ୍ରେ ପ୍ରିୟାଙ୍କ ମୁଣ୍ଡରୁ ନିଶା ଖସି ଯାଇଥିଲା। ସେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଥିଲେ ଓ ତାଙ୍କୁ ଛାଡ଼ି ଦେବାକୁ କାକୁତି ମିନତି ହୋଇଥିଲେ। ପ୍ରିୟା ଜଣେ ସମ୍ଭ୍ରାନ୍ତ ପରିବାରର ମହିଳା ହୋଇଥିଲେ ବି ନିଶା ସେବନ କରି ଯୁବକମାନଙ୍କ ସହ ଏମିତି ମସ୍ତି କରିବା ତାଙ୍କର ଏକ ସଉକ।

ସମ୍ବନ୍ଧିତ ଖବର