ପିଇବା ପାଣି ସଂକଟ, ଗାଁ ଭିତରକୁ ପୂରାଇ ଦେଲେନି ପ୍ରଚାର ଗାଡ଼ି

ବାଲିଅନ୍ତା: ବାଲିଅନ୍ତା ବ୍ଲକ ବେଣ୍ଟପୁର ପଞ୍ଚାୟତ ଅଧୀନ ଜାଗିରି ଗ୍ରାମରେ ବର୍ଷ ବର୍ଷ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ହୋଇଛି। ବେଣ୍ଟପୁର ପାଇପ ଲାଇନ ପାଣି ପ୍ରକଳ୍ପରୁ ବିଭିନ୍ନ ସ୍ଥାନରେ ଥିବା ଷ୍ଟାଣ୍ଡପୋଷ୍ଟରୁ ଲୌହ ମିଶ୍ରିତ ପାଣି ଯୋଗାଣ ହେଉଛି। ଅଧିକାଂଶ ସମୟରେ ଟ୍ୟାପ୍‌ରେ ଗୋଳିଆ ପାଣି ବାହାରୁ ଥିବାରୁ ଗ୍ରାମବାସୀମାନେ କପଡ଼ା ବାନ୍ଧି ପାଣି ଛାଣି ବ୍ୟବହାର କରିଛନ୍ତି। ଏ ସଂପର୍କରେ ସ୍ଥାନୀୟ ଲୋକମାନେ ସରପଞ୍ଚଙ୍କଠୁ ଆରମ୍ଭ କରି ବିଧାୟକ ଓ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନି। ଅନ୍ୟପକ୍ଷରେ ଦୂଷିତ ପାଣି ପିଇ ଗ୍ରାମର ଅନେକ ପରିବାର ପେଟରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଗ୍ରାମବାସୀଙ୍କ ପାଣି ସଂକଟକୁ ଦୂର କରିବା ପାଇଁ ମା’ ତାରିଣୀ ମନ୍ଦିର ନିକଟରେ ନିର୍ମାଣାଧୀନ ନୂତନ ପାଇପ ଲାଇନ ପ୍ରକଳ୍ପ ବର୍ଷେ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିଲାନି। ଦୀର୍ଘ ଦିନ ଧରି ଗ୍ରାମବାସୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାଧାରଣ ନିର୍ବାଚନ ବେଳେ ଉଗ୍ରରୂପ ନେଇଛି। ପାଣି ପ୍ରକଳ୍ପ ଉପରେ ନିର୍ଭର କରି ଚଳୁଥିବା ୩୦ ଘରର ମହିଳା ପ୍ରଚାରରେ ଆସୁଥିବା ସବୁ ପ୍ରାର୍ଥୀଙ୍କୁ ଜୋରଦାର ବିରୋଧ କରୁଥିବା ଜଣାପଡ଼ିଛି। ଗାଁ ଭିତରକୁ କୌଣସି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ିକୁ ଉତ୍ତ୍ୟକ୍ତ ମହିଳାମାନେ ପୂରାଇ ଦେଉ ନାହାନ୍ତି। ଗ୍ରାମ ରାସ୍ତାରେ ଗରା, ମାଠିଆ, କୁଣ୍ଡ, ଡେକଚି, ବାଲ୍‌ଟି ରଖି ପ୍ରତିବାଦ କରୁଛନ୍ତି। ମହିଳାଙ୍କ ଏପରି ପ୍ରତିବାଦ ଭୟରେ ପ୍ରଚାର ଗାଡ଼ି ସେଠାରୁ ଫେରିଯାଉଥିବା ଦେଖାଯାଇଛି। ଏପରି ସମୟରେ ଗ୍ରାମର ବିଭିନ୍ନ ସ୍ଥାନରେ ଥିବା ୪ଟି ନଳକୂପ ମଧ୍ୟରୁ ୨ଟି ଖରାପ ହୋଇଯାଇଛି। ସମସ୍ୟ ସମାଧାନ ନହେଲେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ବିରୋଧ କରୁଥିବା ମହିଳାମାନେ କହିଛନ୍ତି। ଏ ସଂପର୍କରେ ବାଲିଅନ୍ତା ବ୍ଲକ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀଙ୍କୁ ପଚାରିବାରେ ବାକି କାମ ତୁରନ୍ତ ଶେଷ କରି ଜଳ ଯୋଗାଣ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର